• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ସଚିନ ରମେଶ ତେନ୍ଦୁଲକର । ନାଁ ହିଁ ଯଥେଷ୍ଟ । ମୈଦାନରୁ ସିନା ଆଉଟ ହୋଇଛନ୍ତି । ହେଲେ ଲୋକଙ୍କ ହୃଦୟରେ ଏବେ ବି ସେ ନଟ୍ ଆଉଟ୍ । ଦୁଇ ଦଶନ୍ଧିର ସଫଳ କ୍ୟାରିୟର । ଆଜି ସେହି ଲିଜେଣ୍ଡ ତଥେ ମାଷ୍ଟର ବ୍ଲାଷ୍ଟରଙ୍କ ୫୦ତମ ଜନ୍ମଦିନ ।

ସଚିନ . . . ସିମ୍ପଲ, ଷ୍ଟାଇଲିସ, ସଲିଡ । କ୍ରିକେଟର ଭଗବାନ । ଦ ଗଡ ଅଫ କ୍ରିକେଟ । ଅନେକ ତ କ୍ରିକେଟ ଖେଳିଛନ୍ତି , ଷ୍ଟାର ବି ହୋଇଛନ୍ତି, ସୁପରଷ୍ଟାର ବି ହୋଇଛନ୍ତି । କିନ୍ତୁ ସଚିନ ହୋଇନାହାଁନ୍ତି । କାରଣ ତେନ୍ଦୁଲକରଙ୍କ ପରିବ ହେବା କ’ଣ ଏତେ ସହଜ ! ସଚିନ ତିଆରି ହେବା ପାଇଁ ସମୟ ନୁହେଁ, ପ୍ରତିବଦ୍ଧତା , ନିଷ୍ଠା, ଅଧ୍ୟବସାୟ, କଠିନ ପରିଶ୍ରମ ଦରକାର । ଦି ଲିଜେଣ୍ଡ, ସର୍ବକାଳୀନ ଶ୍ରେଷ୍ଠ କ୍ରିକେଟର । ଭାରତୀୟ କ୍ରିକେଟର କୋହିନୁର । ବ୍ୟାଟିଂ ଏବଂ ବଲର ବାଦଶାହ ।

ଅଧିକ ପଢ଼ନ୍ତୁ: ଏହି ୧୦ ପଏଣ୍ଟ୍ ଯୋଗୁଁ ସଚିନ 'ଗଡ୍ ଅଫ୍ କ୍ରିକେଟ୍'

ବଲ୍ଲାରେ କେତେବେଳେ ସେ ବୋଲରର ସ୍ୱପ୍ନ ଛଡାଇଛନ୍ତି ତ କେତେବେଳେ କାହା ଆଖିରେ ସ୍ୱପ୍ନ ଭରିଛନ୍ତି । ଅଜସ୍ର ସମ୍ମାନ, ଶ୍ରଦ୍ଧା , ଖ୍ୟାତି, ଯଶ କଣ ପାଇନାହାଁନ୍ତି ସେ । ପ୍ରତିପକ୍ଷ ଯିଏ ବି ହେଉ ସମସ୍ତେ ଥିଲେ ତାଙ୍କ ପ୍ରଶଂସାରେ ଶତମୁଖ । ନା ପଦବୀର ମୋହ ନା ପ୍ରଶଂସା ପାଇଁ ଥିଲା ବ୍ୟଗ୍ରତା । ସେଥିପାଇଁ ତ ସେ ସଚିନ । କ୍ରିକେଟ ତାଙ୍କର ଜୀବନ ଆଉ କ୍ରିକେଟ ତାଙ୍କ ଧର୍ମ । ଖାଲି କ୍ରିକେଟ ଆଉ କ୍ରିକେଟ । ସତେ ଯେମିତି କ୍ରିକେଟ ପାଇଁ ହିଁ ତାଙ୍କର ଜନ୍ମ ।

ସେ ଥିଲେ ଅଜାତଶତ୍ରୁ । ୨୪ ବର୍ଷର ସଫଳତମ କ୍ୟାରିୟରରେ ନା ଦବିଛନ୍ତି ନା କେହି ତାଙ୍କୁ ଦବାଇପାରିଛନ୍ତି । କେବେ ବି କାହା ଉପରେ ବଡ ଭାଇପଣିଆ ଜାହିର କରିନାହାଁନ୍ତି । କ୍ରିକେଟର ଯୋଗଜନ୍ମାଙ୍କ ଏତେ ଲମ୍ବା ସମୟର କ୍ୟାରିୟର ଭିତରେ କେବେ ବି ତାଙ୍କ ନିଷ୍ଠା ଉପରେ ସୃଷ୍ଟି ହୋଇନି ପ୍ରଶ୍ନବାଚୀ । ବୟସ ବା କେତେ । ଏତେ କମ ସମୟ ଭିତରେ ଭାରତ ରତ୍ନ । କ୍ରିକେଟକୁ ଅଲବିଦ କହିବାର ଗୋଟେ ଦଶନ୍ଧି ବିତିବା ପରେ କ୍ରେଜ ଖସିନି । ଏମିତି ସମୟ ଥିଲା ଯେତେବେଳେ ସଚିନ ଆଉଟ ହେବା ପରେ ଭାରତରେ ଟିଭି ଅଫ ହୋଇଯାଉଥିଲା ।

ଆଉ ସଚିନ ବ୍ୟାଟିଂ କରିବାକୁ ଆସିଲା ବେଳକୁ ପଡିଆରେ ଷ୍ଟାଣ୍ଡିଂ ଓଭେସନ, ଆଉ ଆଉଟ ହୋଇ ଫେରିଲାବେଳକୁ ଅସମ୍ଭବ ନୀରବତା , ପିନ ଡ୍ରପ ସାଇଲେନସ୍ । ଲାଗୁଥିଲା ତେନ୍ଦୁଲକର ଆଉଟ ତ ଭାରତ ମ୍ୟାଚରୁ ଆଉଟ୍ । ପ୍ରତିପକ୍ଷ ଭାବୁଥିଲା ମ୍ୟାଚ ଆମ ହାତକୁ ଆସିଗଲା । ରେକର୍ଡ ତାକୁ ସବୁବେଳେ ପିଛା କରୁଥିଲା ।

ଏହି ଦୁଇ ଦଶନ୍ଧୀ କ୍ୟାରିୟର ଭିତରେ ଅନେକ କଣ୍ଟ୍ରୋଭର୍ସି ସୃଷ୍ଟି ହୋଇଛି । ହେଲେ ବିବାଦ କେବେ ବି ଛୁଇଁନି । ମ୍ୟାଚ୍ ଫିକ୍ସିଂ, ବେଟିଂର କଥା ସାମନାକୁ ଆସିଛି । ହେଲେ ସଚିନ ସେ ସବୁଠାରୁ ବହୁ ଦୂରରେ ଥିଲେ । ସବୁବେଳେ ସଚିନ ପାଲଟୁଥିଲେ ଖବରର ଶିରୋନାମା । ଲିଟିଲ ମାଷ୍ଟର ବି କିଛି ମ୍ୟାଚରେ ଫ୍ଲପ ବି ହୋଇଛନ୍ତି । ହେଲେ କେବେ ବି ଦୁର୍ବଳ ହୋଇନାହାଁନ୍ତି । ମାନସିକ ସ୍ତରରେ କେବେ ବି ବିଚଳିତ ହୋଇନାହାଁନ୍ତି ।

କୋର୍ସ କରେକସନ କରି କମବ୍ୟାକ କରିଛନ୍ତି । ସେଥିପାଇଁ କ୍ରିକେଟରେ କୁହାଯାଏ କ୍ଲାସ ଇଜ୍ ପରମାନେଣ୍ଟ , ଫର୍ମ ଇଜ ଟେମ୍ପରାରି । ମାଷ୍ଟର ବ୍ଲାଷ୍ଟର ଆଜି ୫୦ ବର୍ଷରେ । ଅତି କମ ବୟସରୁ ଆସି କ୍ରିକେଟ ଜଗତରେ ନିଜସ୍ୱ ଏକ ସାମ୍ରାଜ୍ୟ ତିଆରି କରିଥିଲେ ସଚ୍ଚିନ । ଆଉ ଆଜି ବି ସେ ସାମ୍ରାଜ୍ୟର ଅପ୍ରତିଦ୍ୱନ୍ଦୀ ମହାନାୟକ । ଏହା କିମ୍ବଦନ୍ତୀଙ୍କୁ କୋଟି କୋଟି ଶୁଭେଚ୍ଛା ।