• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ବଦଳିଯିବ ମା’ ବିରଜା ମନ୍ଦିରର ରୂପରେଖ । ଜୋରସୋରରେ ଚାଲିଛି ନବକଳେବର । ମୁଖ୍ୟ ମନ୍ଦିର ମୁଖଶାଳା ସହ ପାର୍ଶ୍ୱ ଦେବାଦେବୀ ମନ୍ଦିର ହେବ ପଥର ବେଷ୍ଟିତ । ଯାହାକି ଏବେ ଦେଖୁଥିବା ମନ୍ଦିର ଠାରୁ ବହୁ ସୁନ୍ଦର ଦେଖାଯିବ ଏବଂ ପର୍ଯ୍ୟଟକଙ୍କୁ ବିରଜା କ୍ଷେତ୍ର ପ୍ରତି ଆକୃଷ୍ଟ କରିବ । ପ୍ରଥମ ପର୍ଯ୍ୟାୟରେ ଦୋଳ ମଣ୍ଡପ ,ମୁକ୍ତିମଣ୍ଡପ, ଭୋଗ ଦୋକାନ ସହ ପ୍ରଶାସନିକ ଦପ୍ତର ଏବଂ ଆନନ୍ଦ ବଜାର ଆଦି ସ୍ଥାନକୁ ଖାଣ୍ଡେଲାଇଟ ପଥର ଦ୍ୱାରା ଅତ୍ୟାଧୁନିକ ଶୈଳୀରେ ନିର୍ମାଣ କରାଯାଉଛି । ଏହି କାମ ସରିସରି ଯାଉଥିବାବେଳେ ଦ୍ୱିତୀୟ ପର୍ଯ୍ୟାୟରେ ବଡ଼ ମନ୍ଦିରରେ ପଥର ଖୋଦେଇ ହେବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି ।

ଗଦା କ୍ଷେତ୍ର ଭାବେ ପରିଚିତ ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ବିରଜାଙ୍କ ପୀଠର ପୂରାପୂରି ବଦଳିଯିବ ରୂପରେଖ । ବର୍ତ୍ତମାନ ମନ୍ଦିର ଏବଂ ଚତୁଃପାର୍ଶ୍ୱର ସବୁ ମନ୍ଦିରରେ ଚୂନ ମରାଯାଇ ସଜ୍ଜିତ କରାଯାଇଛି । କିନ୍ତୁ ନୂଆ ନିର୍ମାଣ ଅନୁସାରେ ଖାଣ୍ଡେଲାଇଟ ପଥରର ବିଭିନ୍ନ କଳା ଭାସ୍କର୍ଯ୍ୟରେ ମାଆଙ୍କ ମୁଖ୍ୟ ମନ୍ଦିର ସହ ବେଢାର ସବୁ ମନ୍ଦିର ନୂଆ କରି ତିଆରି ଚାଲିଛି ।

ମାଆଙ୍କ ମନ୍ଦିରର ପଥର ଖୋଦେଇ କରିବାକୁ ଦିନରାତି ଏକ କରି ପ୍ରାୟ ୩୦ରୁ ଉର୍ଦ୍ଧ୍ୱ ପଥର କାରିଗର ଲାଗିପଡିଛନ୍ତି । ଏମିତିକି ଆଉ ବର୍ଷେରୁ ୨ ବର୍ଷ ମଧ୍ୟରେ ପୂରା ମନ୍ଦିର କାମ ସରିଯିବ ବୋଲି କହିଛି ପ୍ରଶାସନ ।  ପୂଣ୍ୟତୋୟା ବୈତରଣୀ କୂଳରେ ଅବସ୍ଥିତ ମାଆ ବିରଜାଙ୍କ କ୍ଷେତ୍ର ହେଉଛି ଦେଶର ୬୮ ଟି ଓ ରାଜ୍ୟର ୧୮ ଟି ଶକ୍ତି ପୀଠ ମଧ୍ୟରୁ ଅନ୍ୟତମ ।

ଏଠାରେ ଥିବା ନାଭି କ୍ଷେତ୍ରରେ ପିଣ୍ଡଦାନ କଲେ ପିତୃପରୁଷ ସ୍ୱର୍ଗଗାମୀ ହୁଅନ୍ତି ବୋଲି ବିଶ୍ୱାସ ରହିଥିବା ବେଳେ ଏହା ଗଦା କ୍ଷେତ୍ର ଭାବେ ପରିଚିତ । ତେଣୁ ମନ୍ଦିରର ବିକାଶ ଲାଗି ରାଜ୍ୟ ସରକାର ଯୋଜନା କରିଥିଲେ ଆଉ ଏବେ ତାହାର ସଫଳ ରୂପାୟନ ହେବାକୁ ଯାଉଥିବାରୁ ନୂଆ ମନ୍ଦିରକୁ ଦେଖିବାରୁ ଭକ୍ତ କରିଛନ୍ତି ଅପେକ୍ଷା ।

 

  • Reported by:
  • Sanjeeb Nayak