Advertisment

ଖପୁରିଆ କରତକଳରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା ସହ ରଥକାଠ ଚିରଟ ଅନୁକୂଳ

ଶ୍ରୀମନ୍ଦିରରୁ ଅଜ୍ଞାମାଳ ଆସିବ ପରେ ହେଲା ରଥକାଠ ଚିରଟ । ପ୍ରଥମ ପର୍ଯ୍ୟାୟରେ 450 ଖଣ୍ଡ କାଠର ହେବ ଚିରଟ ।

author-image
Satyendu Shekher Mishra
Ratha Katha

Ratha Katha

ପବିତ୍ର ରାମ ନବମୀରେ ପରମ୍ପରା ଅନୁସାରେ ମହାପ୍ରଭୂ ଜଗନ୍ନାଥଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ରଥକାଠ ଚିରଟ ଅନୁକୂଳ ହୋଇଛି । କଟକ ଖପୁରିଆଠାରେ ଥିବା ବନ ବିଭାଗର ସରକାରୀ କରତ କଳରେ ରଥ କାଠ ଚିରା କାମ ଆରମ୍ଭ ହୋଇଛି । ପୁରୀ ଶ୍ରୀମନ୍ଦିର ପରିଚାଳନା କମିଟିର ସଦସ୍ୟମାନେ ମହାପ୍ରଭୁଙ୍କ ଆଜ୍ଞାମାଳ ଆଣି ପହଞ୍ଚିବା ପରେ ଯଥାବିଧି ଅନୁସାରେ ପୂଜାର୍ଚ୍ଚନା କରାଯାଇ ଆରମ୍ଭ ହୋଇଥିଲା କାଠ ଚିରଟ କାମ ।

Advertisment

ଚତୁର୍ଦ୍ଧାମୂର୍ତ୍ତିଙ୍କ ରଥ ନିର୍ମାଣ ପାଇଁ ପ୍ରାୟ ୮୧୨ ଖଣ୍ଡ କାଠ ର ଆବଶ୍ୟକତା ଥିବା ବେଳେ ଏଠି ପହଂଚିଛି ୪୫୦ ଖଣ୍ଡ କାଠ। ଯେଉଁଥିରେ ଫାଶି, ଶିମିଳି, ଅଶନ, ଧଉରା,ରାଇ, ମଇ ଭଳି କାଠ ସାମିଲ ରହିଛି । ଏହି ସମସ୍ତ କାଠ ନୟାଗଡ ବନଖଣ୍ଡ ସମେତ ଅନ୍ୟାନ ବନଖଣ୍ଡରୁ ଆସିଛି । ପ୍ରତ୍ୟେକ ଦିନ ସକାଳ ୬ଟାରୁ ରାତି ୯ ଟା ପର୍ଯ୍ୟନ୍ତ କରତ କଳରେ କାଠଚିରା କାମ ଚାଲିବ ଏବଂ ଏଥିପାଇଁ ନିୟୋଜତ ରହିବେ ପ୍ରାୟ ୩୦ ଜଣ କର୍ମଚାରୀ ।

ତେବେ ଆସନ୍ତା ଜୁଲାଇ ୭ ତାରିଖରେ ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା। ଚଳିତ ବର୍ଷ ରଥଯାତ୍ରାକୁ ଶାନ୍ତି ଶୃଙ୍ଖଳାର ସହ ସମାପନ ଲାଗି ପୁରୀ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଗତକାଲି ଦ୍ୱିତୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି।

Advertisment

ନିର୍ବାଚନ ଥିବାରୁ ଆଦର୍ଶ ଆଚରଣ ବିଧିକୁ ଗୁରୁତ୍ୱର ସହ ନେଇ କାମ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ। ଆଇନ ଶୃଙ୍ଖଳା ,ପାର୍କିଂ, ଟ୍ରାଫିକ ନିୟନ୍ତ୍ରଣ ସହ ନୀତିକାନ୍ତି ଶୃଙ୍ଖଳିତ କରିବା ଉପରେ ବୈଠକରେ ଆଲୋଚନା ହୋଇଛି। ଅନ୍ୟପକ୍ଷରେ ପ୍ରଭୁଙ୍କ ନବଯୌବନ, ନେତ୍ରୋତ୍ସବ ଓ ରଥଯାତ୍ରା ଗୋଟିଏ ଦିନରେ ପଡ଼ୁଥିବାରୁ ତା ଉପରେ ବି ଆଲୋଚନା ହୋଇଛି।

ଅନ୍ୟପଟେ ଗତବର୍ଷ ରଥଯାତ୍ରାରେ ହୋଇଥିବା ତ୍ରୁଟି ବିଚ୍ୟୁତି ଓ ସମସ୍ୟାକୁ ସୁଧାରି ସମସ୍ତ ବିଭାଗକୁ କାମ କରିବାକୁ ପରାମର୍ଶ ଦେଇଛନ୍ତି ଜିଲ୍ଲାପାଳ।ଅକ୍ଷୟ ତୃତୀୟା ଠାରୁ ସୁନାବେଶ ପର୍ଯ୍ୟନ୍ତ ମହାପ୍ରଭୁଙ୍କ ନୀତି କାନ୍ତି, ଜନଗହଳି ନିୟନ୍ତ୍ରଣ, ପାନୀୟ ଜଳ ଯୋଗାଣ, ସ୍ୱାସ୍ଥ୍ୟ ଓ ପରିମଳ ସହ ଆଇନ ଶୃଙ୍ଖଳା ନେଇ ପ୍ରସ୍ତୁତି ବୈଠକରେ ଆଲୋଚନା ହୋଇଛି।

Srimandir Jagannath Temple
Advertisment
Advertisment