Advertisment

ଆଡ଼ପ ପହଣ୍ଡି ମହାବିଭ୍ରାଟ ପରେ ଶ୍ରୀଜିଉଙ୍କ ବାହୁଡ଼ା ପହଣ୍ଡି ଚିନ୍ତା

ପହଣ୍ଡି ବେଳେ ପୂର୍ଣ୍ଣାଙ୍ଗ ଲାଗୁ ହେବ ରଥ ବ୍ୟବସ୍ଥାବଳି କହିଲେ ଜିଲ୍ଲାପାଳ । ପହଣ୍ଡି ଅଘଟଣକୁ ନେଇ ସିଏମ ମୋହନଙ୍କୁ ନବୀନଙ୍କ ଚିଠି ।

author-image
Satyendu Shekher Mishra
Ratha Jatra / Bahuda Jatra

Ratha Jatra / Bahuda Jatra

ସାରା ଭକ୍ତପ୍ରାଣକୁ ଆନ୍ଦୋଳିତ, ବ୍ୟଥିତ କରିଥିବା ସେଇ ଅଘଟଣ ପରେ ଏବେ ସବୁରି ମନରେ ପ୍ରଶ୍ନ କେମିତି ସୁରୁଖୁରୁରେ ହେବ ବିଶ୍ୱ ନିଅନ୍ତାଙ୍କ ବାହୁଡ଼ା ଓ ନୀଳାଦ୍ରିବିଜେ ପହଣ୍ଡି ? ଭୁଲରୁ ଶିଖି ବ୍ୟବସ୍ଥାକୁ ସୁଧାରିବେ ତ ସେବକ ? ଆଉ କେବେ ବି ଏଭଳି ଅଘଟଣ ନଘଟିବା ଦିଗରେ ପଦକ୍ଷେପ ନେବ ତ ଶ୍ରୀମନ୍ଦିର ପ୍ରଶାସନ? କାହିଁକି ଏ ଅଘଟଣ ଘଟିଲା ତାର କାରଣ ଖୋଜିବାକୁ ୩ ଜଣିଆ କମିଟି ତ ଗଢ଼ା ହୋଇଛି, ହେଲେ ସବୁଠୁ ପ୍ରମୁଖ କାରଣ ଭାବେ ଯାହା ଜଳ ଜଳ ସାମ୍ନାକୁ ଆସୁଛି ତାହା ହେଉଛି, ରଥ ଉପରେ ଅନିୟନ୍ତ୍ରିତ ଗହଳି।

Advertisment

ବଳଭଦ୍ରଙ୍କ ଆଡ଼ପ ପହଣ୍ଡି ଅଘଟଣ ବେଳେ ତାଳଧ୍ୱଜ ରଥ ଉପରେ ଥିବା ସେବକଙ୍କ ସଂଖ୍ୟା ଦେଖିଲେ ଯେକେହି ଅନୁମାନ କରିପାରିବ ରଥ ବ୍ୟବସ୍ଥାବଳିର ତ ଯେମିତି ଧଜିଆ ଉଡୁଥିଲା।

ସେହିପରି ଅନ୍ୟତମ ପ୍ରମୁଖ କାରଣ ଭାବେ ହୁଗୁଳା ପାଟଡୋର ବନ୍ଧା ଏବଂ ଅନଭିଜ୍ଞଙ୍କ ହାତରେ ପହଣ୍ଡି ଡୋରି ରହିବା ଅର୍ଥାତ୍ ପହଣ୍ଡି ସମୟରେ ଯେଉଁ ଅଭିଜ୍ଞ ସେବକ ରହିବା କଥା ସେମାନଙ୍କ ବଦଳରେ ଅନଭିଜ୍ଞ ଯୁବକଙ୍କୁ ଦାୟିତ୍ୱ ଦିଆଯିବାରୁ ଏଭଳି ଅଘଟଣ ଘଟିଥିବା କୁହାଯାଉଛି। ସେବାୟତମାନେ ବି ରଥ ଉପରେ ଅଯଥା ଗହଳି କଥାକୁ ସ୍ୱୀକାର କରିଥିଲେ ବି ଯୁବ ଦଇତା ସେବାୟତ କିନ୍ତୁ ପହଣ୍ଡିରେ ଅନଭିଜ୍ଞତା କଥାକୁ ଅସ୍ୱୀକାର କରିଛନ୍ତି। ତେବେ ଭୁଲରୁ ଯଥେଷ୍ଟ ଶିକ୍ଷା ମିଳିଛି, ମହାପ୍ରଭୁଙ୍କ ଆଗକୁ ଥିବା ସବୁ କାର୍ଯ୍ୟ ସୁରୁଖୁରୁରେ ହେବ ବୋଲି କହିଛନ୍ତି ସେବାୟତ।

Advertisment

ଆଡ଼ପ ପହଣ୍ଡି ବିଭ୍ରାଟ ପାଇଁ ଚାରମାଳକୁ ବି ଦାୟୀ କରାଯାଉଛି। ହେଲେ ଏହାକୁ ଖଣ୍ଡନ କରି ନନ୍ଦିଘୋଷ ରଥର ମୁଖ୍ୟ ଭୋଇ ସେବକ କହିଛନ୍ତି ଚାରମାଳ ବନ୍ଧାରେ କୌଣସି ତ୍ରୁଟି ହୋଇନି।

ଅପରପକ୍ଷେ, ଶ୍ରୀଜିଉଙ୍କ ବାହୁଡ଼ା ଓ ନୀଳାଦ୍ରିବିଜେ ପହଣ୍ଡି ବେଳେ ଅଘଟଣକୁ ଏଡ଼ାଇବାକୁ ରଥ ବ୍ୟବସ୍ଥାବଳିକୁ ପୂର୍ଣ୍ଣଭାବେ ଲାଗୁ କରିବାକୁ ସମସ୍ତ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ପୁରୀ ଜିଲ୍ଲାପାଳ। ଏବେ ଦେଖିବାର କଥା ଭୁଲରୁ ଶିଖି କେତେ ଦାୟିତ୍ବ ସଂପନ୍ନ ହେଉଛନ୍ତି ସେବାୟତ, ଆଉ କେତେ ଶୃଙ୍ଖଳିତ ହେଉଛି ବିଶ୍ୱନିୟନ୍ତାଙ୍କ ଘୋଷଯାତ୍ରା ବାକି ଥିବା ନୀତିକାନ୍ତି।

Lord Jagannath Puri Temple Ratha Jatra
Advertisment
Advertisment