• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

କେଉଁ ସ୍ଥାନର ରଥ ସବୁଠୁ ଉଚ୍ଚ ? ଏହାକୁ ନେଇ ଏବେ ବିବାଦ ତେଜିବାରେ ଲାଗିଛି । ଯାହାକୁ ନାପସନ୍ଦ କରିଛନ୍ତି ପୁରୀ ଗଜପତି ଦିବ୍ୟସିଂହଦେବ । ସେ କହିଛନ୍ତି, ପୁରୀ ହେଉଛି ମୂଳପୀଠ । ଏଠାକାର ରଥ ସବୁଠୁ ଉଚ୍ଚ ରହି ଆସିଛି । ପରମ୍ପରା ଅନୁସାରେ ପୁରୁଷୋତ୍ତମ କ୍ଷେତ୍ର ପୁରୀର ରଥଠାରୁ ଆଉ କେହି ଅଧିକ ଉଚ୍ଚର ରଥ ନିର୍ମାଣ କରନ୍ତି ନାହିଁ । ଗଡ଼ଜାତ ଅଞ୍ଚଳରେ ମଧ୍ୟ ଏହାକୁ ସବୁବେଳେ ପାଳନ କରାଯାଇଆସୁଛି । ଏହି ପରମ୍ପରାକୁ ଅକ୍ଷୂର୍ଣ୍ଣ ରଖାଯିବା ଉଚିତ ।

ସୂଚନାଯୋଗ୍ୟ, କେନ୍ଦୁଝରରେ ପୁରୀ ରଥଠାରୁ ଅଧିକ ଉଚ୍ଚର ରଥ ନିର୍ମାଣକୁ ବିରୋଧ କରାଯାଇଥିଲା । କିଛି ଦିନ ତଳେ ପୁରୀ ଆସି ବିରୋଧ କରିଥିଲେ କେନ୍ଦ୍ରାପଡ଼ା ତୁଳସୀ କ୍ଷେତ୍ର ବଳଦେବ ସେନା । ପୁରୀ ରଥଠାରୁ ଅଧିକ ଉଚ୍ଚର ରଥ ଯେମିତି ଆଉ କେଉଁଠି ନ ହୁଏ, ସେଥିପାଇଁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଶଙ୍କରାଚାର୍ଯ୍ୟ, ଗଜପତି ଓ ପୁରୀ ଜିଲ୍ଲାପାଳଙ୍କୁ ଦାବିପତ୍ର ଦେଇଥିଲେ । ସୂଚନା ଅନୁସାରେ କେନ୍ଦୁଝରରେ ଏଥର ୭୨ ଫୁଟ ଉଚ୍ଚର ରଥ ନିର୍ମାଣ କରାଯାଇଛି । ଏହା ଗିନିଜ୍‌ ବୁକ୍ ଅଫ୍ ରେକର୍ଡସରେ ସ୍ଥାନ ପାଇଥିବାର ଖବର ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଥିଲା । ଏହାକୁ ନାପସନ୍ଦ କରାଯାଇଥିଲା । ଏଭଳି ପ୍ରତିଯୋଗିତା ମନୋଭାବ ଠିକ୍ ନୁହେଁ ବୋଲି ମଧ୍ୟ କହିଥିଲେ ସେବାୟତ ।

ଅନ୍ୟପଟେ ଆଗାମୀ ରଥଯାତ୍ରାକୁ ଆଉ ସପ୍ତାହେରୁ କମ୍ ସମୟ ବାକିଥିବା ବେଳେ ପୁରୀ ରଥଖଳାରେ ରଥ କାମ ଜୋରସୋର୍‌ରେ ଚାଲିଛି । ତିନିରଥର ୨୪ ଗୋଟି ନାଟଗୋଡ଼ ସମସ୍ତ ଦୁଆର ବେଢାରେ ସଂଯୁକ୍ତ ହୋଇଛି । ତିନିରଥର ବିଜେ ଚକା ନିର୍ମାଣ ଶେଷ ହୋଇଛି । ପ୍ରଭାରେ ରୂପ ଖୋଦେଇ ଜାରି ରହିଥିବା ବେଳେ କନ୍ୟା ପଟାରେ ଚିତ୍ର ଅଙ୍କନ ଚାଲିଛି । କମାରଶାଳରେ ଘୋଡା ଓ ସାରଥିଙ୍କ ପାଇଁ ବାଗିଆ କଣ୍ଟା ଏବଂ ଶୁଆକଣ୍ଟା ନିର୍ମାଣ ହେଉଛି । ଏହା ବ୍ୟତୀତ ରଥ କନାରେ ଲେସ ଫିଟିଙ୍ଗ ସହ ଫୁଲ ପକା କାର୍ଯ୍ୟ ଚାଲିଛି ।

ସେପଟେ ଆଜି ମହାପ୍ରଭୁଙ୍କ ଅଣସରର ତ୍ରୟୋଦଶୀ ତିଥି । ଏହି ଅବସରରେ ମହାପ୍ରଭୁଙ୍କ ଘଣା ଏବଂ ଖଳି ପ୍ରସାଦ ଲାଗି ନୀତି କରାଯିବ । ଅଣସର ତ୍ରୟୋଦଶୀରେ ଘଣା ଲାଗି ଓ ଶ୍ରୀପୟର ମୁଦ ଉପଲକ୍ଷେ ପାଟଡୋର, ଖଳି ପ୍ରସାଦ ଓ ଖଡ଼ି ପ୍ରସାଦ ଲାଗି ହେବ । ଅଣସର ଗୃହରେ ସମ୍ପୂର୍ଣ୍ଣ ଗୋପନୀୟ ଭାବେ ଶ୍ରୀଜୀଉଙ୍କୁ ଘଣା ଲାଗି ପରେ ଖଳି ଲାଗି ଏବଂ ତାପରେ ଖଡ଼ି ଲାଗି ହେବ । ଆଜି ସନ୍ଧ୍ୟାରେ ଘଣ୍ଟ, ଛତା, କାହାଳି ସହ ଖଳି ପ୍ରସାଦ ଶୁଦ୍ଧ ସୁଆରଙ୍କ ଘରଠାରୁ ଶ୍ରୀମନ୍ଦିରକୁ ବିଜେ କରାଯିବ ।

ଶୁଦ୍ଧ ସୁଆରଙ୍କ ଦ୍ୱାରା ପ୍ରସ୍ତୁତ ଏହି ଦିବ୍ୟ ପ୍ରଲେପକୁ ରୁପା ପିଙ୍ଗଣରେ ରଖି ଦଇତାପତି ସେବକ ଶ୍ରୀଅଙ୍ଗରେ ଲାଗି କରିବେ । ଭିତର ଖଳି ଲାଗି ପୂର୍ବରୁ ପ୍ରଭୁଙ୍କ ଘଣା ଲାଗି ଗୋପନ ନୀତି ସଂପନ୍ନ ହେବ ।