Advertisment

କାଲି ଦାରୁ ଦିଅଁଙ୍କ ଦିବ୍ୟ ସ୍ନାନ; ଶ୍ରୀଜିଉଙ୍କ ଅପେକ୍ଷାରେ ସ୍ନାନବେଦୀ

ଆସନ୍ତାକାଲି ଶ୍ରୀମନ୍ଦିର ରତ୍ନବେଦୀ ଛାଡ଼ି ସ୍ନାନମଣ୍ଡପକୁ ଓହ୍ଲାଇ ଆସିବେ ଚତୁର୍ଦ୍ଧା ମୂରତି । ୧୦୮ ସୁବାସିତ ଜଳରେ ସ୍ନାନ କରିବେ ଶ୍ରୀଜିଉ। ଏଥିପାଇଁ ଜୋରଦାର ଚାଲିଛି ପ୍ରସ୍ତୁତି।

author-image
Sujit kumar Swain
ଅଦ୍ୟତନ ହୋଇଛି
undefined

Deba Snana Purnima

ରାତି ପାହିଲେ ଦେବସ୍ନାନ ପୂର୍ଣ୍ଣମୀ । ଶ୍ରୀମନ୍ଦିର ରତ୍ନବେଦୀ ଛାଡ଼ି ସ୍ନାନମଣ୍ଡପକୁ ଓହ୍ଲାଇ ଆସିବେ ଚତୁର୍ଦ୍ଧା ମୂରତି । ୧୦୮ ସୁବାସିତ ଜଳରେ ସ୍ନାନ କରିବେ ଶ୍ରୀଜିଉ। ଏଥିପାଇଁ ଜୋରଦାର ଚାଲିଛି ପ୍ରସ୍ତୁତି। କାଲି ଭୋର ୫ଟାରେ ପହଣ୍ଡି ପରେ ମଧ୍ୟାହ୍ନ ୧୨ଟା ୨୦ରେ ଜଳ ବିଜେ ନୀତି କରାଯିବ। ଅପରାହ୍ନ ସାଢ଼େ ୩ଟାରୁ ଠାକୁରଙ୍କୁ ହାତୀବେଶ କରାଯାଇ ଦର୍ଶନ ଆରମ୍ଭ ହେବ। ଏଥର ଶ୍ରୀକ୍ଷେତ୍ରରେ ଶୃଙ୍ଖଳିତ ଦର୍ଶନ, ଆଇନଶୃଙ୍ଖଳା ଓ ଟ୍ରାଫିକ୍ ନିୟନ୍ତ୍ରଣ ପାଇଁ ବ୍ୟାପକ ବ୍ୟବସ୍ଥା ହୋଇଛି।

Advertisment

କାଲି ଦାରୁ ଦିଅଁଙ୍କ ଦିବ୍ୟ ସ୍ନାନ । ସଜେଇ ହୋଇଛି ସ୍ନାନବେଦୀ । ତେଣେ ଚତୁର୍ଦ୍ଧା ମୂରତିଙ୍କୁ ୧୦୮ ଗରା ସୁବାସିତ ଜଳରେ ସ୍ନାନ ପାଇଁ ଶ୍ରୀମନ୍ଦିରରେ ଚାଲିଛି ଜୋରଦାର ପ୍ରସ୍ତୁତି। ସେବକଙ୍କୁ ତର ନାହିଁ। ଇତି ମଧ୍ୟରେ ଦଇତାପତି ସେବକ ମହାପ୍ରଭୁଙ୍କ ଶ୍ରୀଅଙ୍ଗ ସୁରକ୍ଷା ଲାଗି ସେନାପଟା ଓ ବାହୁଟକଣ୍ଟ ଭଳି ଗୁପ୍ତନୀତି 
ସାରିଛନ୍ତି। ତେଣେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ଥିରୀକୃତ ସ୍ନାନ ନୀତି ଅନୁସାରେ-ଶନିବାର ଭୋର୍ ୪ଟା ୩୦ରେ ମଙ୍ଗଳାର୍ପଣ ହୋଇ, ୫ଟାରୁ ଆରମ୍ଭ ହୋଇଯିବ ପହଣ୍ଡି। ସକାଳ ୭ଟା ସୁଦ୍ଧା ଶ୍ରୀଜୀଉମାନଙ୍କ ପହଣ୍ଡି ସାରି ଅନ୍ୟାନ୍ୟ ନୀତିକାନ୍ତି ବଢ଼ିବା ପରେ ମଧ୍ୟାହ୍ନ ୧୨ଟା ୨୦ରୁ ୧ଟା ୪୫ ଭିତରେ ହେବ ଜଳ ବିଜେ। ଅପରାହ୍ନ ୩ଟାରେ ଛେରା ପହଁରା ପରେ ୩ଟା ୪୦ରୁ ହାତୀବେଶ ଆରମ୍ଭ ହେବ। ସନ୍ଧ୍ୟା ୭ଟା ୩୦ରୁ ରାତି ୧୦ଟା ୩୦ ଯାଏଁ ସାହାଣ ମେଲା ଦର୍ଶନ ପାଇଁ ବି ସମୟ ଧାର୍ଯ୍ୟ ହୋଇଛି। ଦର୍ଶନ ସରିବା ପରେ ରାତି ୧୧ଟାରେ ହାତୀବେଶ ଓଲାଗି ହୋଇ ସାଢ଼େ ୧୧ଟାରୁ ୨ ମଧ୍ୟରେ ବାହୁଡ଼ା ପହଣ୍ଡି କରାଯିବ।

ସ୍ନାନ ନୀତି ପାଇଁ ଆଜି ସୁନା କୂଅରୁ ସଂଗୃହିତ ଜଳକୁ ଅଧିବାସ ଗୃହରେ ରଖାଯାଇଛି। ଗରାବଡୁ ସେବକମାନେ ଏହାକୁ ସ୍ନାନବେଦୀକୁ ଆଣିବା ପରେ ପଞ୍ଚଉପଚାର ବିଧିରେ ଠାକୁରମାଙ୍କୁ ଲାଗି କରାଯିବ | ଶ୍ରୀଜିଉଙ୍କ ଦୁର୍ଲଭ ସ୍ନାନ ଉତ୍ସବର ସାନିଧ୍ୟ ନେବାକୁ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି ଲକ୍ଷାଧିକ ଭକ୍ତ।

Advertisment

ଆସନ୍ତାକାଲି ଦେବସ୍ନାନ ପୂର୍ଣ୍ଣିମା ପାଇଁ ଶ୍ରୀକ୍ଷେତ୍ରରେ ଲାଗିଲାଣି ଗହଳି। ଏବର୍ଷ ଲକ୍ଷାଧିକ ଭକ୍ତଙ୍କ ଭିଡ଼କୁ ଦୃଷ୍ଟିରେ ରଖି ଶୃଙ୍ଖଳିତ ଦର୍ଶନ ଓ ସୁରକ୍ଷା ପାଇଁ ପୁରୀ ଜିଲ୍ଲା ପ୍ରଶାସନ ଓ ପୋଲିସ୍ ପ୍ରଶାସନ ପକ୍ଷରୁ ହୋଇଛି ବ୍ୟାପକ ବନ୍ଦୋବସ୍ତ। ପହଣ୍ଡି ସମୟରେ ଠାକୁରଙ୍କୁ ସ୍ପର୍ଶ ସମ୍ପୂର୍ଣ୍ଣ ବାରଣ କରାଯାଇଛି। ଏଥର ମାର୍କେଟଛକଠୁ ବ୍ୟାରିକେଡ୍ ବ୍ୟବସ୍ଥା ହୋଇଛି। ସେଠୁ ବ୍ୟାରିକେଡରେ ଭକ୍ତମାନେ ପ୍ରବେଶ କରି ସିଂହଦ୍ବାର ବାଟ ଦେଇ ସ୍ନାନବେଦୀକୁ ଦର୍ଶନ ପାଇଁ ଯିବେ। ପହଣ୍ଡି ସମୟରେ ଟିକେଟ୍ ଧାରୀ ଭକ୍ତ ଦକ୍ଷିଣ ଦ୍ବାରରେ ପ୍ରବେଶ କରିବେ। ମାର୍କେଟ ଛକରୁ ଆଗକୁ ନୋ-ଭେଇକିଲ୍ ଜୋନ୍ ଘୋଷଣା ହୋଇଛି। ପାର୍କିଂ ପାଇଁ ବି ବ୍ୟାପକ ବ୍ୟବସ୍ଥା ହୋଇଛି। 

ଭୁବନେଶ୍ୱରରୁ ଆସୁଥିବା ଯାନ ଗୁଡ଼ିକ ବୀରହରେକୃଷ୍ଣପୁର ବାଟ ଦେଇ ଶ୍ରୀସେତୁ ଉପରେ ଜଗନ୍ନାଥ ବଲ୍ଳଭ ପାର୍କିଂକୁ ଯିବେ। ଆଇନଶୃଙ୍ଖଳା, ସୁରକ୍ଷା ପାଇଁ ଏଥର ୪ଜଣ ଏସପି ରାଙ୍କ ଅଫିସର, ୧୨ ଜଣ ଅତିରିକ୍ତ ଏସପି, ୨୨ଜଣ ଡିଏସପିଙ୍କ ସହ ୬୮ ପ୍ଲାଟୁନରୁ ଅଧିକ ଫୋର୍ସ ମୁତୟନ ହେବେ। ପୋଲିସ୍ ପକ୍ଷରୁ ୧୧୨ ନମ୍ବରରେ ଏକ ହେଲପ୍ ଲାଇନ୍ ମଧ୍ୟ ଜାରି ହୋଇଛି। ସେପଟେ ସମୁଦ୍ର ସ୍ନାନ ଅଘଟଣ ରୋକିବାକୁ ବେଳାଭୂମିରେ ପର୍ଯ୍ୟାପ୍ତ ଲାଇଫଗାର୍ଡଙ୍କୁ ମୁତୟନ କରାଯାଇଛି।

ତେଣେ ମହାପ୍ରଭୁଙ୍କ ହାତୀବେଶ ପାଇଁ ରାଘବ ଦାସ ଓ ଗୋପାଳତୀର୍ଥ ମଠ ପକ୍ଷରୁ ସାମଗ୍ରୀ ପ୍ରସ୍ତୁତି ବି ଶେଷ ପର୍ଯ୍ୟାୟରେ ପହଞ୍ଚିଲାଣି। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକର୍ପିତ ହେବା ପରେ ପୂର୍ବବର୍ଷ ମାନଙ୍କ ଅପେକ୍ଷା ଏଥର ସ୍ନାନଯାତ୍ରାକୁ ଅଧିକ ସଂଖ୍ୟକ ଭକ୍ତ ଆସିବା ଅନୁମାନ କରାଯାଉଛି।

Jagannath Temple Deba Snana Purnima
Advertisment
Advertisment