• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ନୟାଗଡ଼ ଇଟାମାଟି ଦାଣ୍ଡରେ ଗଡ଼ିଲା ଶ୍ରୀଜଗନ୍ନାଥଙ୍କ ରଥ । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପରମ ଭକ୍ତ ଅଫତାବ ହୁସେନଙ୍କ ଉଦ୍ୟମରେ ଏହି ରଥଯାତ୍ରା ହୋଇଛି । ପ୍ରତିବର୍ଷ ନନ୍ଦିଘୋଷ ରଥ ନିର୍ମାଣ କରାଇ ନିଜ ଗାଁ ଦାଣ୍ଡରେ ରଥଯାତ୍ରା ଆୟୋଜନ କରନ୍ତି ଅଫତାବ । ହେଲେ ଦୁଇ ବର୍ଷ ହେଲା କରୋନା ପାଇଁ ତାହା ବନ୍ଦ ଥିଲା । ଏଥର କରୋନା କଟକଣା ହଟିବା ପରେ ଇଟାମାଟିରେ ଅଫତାବଙ୍କ ଉଦ୍ୟମରେ ମହାପ୍ରଭୁଙ୍କ ରଥଯାତ୍ରା ଆୟୋଜନ କରାଯାଇଥିଲା ।

ରଥ ତିଆରି ସହିତ ସଂପୂର୍ଣ୍ଣ ରୀତିନୀତିରେ ପୂଜାର୍ଚ୍ଚନା ସହିତ ରଥଯାତ୍ରା କରାଯାଇଛି । ଏଥିରେ ଗାଁର ବହୁ ଭକ୍ତ ଯୋଗ ଦେଇଥିଲେ । ସୁରୁଖୁରୁରେ ଶ୍ରୀଗୁଣ୍ଡିଚା ଯାତ୍ରା ହୋଇଛି । ଏଥିପାଇଁ ଖୁସି ପ୍ରକାଶ କରିଛନ୍ତି ଅଫତାବ ହୁସେନ । କରୋନା ପାଇଁ ୨୦୨୦ରେ ଯେତେବେଳେ ରାଜ୍ୟ ସରକାର ପୁରୀରେ ମଧ୍ୟ ରଥଯାତ୍ରା ବନ୍ଦ କରିବାକୁ ନିଷ୍ପତ୍ତି ନେଇଥିଲେ, ସେତେବେଳେ ଏହା ବିରୋଧରେ ସୁପ୍ରିମକୋର୍ଟ ଯାଇଥିଲେ ଅଫତାବ । 

ସେହିଭଳି ବାଲେଶ୍ୱର ନୀଳଗିରିରେ ରଥ ଭାଙ୍ଗିବାକୁ ନେଇ ଉତ୍ତେଜନା । ରାତି ସୁଦ୍ଧା ଭଙ୍ଗାରଥକୁ ନିର୍ମାଣ କରିବା ଦାବି କରି ନୀଳଗିରି ଠାକୁର ମହଲ ଅଫିସ ସାମ୍ନାରେ ଧାରଣା ଦେଇଛନ୍ତି ଗ୍ରାମବାସୀ । ଆଜି ରଥଟଣା ବେଳେ ଏହି ଅଘଟଣ ଘଟିଥିଲା । ନୀଳଗିରି ଅଞ୍ଚଳର ଗରଡ଼ିହିରେ ସର୍ବ ପୁରାତନ ରଥ ଭାଙ୍ଗି ଯାଇଥିବା ଦେଖିବାକୁ ମିଳିଥିଲା । ପୁରୁଣା କାଠରେ ରଥ ନିର୍ମାଣ ହୋଇଥିବାରୁ ଏହା ଭାଙ୍ଗି ଯାଇଥିବା ଅଭିଯୋଗ ହୋଇଛି । ଠାକୁର ମହଲ ପକ୍ଷରୁ ନୂଆ କାଠ ଯୋଗାଇ ଦିଆଯାଇନଥିବା ବେଳେ ରଥ ଭାଙ୍ଗିଥିବା ଲୋକେ ଅଭିଯୋଗ କରିଛନ୍ତି ।

ସେପଟେ ବାଲେଶ୍ୱର ବସ୍ତାରେ ରଥଟଣା ବେଳେ ଅଘଟଣ । ରଥରେ ବିଦ୍ୟୁତ ତାର ଲାଗିବାରୁ ଜଣକର ମୃତ୍ୟୁ, ୭ ଗୁରୁତର । ବସ୍ତା ଥାନା ଖୁଡ଼ିଆଳ ଗାଁରେ ଆଜି ଲୋକେ ରଥ ଟାଣିବା ବେଳେ ମଠସାହି ଛକ ନିକଟରେ ରଥଟି ୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଯାଇଥିଲା । ରଥଟି ବର୍ଷାରେ ଓଦା ହୋଇଥିବାରୁ ରଥକୁ ଛୁଇଁଥିବା ଲୋକେ ବିଦ୍ୟୁତ ଆଘାତ ପାଇ ଆହତ ହୋଇଥିଲେ । ସେମାନଙ୍କ ମଧ୍ୟରୁ ୮ ଜଣ ଗୁରୁତର ହେବାରୁ ସେମାନଙ୍କୁ ତୁରନ୍ତ ଆମ୍ବୁଲାନ୍ସ ଯୋଗେ ବସ୍ତା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା । ତେବେ ସେଠାରେ ଜଣଙ୍କର ମୃତ୍ୟୁ ହୋଇଥିଲା । ମୃତକ ସ୍ଥାନୀୟ ଆରଗଡ଼ା ଗାଁର ଅନୀଲ କୁମାର ସାହୁ ।