/odishatv-khabar/media/post_attachments/uploadimage/library/16_9/16_9_0/IMAGE_1687955658.jpg)
Ratha Jatra 2023 Suna Besa
ଜନ୍ମବେଦୀରେ ନବଦିନାତ୍ମକ ଲୀଳାଖେଳା ସାରି ବାହୁଡ଼ିଛନ୍ତି ମହାବାହୁ। ଆଜି ରଥାରୁଢ ଶ୍ରୀବିଗ୍ରହଙ୍କ ସୁନାବେଶ ନୀତି ଅନୁଷ୍ଠିତ ହେବ। ମହଣ ମହଣ ସୁନାରେ ଝଟକିବେ ଚତୁର୍ଦ୍ଧାମୂର୍ତ୍ତି। ରଥ ଉପର ସୁନାବେଶରେ ଠାକୁରେ ଶ୍ରୀଭୁଜ, ଶ୍ରୀପୟର, ରତ୍ନପଦକ, ରତ୍ନକିରୀଟ, କାନଫୁଲ, ମର୍କତ ମୁକୁଟ, ପଦ ବଲ୍ଲବ, ମୁଦି, କଣ୍ଠିମାଳା, ମର୍କତ ଜାଉଁଳି, ବଳା, ବାହୁଟି ଆଦି ୧୩୮ ପ୍ରକାର ରତ୍ନଖଚିତ ସ୍ୱର୍ଣ୍ଣ ଅଳଙ୍କାର ପରିଧାନ କରିବେ।
ମହାବାହୁଙ୍କ ସୁନାବେଶ ଦେଖିବା ନେଇ ପୁରୀ ବଡଦାଣ୍ଡରେ ଲକ୍ଷାଧିକ ଭକ୍ତଙ୍କ ଜନସମାଗମ ହୋଇଥାଏ। ପ୍ରବଳ ଭିଡ ଭିତରେ ପ୍ରିୟ ଠାକୁରଙ୍କ ଟିକିଏ ଝଲକ ପାଇବା ପାଇଁ ସମସ୍ତେ ହେଉଥାନ୍ତି ବ୍ୟାକୁଳ। ଭିଡ ଓ ଠେଲାପେଲାକୁ ନଥାଏ ଭୟ। ସେ ଯାହା ହେଇଯାଉ ପଛେ କାଳିଆ ଠାକୁରକୁ ଏହି ଅପୂର୍ବ ବେଶରେ ଦେଖି ନିଜକୁ ଧନ୍ୟ କରିବାକୁ ଚାହାନ୍ତି ପ୍ରତ୍ୟେକ ଭକ୍ତ।
ଆଜି ସେହି ମହାନ ଓ ପବିତ୍ର ମୁହୂର୍ତ୍ତର ଦିନ। ରଥରେ ସୁନାରେ ସଜ୍ଜେଇ ହୋଇ ରାଜା ପରି ଦିଶିବେ ବିଶ୍ୱନିୟନ୍ତା ପ୍ରଭୁ ଜଗନ୍ନାଥ। ପ୍ରତି ଓଡିଆଙ୍କ ମନର ରାଜା ଆଜି ସମସ୍ତଙ୍କ ସମ୍ମୁଖରେ ଧାରଣ କରିବେ ରାଜରାଜେଶ୍ୱର ରୂପ। କିଏ ବା ଏହାକୁ ହାତ ଛଡା କରିବ। ଏନେଇ ଦେଶ ବିଦେଶରୁ ଛୁଟିଆସିଛନ୍ତି ଲକ୍ଷ ଲକ୍ଷ ଭକ୍ତ। ଆଜି ରଥ ଉପରେ ଦର୍ଶନ କରିବେ କାଳିଆର ସୁନବେଶକୁ।
ଅଧିକ ପଢ଼ନ୍ତୁ: ଜଗନ୍ନାଥ ମନ୍ଦିରକୁ ସୁବର୍ଣ୍ଣ ମନ୍ଦିର ଠାରୁ ବି ଅଧିକ ସୁନା ଦାନ କରିଥିଲେ ଏହି ରାଜା; ଜାଣନ୍ତୁ କିଏ....
କାର୍ତ୍ତିକ ପୂର୍ଣ୍ଣିମା, କୁମାର ପୂର୍ଣ୍ଣିମା, ଦୋଳ ପୂର୍ଣ୍ଣିମା ଓ ଦଶହରା (ବିଜୟ ଦଶମୀ)ରେ ମଧ୍ୟ ଶ୍ରୀମନ୍ଦିର ରତ୍ନସିଂହାସନରେ ଠାକୁରଙ୍କ ସୁନାବେଶ ହୋଇଥାଏ। ଏହାକୁ ସମସ୍ତେ ଦେଖି ପାରୁ ନଥିବା ବେଳେ ରଥ ଉପରେ ଠାକୁରଙ୍କ ସୁନାବେଶ ଦେଖି ବିଶ୍ୱବାସୀ ଅସରନ୍ତି ଆନନ୍ଦ ଲାଭକରିବେ। ଏଥିପାଇଁ ଚଳଚଞ୍ଚଳ ହୋଇଉଠିଛି ବଡଦାଣ୍ଡ। ଭକ୍ତଙ୍କ ଗହଳିରେ ଉଛୁଳି ଉଠିଛି ଶ୍ରୀକ୍ଷେତ୍ର।
ଶ୍ରୀଜୀଉମାନଙ୍କର ମଧ୍ୟାହ୍ନ ଧୂପ ଶେଷ ହେବା ପରେ, ଅପରାହ୍ଣରେ ତିନିରଥ ଉପରେ ସୁନାବେଶ ଅନୁଷ୍ଠିତ ହୋଇଥାଏ। ଶ୍ରୀଜୀଉମାନେ ସୁନାବେଶରେ ପ୍ରାୟ ୬ଘଣ୍ଟା ପର୍ଯ୍ୟନ୍ତ ଭକ୍ତମାନଙ୍କୁ ଦର୍ଶନ ଦିଅନ୍ତି। ଭିତରଚ୍ଛ ମହାପାତ୍ର ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବାଡ଼ରେ, ତଳିଚ୍ଛ ମହାପାତ୍ର ବଡ଼ଠାକୁର ଶ୍ରୀବଳଭଦ୍ରଙ୍କ ବାଡ଼ରେ ଓ ପୁଷ୍ପାଳକ ସେବାୟତ ଦେବୀ ସୁଭଦ୍ରାଙ୍କ ବାଡ଼ରେ ଯଥାକ୍ରମେ ନନ୍ଦିଘୋଷ, ତାଳଧ୍ୱଜ ଓ ଦର୍ପଦଳନ ରଥରେ ଶ୍ରୀବିଗ୍ରହମାନଙ୍କୁ ସୁନାବେଶରେ ସଜ୍ଜିତ କରିବାର ପରମ୍ପରା ରହିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)