Advertisment

Ratha Jatra 2023: ଶ୍ରୀଜଗନ୍ନାଥଙ୍କ ସୁନାବେଶ: ରୀତିନୀତି ଓ ବେଶଭୁଷାରେ ରାଜକୀୟ ଠାଣି

ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ବିଭିନ୍ନ ବେଶ ମଧ୍ୟରେ ସୁନାବେଶ ଅନ୍ୟତମ, ଯାହାକି ଅତ୍ୟନ୍ତ ଉପଭୋଗ୍ୟ ଓ ଆକର୍ଷଣୀୟ। ଏହାକୁ ‘ରାଜାଧିରାଜ’ ବେଶ ମଧ୍ୟ କୁହାଯାଏ। ଏହାକୁ ଦର୍ଶନ କରିବା ନେଇ ଶ୍ରୀକ୍ଷେତ୍ର ପାଲଟେ ଜନ ସମୁଦ୍ର।

author-image
Pramod Behera
ଅଦ୍ୟତନ ହୋଇଛି
Ratha Jatra 2023 Suna besa of lord Jagannath

Ratha Jatra 2023 Suna besa of lord Jagannath

ମହାପ୍ରଭୁ ହେଉଛନ୍ତି ମାଧୁର୍ଯ୍ୟ ଓ ଐଶ୍ୱର୍ଯ୍ୟର ମିଳିତ ବିଗ୍ରହ। ଶ୍ରୀଜଗନ୍ନାଥ ହେଉଛନ୍ତି ‘ରାଜାଧିରାଜ’। ଏନେଇ ରୀତିନୀତି ଓ ବେଶଭୁଷାରେ ଦେଖିବାକୁ ମିଳେ ରାଜକୀୟ ଠାଣି। ଠାକୁରଙ୍କ ସୁନାବେଶ ଏହା ହିଁ ଦର୍ଶାଏ। ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ବିଭିନ୍ନ ବେଶ ମଧ୍ୟରେ ସୁନାବେଶ ଅନ୍ୟତମ, ଯାହାକି ଅତ୍ୟନ୍ତ ଉପଭୋଗ୍ୟ ଓ ଆକର୍ଷଣୀୟ। ଏହାକୁ ‘ରାଜାଧିରାଜ’ ବେଶ ମଧ୍ୟ କୁହାଯାଏ। ଏହାକୁ ଦର୍ଶନ କରିବା ପାଇଁ ଶ୍ରୀକ୍ଷେତ୍ର ପାଲଟେ ଜନ ସମୁଦ୍ର।

Advertisment

ଶ୍ରୀମନ୍ଦିରସ୍ଥ ରତ୍ନସିଂହାସନ ଉପରେ ଶ୍ରୀବିଗ୍ରହମାନେ ବିଭିନ୍ନ ତିଥିରେ ଯଥା- କାର୍ତ୍ତିକ ପୂର୍ଣ୍ଣିମା, କୁମାର ପୂର୍ଣ୍ଣିମା, ଦୋଳ ପୂର୍ଣ୍ଣିମା, ଦଶହରା ପ୍ରଭୃତି ଦିନଗୁଡିକରେ ରାଜବେଶ, ରାଜା ରାଜେଶ୍ୱର ଇତ୍ୟାଦି ସୁନାବେଶରେ ସଜ୍ଜିତ ହେଉଥିଲେ ହେଁ ଶ୍ରୀଗୁଣ୍ଡିଚା ରଥଯାତ୍ରାର ଅନ୍ତିମ ଦିନରେ ଅର୍ଥାତ ଆଷାଢ଼ ଶୁକ୍ଲ ଏକାଦଶୀ ଦିନ ସିଂହଦ୍ୱାରଠାରେ ଦଣ୍ଡାୟମାନ ଥିବା ତ୍ରିରଥ ଉପରେ ଆକର୍ଷଣୀୟ ସୁନାବେଶ ହୋଇ ଲକ୍ଷ ଲକ୍ଷ ଭକ୍ତଙ୍କୁ ଦର୍ଶନ ଦେଇଥାନ୍ତି।

କ’ଣ କୁହେ ଇତିହାସ:

ରାଜା ଅନଙ୍ଗଭୀମ ଦେବ:

ଶିଳାଲେଖରେ ଉଲ୍ଲେଖ ରହିଛି ରାଜା ଅନଙ୍ଗଭୀମ ଦେବ (୧୨୧୧-୧୨୩୮) ଓଡ଼ିଆଙ୍କ ପରମ ଆରାଧ୍ୟ ଶ୍ରୀଜଗନ୍ନାଥଙ୍କୁ ରାଷ୍ଟ୍ରଦେବତାରୂପେ ଘୋଷଣା କରିଥିଲେ। ରାଜା ମହାରାଜାମାନେ ପ୍ରଭୁଙ୍କ ଆଦେଶ ବାହକ ସେବକ ରୂପେ ସେବା କରୁଥିଲେ। କିଛି ରାଜା ମହାପ୍ରଭୁଙ୍କୁ ଓଡ଼ିଶାର ରାଜା ରୂପେ ଘୋଷଣାକରି ରାଜଭିଷେକ ମଧ୍ୟ କରିଥିଲେ। କିଛି ଗବେଷକଙ୍କ ମତରେ ରାଜା ଅନଙ୍ଗଭୀମ ଦେବ ପବିତ୍ର ଆଷାଢ଼ ଏକାଦଶୀ ତିଥିରେ ସୁନାବେଶ କରାଇଥିଲେ।

Advertisment

ରାଜା କପିଳେନ୍ଦ୍ର ଦେବ:

କେତେକ ଗବେଷକଙ୍କ ମତରେ ରଥ ଉପରେ ଠାକୁରମାନଙ୍କ ଏହି ବେଶର ନାମ ‘ବଡ଼ତଢାଉ ବେଶ’ । ବଡ଼ତଢାଉ ବେଶ ମତରେ କପିଳେନ୍ଦ୍ର ଦେବ ୧୪୬୦ରେ ଦକ୍ଷିଣ ବିଜୟରୁ ଫେରିବା ବେଳେ ୧୬ଟି ହାତୀ ପିଠିରେ ବୋଝେଇ ସୁନା ଅଳଙ୍କାର ଆଣିଥିଲେı ଏହାକୁ ମହାପ୍ରଭୁଙ୍କୁ ସମର୍ପଣ କରିଥିବା ନେଇ ଜୟବିଜୟ ଦ୍ୱାରସ୍ଥିତ ଶିଳାଲେଖରେ ସୂଚନା ରହିଛି।

ଅଳଙ୍କାର ସମ୍ପର୍କରେ ରାଜା ବଡ଼ତଢାଉଙ୍କ ପରାମର୍ଶ ନେଇଥିଲେ। ରତ୍ନବେଦିରେ ମହାପ୍ରଭୁଙ୍କ ବିଭିନ୍ନ ବେଶକୁ ସବୁ ବର୍ଗରେ ଭକ୍ତ ଦର୍ଶନ କରି ପାରୁନାହାନ୍ତି, ତେଣୁ ରଥ ଉପରେ ସବୁବର୍ଗର ଦର୍ଶନ ପାଇଁ ମହାପ୍ରଭୁଙ୍କ ସୁନାବେଶ କରେଇବାକୁ ବଡ଼ତଢାଉ ରାଜାଙ୍କୁ ଅନୁରୋଧ କରିଥିଲେ। ଦକ୍ଷିଣାଭିମୁଖୀ ଯାତ୍ରାରେ ତିନି ରଥ ସିଂହଦ୍ୱାରରେ ପହଞ୍ଚିବା ପରେ ବଡ଼ ଏକାଦଶୀ ଦିନ ରଥ ଉପରେ ସୁନାବେଶ କରିବାକୁ ରାଜା ଅନୁମତି ଦେଇଥିଲେ।

କିପରି ହୁଏ ସୁନାବେଶ:

ପ୍ରତିବର୍ଷ ଆଷାଢ଼ ଶୁକ୍ଳ ଏକାଦଶୀ ଦିନ ମଧ୍ୟାହ୍ନ ଧୂପ ଶେଷ ହେବା ପରେ ରଥ ଉପରେ ଚତୁର୍ଦ୍ଧାମୂର୍ତ୍ତିଙ୍କର ସୁନାବେଶ ଅନୁଷ୍ଠିତ ହୋଇଥାଏ। ଏହି ସୁନାବେଶ ସାମଗ୍ରୀ ଭଣ୍ଡାର ଘରୁ ପାଳିଆ ମେକାପ, ଖୁଣ୍ଟିଆ ସେବକ, ମାଜିଷ୍ଟ୍ରେଟ୍‌, ପୋଲିସ୍‌, ମନ୍ଦିର ଅଧିକାରୀ ତଥା ଗାରଦ କର୍ମଚାରୀମାନଙ୍କ ସହାୟତାରେ ତିନି ରଥ ଉପରକୁ ଆସିଥାଏ। ପାଳିଆ ପୁଷ୍ପାଳକ, ଦଇତାପତି, ଖୁଣ୍ଟିଆ ମେକାପ, ତଳୁଚ୍ଛ, ଭିତରଚ୍ଛ ପ୍ରଭୃତି ସେବକମାନେ ଉପସ୍ଥିତ ରହି ଶ୍ରୀବିଗ୍ରହମାନଙ୍କ ସୁନାବେଶ କରିଥାନ୍ତି।

ଶ୍ରୀଜିଉମାନଙ୍କର ଅଳଙ୍କାର:

ଶ୍ରୀଜଗନ୍ନାଥ-

କିରିଟ, ଶ୍ରୀପୟର, ଶ୍ରୀଭୁଜ, ସ୍ୱର୍ଣ୍ଣ ଚକ୍ର ଓ ରୌପ୍ୟ ଶଙ୍ଖ, ଓଢିଆଣୀ, ଚନ୍ଦ୍ରସୂର୍ଯ୍ୟ, ଆଡ଼କାନି, ଘାଗଡ଼ା, ମାଳି, କଦମ୍ବ ମାଳି, ବାହାଡ଼ା ମାଳି, ତାବିଜ ମାଳି, ସେବତୀ ମାଳି, ତିଳକ, ଚନ୍ଦ୍ରିକା, ଅଳକା, ଝୋବାକଣ୍ଠି, ତ୍ରିଖଣ୍ଡିକା, କମରପଟି।

ଶ୍ରୀବଳଭଦ୍ର-

କିରିଟ, ଶ୍ରୀପୟର, ଶ୍ରୀଭୁଜ, ହଳ ଓ ମୂଷଳ, ଓଢିଆଣୀ, କୁଣ୍ଡଳ, ଚନ୍ଦ୍ରସୂର୍ଯ୍ୟ, ଆଡ଼କାନି, ଘାଗଡ଼ା ମାଳି, କଦମ୍ବ ମାଳି, ବାହାଡ଼ା ମାଳି, ବାଘନଖ ମାଳି, ସେବତୀ ମାଳି, ତିଳକ, ଚନ୍ଦ୍ରିକା, ଅଳକା, ଝୋବାକଣ୍ଠି, ତ୍ରିଖଣ୍ଡିକା, କମରପଟି।

ଦେବୀ ସୁଭଦ୍ରା-

କିରୀଟ, ଓଢ଼ିଆଣୀ, କାନ, ଚନ୍ଦ୍ରସୂର୍ଯ୍ୟ, ଘାଗଡ଼ା ମାଳି, କଦମ୍ବ ମାଳି, ସେବତୀ ମାଳି, ତଗଡ଼ି-୨ଟି।

Ratha Jatra
Advertisment
Advertisment