• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଶରଧାବାଲିରେ ରଥାରୁଢ଼ ତିନି ଦିଅଁଙ୍କୁ ଦେଖି ବିଭୋର ଭକ୍ତ । ଆଜି ଗୁଣ୍ଡିଚା ମନ୍ଦିରର ଆଡ଼ପ ମଣ୍ଡପକୁ ବିଜେ କରିବେ ଶ୍ରୀଜୀଉ । ସନ୍ଧ୍ୟା ଧୂପ ଶେଷ ହେବା ପରେ ଚାରମାଳ ବନ୍ଧାଯିବ ଏବଂ ଜନ୍ମବେଦୀକୁ ପହଣ୍ଡିରେ ବିଜେ କରିବେ ଚତୁର୍ଦ୍ଧାମୂର୍ତ୍ତି । ମଦନ ମୋହନ, ରାମକୃଷ୍ଣ, ଶ୍ରୀ ସୁଦର୍ଶନ, ବଡ଼ଭାଇ ବଳଭଦ୍ର, ଦେବୀ ସୁଭଦ୍ରା ଏବଂ ଶେଷରେ ଶ୍ରୀଜଗନ୍ନାଥ ମହାପ୍ରଭୁ ଗୋଟି ପହଣ୍ଡିରେ ଆଡ଼ପ ମଣ୍ଡପ ବିଜେ କରିବେ ।

ସେପଟେ ଗୁଣ୍ଡିଚା ମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ବେଳେ ଶ୍ରଦ୍ଧାଳୁଙ୍କ ସୁବିଧାକୁ ଦିଆଯାଇଛି ବିଶେଷ ଗୁରୁତ୍ୱ । ଗର୍ଭଗୃହରେ ଶୀତତାପ ନିୟନ୍ତ୍ରିତ ବ୍ୟବସ୍ଥା କରାଯାଇଛି । ଏପଟେ ଆଜିଠୁ ଶ୍ରୀମନ୍ଦିର ଗର୍ଭଗୃହର ଆବଶ୍ୟକୀୟ ମରାମତି ପାଇଁ ଶ୍ରୀମନ୍ଦିର ବୈଷୟିକ କମିଟି ସଦସ୍ୟଙ୍କ ସହ ପ୍ରତ୍ନତତ୍ତ୍ୱ ବିଭାଗ ଅଧିକାରୀ ଯାଞ୍ଚ କରିବେ ।

ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ରଥଯାତ୍ରା ସମୟରେ ଏହି ଯାଞ୍ଚ ଓ ଆବଶ୍ୟକ ସ୍ଥଳେ ମରାମତି କାର୍ଯ୍ୟ କରାଯିବ। ଅଧରପଣା ନୀତି ପୂର୍ବରୁ ଏହି ପ୍ରକ୍ରିୟାକୁ ସାରିବାକୁ ଲକ୍ଷ୍ୟ ରଖାଯାଇଥିବା କହିଛନ୍ତି ଶ୍ରୀମନ୍ଦିର ବୈଷୟିକ କମିଟିର କାର୍ଯ୍ୟକାରୀ ସଭାପତି ତଥା ପୂର୍ତ୍ତ ବିଭାଗ ଇଞ୍ଜିନିୟର ମୁଖ୍ୟ ଡକ୍ଟର ଏନ୍.ସି. ପାଲ୍ ।

ସେପଟେ ଆଜି ଅଧାବାଟରୁ ପୁଣି ଗଡ଼ିବ କେନ୍ଦ୍ରାପଡ଼ାର ଆରାଧ୍ୟ ଶ୍ରୀ ବଳଦେବଜୀଉଙ୍କ ବ୍ରହ୍ମ ତାଳଧ୍ୱଜ ରଥ । ଗତକାଲି ଦେବୋତ୍ତର କାର୍ଯ୍ୟାଳୟ ପାଖରେ ବାମ ମୋଡ଼ ନେଇ ଅଧାରେ ଅଟକିଥିଲା ରଥ । ଏହାପରେ ହାଇଡ୍ରୋଲିକ୍ ଜ୍ୟାକ୍ ସାହାଯ୍ୟରେ ରଥକୁ ଟ୍ରାକକୁ ଆଣିବାକୁ ଉଦ୍ୟମ କରାଯାଇଥିଲା ।

ଆଜି ପୁଣି ରଥକୁ ଟାଣି ମାଉସୀ ମାଆ ମନ୍ଦିରକୁ ନେବେ ଶ୍ରଦ୍ଧାଳୁ । ଭିଡ଼କୁ ନଜରରେ ରଖି ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ସେପଟେ ବାରିପଦାରେ ବି ଗତକାଲି ଅଧାରେ ଅଟକିଥିଲା ରଥ । ପ୍ରଥମେ ବଡ଼ ଠାକୁର ବଳଭଦ୍ରଙ୍କ ରଥ ଟଣାହୋଇଥିଲା । ପରେ ଦେବୀ ସୁଭଦ୍ରାଙ୍କ ରଥକୁ ଟଣାଯାଇଥିଲା ।

ମହିଳାମାନେ ଦେବୀ ସୁଭଦ୍ରାଙ୍କ ରଥକୁ ଟାଣି ନେଇଥିଲେ । ଏଥିରେ ସାମିଲ ହୋଇଥିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ତେବେ ସଂଧ୍ୟା ହୋଇଯିବାରୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଟଣା ବନ୍ଦ ରହିଛି । ଆଜି ପୁଣିଥରେ ରଥଟଣା ହେବ । କେବଳ ଓଡ଼ିଶା କି ଭାରତରେ ନୁହେଁ, ସୁଦୂର ଆୟର୍ଲାଣ୍ଡରେ ବି ପାଳନ ହୋଇଛି ରଥଯାତ୍ରା । ପ୍ରବାସୀ ଓଡ଼ିଆ ମାନେ ଏକାଠି ହୋଇ ବେଦିକ୍ ହିନ୍ଦୁ କଲ୍ଚରାଲ୍ ସେଣ୍ଟର ଆୟର୍ଲାଣ୍ଡ୍ ବା VHCCI ପକ୍ଷରୁ ଆୟୋଜିତ ରଥଯାତ୍ରାକୁ ଖୁବ୍ ଆନନ୍ଦର ସହ ପାଳନ କରିଥିଲେ ।

ଏଥିରେ ଯୋଗ ଦେଇଥିଲେ ୮ଶହରୁ ଅଧିକ ଶ୍ରଦ୍ଧାଳୁ । ନିଜ ଦେଶଠୁ ଏତେ ଦୂରରେ ଥାଇ ବିଦେଶ ମାଟିରେ ଓଡ଼ିଆ ପରଂପରାକୁ ପାଳନ କରାଯିବାର ନିଆରା ଦୃଶ୍ୟ ଅନେକଙ୍କ ଦୃଷ୍ଟି ଆକର୍ଷଣ କରିଥିଲା । ଏଥିରେ ମରାଠା ହିନ୍ଦୁ ସୋସାଇଟି ମଧ୍ୟ ଯୋଗ ଦେଇଥିଲେ ।

OTV is now on Whatsapp

Join and get latest news update delivered to you via whatsapp

Join Now