Advertisment

Ratha Jatra 2024: କାଳିଆ ସେବା ଆଗରେ ହାର ମାନିଛି ବୟସ, ୯୬ ବର୍ଷ ବୟସରେ ବୁଣୁଛନ୍ତି ଶ୍ରୀଜିଉଙ୍କ ଅଙ୍ଗବସ୍ତ୍ର

ବୟସ ସିନା ୯୬ ହେଲେ କାଳିଆ ସେବା ତାଙ୍କ ଦେହରେ ଭରି ଦେଇଛି ଯୁଆନ ଫୂର୍ତ୍ତି । ପରିଣତ ବୟସରେ ମଧ୍ୟ ଶ୍ରୀଜିଉଙ୍କ ସେବାରେ ସମର୍ପିତ ଆଶେଲିଙ୍କ ହାତକୁ ତର ନାହିଁ।

author-image
Santosh Kumar Sahoo
ଅଦ୍ୟତନ ହୋଇଛି
Preparation of atrire of Lord Jagannath Underway

Preparation of atrire of Lord Jagannath Underway

ବୟସ ୯୬ ବର୍ଷ ଛୁଇଁଲାଣି । ଚମ ଧୁଡୁଧୁଡୁ ହେଲାଣି। ଆଖିକୁ ନା ଭଲରେ ଦିଶୁଛି ନାଁ କାନକୁ ଶୁଭୁଛି । ଅଣ୍ଟା ବି ନଇଁଗଲାଣି । ହେଲେ ମାଉସୀର ମନ କାଳିଆ ସାଆନ୍ତ ପାଖରେ । ଏ ବୟସରେ ବି ସେ ପାଟ ବୁଣୁଛି, ତା କାଳିଆ ସାଆନ୍ତ ପିନ୍ଧିବ ବୋଲି । ଜଗା ପାଇଁ ବସ୍ତ୍ର ଟିକିଏ ନ ବୁଣିଲେ ଏବେ ବି ମାଉସୀ ଆଖିକୁ ନିଦ ଆସୁନି।

Advertisment

ଖୋର୍ଦ୍ଧା ରାଉତପଡା ନିବାସୀ ଆଶେଲି ଦାସ । ଶ୍ରୀଜିଉଙ୍କ ଅଙ୍ଗବସ୍ତ୍ର ବୁଣୁଥିବା ଜଣେ ବୟୋଜ୍ୟେଷ୍ଠା ବୁଣାକାର । ବୟସ ସିନା ୯୬ ହେଲେ କାଳିଆ ସେବା ତାଙ୍କ ଦେହରେ ଭରି ଦେଇଛି ଯୁଆନ ଫୂର୍ତ୍ତି । ପରିଣତ ବୟସରେ ମଧ୍ୟ ଶ୍ରୀଜିଉଙ୍କ ସେବାରେ ସମର୍ପିତ ଆଶେଲିଙ୍କ ହାତକୁ ତର ନାହିଁ। ସକାଳ ପହରୁ ନିଜ ନିତ୍ୟକର୍ମ ସାରି ଅରଟ ପାଖରେ ବସି ପଡନ୍ତି ଆଶେଲି। ଥର ଥର ହାତରେ ବବିନରେ ସୁତା ଗୁଡେଇ ପ୍ରଭୂଙ୍କ କାମରେ ଲାଗିପଡିଥାନ୍ତି।

ପଢନ୍ତୁ ଏହି ଖବର: Ratha Jatra 2024: କାହିଁକି ହୁଏ ମହାପ୍ରଭୁଙ୍କ ଶ୍ରୀଗୁଣ୍ତିଚା ଯାତ ? ଜାଣନ୍ତୁ ରଥଯାତ୍ରାର ବିଧି ସମ୍ପର୍କିତ କିଛି ତଥ୍ୟ...

Advertisment

    ଘଡଘଡ ହୋଇ ଚାଲିଛି ଅରଟ। ଚାଲିଛି ଶ୍ରୀଜିଉଙ୍କ ଅଙ୍ଗ ବସ୍ତ୍ର ପ୍ରସ୍ତୁତି। କାମରେ ଲାଗିଛନ୍ତି ଶତାଧିକ ବୁଣାକାର। କିଏ ସୁତା ଗୁଡାଇ ତନ୍ତକୁ ଦେଉଛି ତ ଆଉ କିଏ ତନ୍ତରେ ବୁଣୁଛି ଲୁଗା। ଶ୍ରୀମନ୍ଦିର ପ୍ରଶାସନର ବରାଦ ମୁତାବକ ଚତୁର୍ଦ୍ଧାମୂର୍ତ୍ତିଙ୍କର ଦୈନଦିନ ନିତିକାନ୍ତିରେ ବ୍ୟବହାର ପାଇଁ ପ୍ରସ୍ତୁତ ହେଉଛି ଅଙ୍ଗ ବସ୍ତ୍ର । ଗୀତ ଗୋବିନ୍ଦ ଖଣ୍ଡୁଆ ପାଟଠାରୁ ଆରମ୍ଭ କରି ନେତ ଖଣ୍ଡୁଆ, ନେତ ପୁଟା, ବାରହାତି ଗଡା, ଷୋଳହାତି ଗଡା, ବୋଇରାଣି, ପତନି, ଟଣା ଖୋସା, ଶ୍ରୀମୁଖ ଓତା ଭଳି ଅନେକ ଅଙ୍ଗ ବସ୍ତ୍ର ବୁଣୁଛନ୍ତି ବୁଣାକାର । ଏଥି ସହିତ ପବିତ୍ର ଘୋଷ ଯାତ୍ରା ପାଇଁ ଆବଶ୍ୟକ ସମସ୍ତ ବସ୍ତ୍ର ମଧ୍ୟ ପ୍ରସ୍ତୁତି ଚାଲିଛି ।

    ଏ ବସ୍ତ୍ର ଭିତରେ ମହାପ୍ରଭୁଙ୍କ ପ୍ରିୟ ହେଉଛି ଗୀତ ଗୋବିନ୍ଦ ପାଟ । ସୂତା ଦ୍ୱାରା ଟିକିନିକି କରି ପାଟ ଉପରେ ଗୀତ ଗୋବିନ୍ଦ ଲେଖନ୍ତି ବୁଣାକାର । ମହାପ୍ରଭୁଙ୍କୁ ବସ୍ତ୍ର ଯୋଗାଇ ଦେଉଥିବାରୁ ଆନନ୍ଦର ଅନୁଭବ କରୁଛନ୍ତି ସେମାନେ । ଆଉ ଦିନ କେଇଟା ପରେ ମହାପ୍ରଭୁଙ୍କ ଘୋଷ ଯାତ୍ରା ଥିବାରୁ ନିଷ୍ଠା ଓ ଆନ୍ତରିକତାର ସହିତ ସମସ୍ତେ ଏହି କାର୍ଯ୍ୟରେ ଲାଗିପଡିଛନ୍ତି ।

    ପଢନ୍ତୁ ଏହି ଖବର: Snana Purnima 2024: ଅତ୍ୟଧିକ ସ୍ନାନ ପରେ ଜରରେ ପଡନ୍ତି ଶ୍ରୀଜୀଉ; ଜାଣନ୍ତୁ କିପରି ହୁଏ ଚିକିତ୍ସା

    Lord Jagannath Ratha Jatra Ratha Yatra
    Advertisment
    Advertisment