• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା ପାଇଁ ପ୍ରସ୍ତୁତି ବୈଠକ । ୨ ବର୍ଷ ପରେ ଏଥର ଭକ୍ତଙ୍କ ଗହଣରେ ହୋଇପାରେ ଘୋଷଯାତ୍ରା । ରଥଯାତ୍ରା ପାଇଁ ୨ଟି ପ୍ଲାନ ପ୍ରସ୍ତୁତ କଲା ଜିଲ୍ଲା ପ୍ରଶାସନ । ସ୍ଥିତି ସ୍ବାଭାବିକ ହେଲେ ଆସିପାରନ୍ତି ୨ ଗୁଣା ଭକ୍ତ । କୋଭିଡ୍ ବଢିଲେ କେମିତି ହେବ ଆୟୋଜନ ତାକୁ ନେଇ ବି କରାଯାଉଛି ଯୋଜନା ।

୨ ବର୍ଷ ପରେ ଏଥର ଭକ୍ତଙ୍କ ଗହଣରେ ହେବ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା । ପୁରୀ ସର୍କିଟ ହାଉସରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ହୋଇଥିବା ରଥଯାତ୍ରା ପ୍ରସ୍ତୁତି ବୈଠକ ପରେ ଏହି ସୂଚନା ଦେଇଛନ୍ତି ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା । ବର୍ତ୍ତମାନ ସୁଦ୍ଧା କୋଭିଡ୍ ସଂକ୍ରମଣ କମ୍ ଥିବାରୁ ଏଥର ଭକ୍ତଙ୍କ ଗହଣରେ ରଥଯାତ୍ରା ହେବ । ଯଦି ଲୋକଙ୍କୁ ଆସିବାକୁ ଅନୁମତି ମିଳେ, ତେବେ ଏଥର ଅଧିକ ଲୋକ ଆସିବେ ।

ସାଧାରଣତଃ ଯେତିକି ଲୋକ ଆସନ୍ତି, ତାଠାରୁ ଦେଢ଼ରୁ ୨ ଗୁଣ ଅଧିକ ଲୋକ ଆସିବେ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି । ଅନ୍ୟପଟେ ଯଦି ଜୁନ୍-ଜୁଲାଇ ବେଳେ କୋଭିଡ୍ ସଂକ୍ରମଣ ଅଧିକ ହୁଏ, ତେବେ ସେଭଳି ପରିସ୍ଥିତିରେ ମଧ୍ୟ କିଭଳି ରଥଯାତ୍ରା ଆୟୋଜନ କରାଯିବ, ସେନେଇ ମଧ୍ୟ ବୈଠକରେ ଆଲୋଚନା ହୋଇଛି ।

ଏହି ପ୍ରସ୍ତୁତି ବୈଠକରେ ଜିଲ୍ଲାର ସମସ୍ତ ବିଭାଗୀୟ ଅଧିକାରୀ, ଶ୍ରୀମନ୍ଦିର ପରିଚାଳନା କମିଟିର ସଦସ୍ୟମାନେ ଯୋଗ ଦେଇଥିଲେ । ରଥ ନିର୍ମାଣ ସାଙ୍ଗକୁ ରଥ ସାମଗ୍ରୀ, ସ୍ୱାସ୍ଥ୍ୟ ଓ ପରିମଳ ସେବା, ପାନୀୟ ଜଳ ଯୋଗାଣ, ରାସ୍ତାଘାଟ ମରାମତି, ବିଦ୍ୟୁତ ଯୋଗାଣ ସମ୍ପର୍କରେ ଆଲୋଚନା କରାଯାଇଥିଲା । ଅକ୍ଷୟ ତୃତୀୟାରେ ରଥ ନିର୍ମାଣର ଶୁଭ ପରେ ଆଗେଇ ଚାଲିଛି ରଥକାମ । ପ୍ରାଥମିକ ଭାବରେ ତିନିରଥ ପାଇଁ ୪୨ଟି ଚକର ଆବଶ୍ୟକତା ଥିବା ବେଳେ ୪୨ ଗୋଟି ତୁମ୍ବର ନିର୍ମାଣ କାର୍ଯ୍ୟ ବିଶ୍ୱକର୍ମା ମହାରଣା ଓ କରତି ସେବାୟତଙ୍କ ଦ୍ୱାରା ଜାରି ରହିଛି ।

ପରମ୍ପରା ଅନୁଯାୟୀ ପବିତ୍ର ଅକ୍ଷୟ ତୃତୀୟା ଠାରୁ ଘୋଷଯାତ୍ରା ପାଇଁ ରଥ ନିର୍ମାଣ ଅନୁକୂଳ କରାଯାଇଛି । ଏବେ ଶ୍ରୀନଅର ନିକଟରେ ଥିବା ରଥ ଖଳାରେ ଶ୍ରୀଜିଉଙ୍କ ରଥ ନିର୍ମାଣ ଚାଲିଛି ।