/odishatv-khabar/media/post_attachments/uploadimage/library/16_9/16_9_0/IMAGE_1687794215.jpg)
Rath Jatra 2023
ଶ୍ରୀଗୁଣ୍ଡିଚା ମନ୍ଦିରରେ ସରି ସରି ଆସୁଛି ମହାପ୍ରଭୁଙ୍କ ଲୀଳାଖେଳା। ବୁଧବାର ଶ୍ରୀଜୀଉଙ୍କ ବାହୁଡ଼ାଯାତ୍ରା। ତେବେ ଶ୍ରୀକ୍ଷେତ୍ର ଯାତ୍ରାଠୁ ହେରାପଞ୍ଚମୀ ପର୍ଯ୍ୟନ୍ତ ନୀତିକାନ୍ତିରେ ଘୋର ବିଭ୍ରାଟ ପରେ ବାହୁଡ଼ା ନୀତିକୁ କିଭଳି ଶୃଙ୍ଖଳିତ କରାଯିବ ସେନେଇ ଆରଡିସିଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ହୋଇଛି। ଏହି ଅନୁଯାୟୀ ଆସନ୍ତାକାଲି ହେବାକୁ ଥିବା ସାଂଧ୍ୟଦର୍ଶନକୁ ଅପରାହ୍ନ ୫ଟା ଭିତରେ ସୀମିତ ରଖାଯାଇଛି। ଯାହାକୁ ନେଇ ବି ଅସନ୍ତୋଷ ଦେଖାଦେଇଛି।
ସରି ସରି ଆସୁଛି ଜନ୍ମବେଦୀର ଲୀଳାଖେଳା। ମାତ୍ର ଦିନକ ପରେ ଶ୍ରୀମନ୍ଦିର ଅଭିମୁଖେ ତିନି ଠାକୁରଙ୍କ ବାହୁଡ଼ା ବେଳ। ସେଇଥିପାଇଁ କାଲି ତାଳଧ୍ବଜ ଓ ଦର୍ପଦଳନ ପରେ ଆଜି ସକାଳୁ ନନ୍ଦିଘୋଷ ରଥର ଦକ୍ଷିଣ ମୋଡ଼ କରାଯାଇ ନାକଚଣା ମନ୍ଦିର ସମ୍ମୁଖକୁ ଅଣାଯାଇଛି। ବାହୁଡ଼ା ପାଇଁ ତିନିରଥ ସଂପୂର୍ଣ୍ଣ ପ୍ରସ୍ତୁତ। ଶ୍ରୀଗୁଣ୍ଡିଚା ଯାତ୍ରାରୁ ହେରାପଞ୍ଚମୀ ଯାଏଁ ନୀତିକାନ୍ତିରେ ଘୋର ବିଶୃଙ୍ଖଳା ପରେ ଆଜି ନୀତିକାନ୍ତି ବ୍ୟବସ୍ଥିତ ହେବା ସହ ଆଡ଼ପ ଦର୍ଶନ ବି ସୁରୁଖୁରୁରେ ଚାଲିଛି। ଜନ୍ମବେଦୀରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦେଖି କୃତ୍ୟ କୃତ୍ୟ ହେଉଛନ୍ତି ଭକ୍ତ।
ଏପଟେ ଆଡ଼ପମଣ୍ଡପରେ ଆସନ୍ତାକାଲି ନବମୀ ତିଥିରେ ଶ୍ରୀଜୀଉଙ୍କ ଶେଷ ଦର୍ଶନ ବା ସାଂଧ୍ୟଦର୍ଶନ। ତେବେ ବାହୁଡ଼ା ନୀତିକୁ ଶୃଙ୍ଖଳିତ କରିବା ଉଦ୍ଦେଶ୍ୟରେ ଏଥର ସାଂଧ୍ୟ ଦର୍ଶନକୁ ସଂଧ୍ୟା ପରିବର୍ତ୍ତେ ଅପରାହ୍ନ ୫ଟା ସୁଦ୍ଧା ସାରିବାକୁ ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଏଥିସହ ଶୃଙ୍ଖଳିତ ବାହୁଡ଼ା ଯାତ୍ରା ପାଇଁ ବି ବ୍ୟାପକ ପଦକ୍ଷେପ ନିଆଯାଇଛି। ଆରଡିସିଙ୍କ ଅଧ୍ୟକ୍ଷତାରେ ଆଜି ବସଥିବା ବୈଠକର ନିଷ୍ପତ୍ତି ମୁତାବକ ରଥ ଉପରେ ଅଧିକ ସଂଖ୍ୟକ ସେବାୟତ ଯେଭଳି ବସିବେନି ସେ ଦିଗରେ ଧ୍ୟାନ ଦିଆଯିବ। ସେହିପରି କର୍ଡନକୁ ବଡ଼ କରାଯିବା ସହ ରଥ ଦୌଡ଼ିକୁ କର୍ଡନ ବାହାରକୁ ଛଡ଼ାଯିବ ନାହିଁ।
ସେହିପରି ଶ୍ରୀଗୁଣ୍ଡିଚା ଯାତ୍ରାରେ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ଓ ଗମନାଗମନ ପାଇଁ ଯେଉଁଭଳି ବ୍ୟବସ୍ଥା ହୋଇଥିଲା ବାହୁଡ଼ାଯାତ୍ରାରେ ମଧ୍ୟ ସମାନ ବ୍ୟବସ୍ଥା ଆପଣାଇବା ସହ ଗୁରୁବାର ସୁନାବେଶ ପାଇଁ ମଧ୍ୟ ବିଶେଷ ପ୍ରସ୍ତୁତି କରାଯାଇଥିବା ପୁରୀ ଏସପି ସୂଚନା ଦେଇଛନ୍ତି। ତେବେ ଏସବୁ ଭିତରେ ସାଂଧ୍ୟଦର୍ଶନ ସମୟକୁ ନେଇ ଆରମ୍ଭ ହୋଇଛି ବିବାଦ। ସଂଧ୍ୟା ବଦଳରେ ଅପରାହ୍ଣରେ ଦର୍ଶନକୁ ବନ୍ଦ କରାଯିବା ଶାସ୍ତ୍ରସମ୍ମତ ନୁହେଁ ବୋଲି କହିଛନ୍ତି ମୁକ୍ତିମଣ୍ଡପ ପଣ୍ଡିତ ସଭାର ସଦସ୍ୟ। ଯାହାକୁ ବରିଷ୍ଠ ଦଇତାପତି ସେବାୟତ ବିନାୟକ ଦାସ ମହାପାତ୍ର ଖଣ୍ଡନ କରିବା ସହ ବାହୁଡ଼ା ନୀତିକାନ୍ତିକୁ ଶୃଙ୍ଖଳତି କରାଯିବା ସର୍ବସମ୍ମତ କ୍ରମେ ଏଭଳି ନିଷ୍ପତ୍ତି ନିଆଯାଇଥିବା କହିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)