• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

 ୧୫ ଦିନର ଅନବସର ସାରି ନବଯୌବନ ଦର୍ଶନ ଦେବେ ମହାପ୍ରଭୁ । ଦୁଇ ବର୍ଷ ପରେ ଶ୍ରୀମନ୍ଦିର ଭିତରେ ଶ୍ରୀଜିଉଙ୍କ ନବଯୌବନ ଦର୍ଶନ କରିବେ ଶ୍ରଦ୍ଧାଳୁ । ଏଥିପାଇଁ ବ୍ୟାପକ ପ୍ରସ୍ତୁତି କରିଛି ଶ୍ରୀମନ୍ଦିର ପ୍ରଶାସନ । ସକାଳ ୮ଟାରୁ ୯ଟା ଯାଏଁ ପରିମାଣିକ ଦର୍ଶନ ରହିଛି । ପରେ ୯ଟାରୁ ସାଢେ ୧୦ଟା ଯାଏଁ ସର୍ବସାଧାରଣ ଦର୍ଶନ କରିହେବ । ସେହିପରି ଅପରାହ୍ନ ୨ଟାରୁ ୩ଟା, ସନ୍ଧ୍ୟା ୬ଟାରୁ ସାଢେ ୬ଟା, ରାତି ୯ଟାରୁ ସାଢେ ୧୦ଟା ଏବଂ ରାତି ସାଢେ ୧୧ରୁ ସାଢେ ୧୨ଟା ଯାଏଁ ମହାପ୍ରଭୁଙ୍କ ନବଯୌବନ ଦର୍ଶନ କରିପାରିବେ ଶ୍ରଦ୍ଧାଳୁ ।

ଚଳିତବର୍ଷ ଦୁଇ ଦିନ ନବଯୌବନ ଦର୍ଶନ ପଡୁଥିବାରୁ ତାପରଦିନ ଅର୍ଥାତ୍ ଗୁରୁବାର ଉଭାଯାତ୍ରାରେ ଦର୍ଶନ ଦେବେ ମହାପ୍ରଭୁ । ଶ୍ରୀଗୁଣ୍ଡିଚା ନୀତି କାନ୍ତି ଓ ପହଣ୍ଡି ପ୍ରସ୍ତୁତି ପାଇଁ ଗୁରୁବାର ସନ୍ଧ୍ୟା ୫ଟାରୁ ବନ୍ଦ ରହିବ ମହାପ୍ରଭୁଙ୍କ ସର୍ବସାଧାରଣ ଦର୍ଶନ । ନବଯୌବନ ଦର୍ଶନ ପୂର୍ବରୁ ଆଜି ଶ୍ରୀଜିଉଙ୍କ ବନକଲାଗି ଓ ଚନ୍ଦନଲାଗି କରାଯାଇଛି ।

ଘୋଷଯାତ୍ରା ପାଇଁ ବଡଦାଣ୍ଡରେ ଠିଆ ତିନି ରଥ ନିର୍ମାଣ କାର୍ଯ୍ୟ ପ୍ରାୟ ଶେଷ ପର୍ଯ୍ୟାୟରେ । ରଥରୁ ମେଣ୍ଡି କଢ଼ାଯିବା ପରେ ତିନି ପାର୍ଶ୍ୱରେ ୨୭ଟି ଶିଖର ଡମ୍ବୁରୁ ଲଗାଯାଇଛି । ପରେ ସେଥିରେ ସ୍ଥାପନ କରାଯାଇଛି ପାର୍ଶ୍ୱ ଦେବାଦେବୀଙ୍କୁ । ରଥର ପ୍ରଭା, ଚକ, ମୁହାଁଟ, ଘୋଡା ଓ ସାରଥୀରେ ରଙ୍ଗ ଦେଉଛନ୍ତି ଚିତ୍ରକର ।

 

ଅନ୍ୟପଟେ ଦୁଇ ବର୍ଷ ପରେ ଭକ୍ତଙ୍କ ଗହଣରେ ହେଉଛି ରଥଯାତ୍ରା । ତେଣୁ ଏଥର ପ୍ରବଳ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ପୋଲିସ ଓ ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି । ଶୃଙ୍ଖଳିତ ରଥଯାତ୍ରା ପାଇଁ ତିନି ରଥରେ ନିଯୁକ୍ତ ପୋଲିସ ଓ ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ ଆଜି ରଥଟଣାର ମକଡ୍ରିଲ କରାଯାଇଛି । ପୁରୀ ରିଜର୍ଭ ପୋଲିସ ଲାଇନ ପଡିଆରେ ଆୟୋଜିତ ଅଭ୍ୟାସରେ ରଥ ଟଣା, ଭିଡ ନିୟନ୍ତ୍ରଣ ଓ ଆଇନ ଶୃଙ୍ଖଳା ରକ୍ଷା ଉପରେ ଗୁରୁତ୍ୱ ଦିଆଯାଇଛି । ଅତ୍ୟଧିକ ଭିଡ଼ ଆଶଙ୍କା କରି ଚଳିତ ବର୍ଷ ରଥଯାତ୍ରା ବେଳେ ସର୍ବାଧିକ ୧୮୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହେବେ ।

ସେପଟେ ଭିଡ ଭିତରେ କୌଣସି ଶ୍ରଦ୍ଧାଳୁ ଅସୁସ୍ଥ ହୋଇପଡିଲେ ତାଙ୍କୁ ତୁରନ୍ତ ହସପିଟାଲ ନେବାକୁ ବ୍ୟବସ୍ଥା ହୋଇଛି  ଗ୍ରୀନ୍ କରିଡର କରି ତାରି ଭିତରେ ଯାତାୟତ କରିବ ଆମ୍ବୁଲାନ୍ସ । ଷ୍ଟ୍ରେଚରରେ ଭକ୍ତଙ୍କୁ ଆମ୍ବୁଲାନ୍ସକୁ ଅଣାଯିବା ପରେ ଡାକ୍ତରଖାନା ନିଆଯିବ । ବଡଦାଣ୍ଡରେ ପୁରା ପ୍ରକ୍ରିୟାର ଆଜି ଅଭ୍ୟାସ କରାଯାଇଛି ।