Advertisment

ବାହୁଡ଼ାରେ ସୁଧାରିଲେ ଗୁଣ୍ଡିଚା ତ୍ରୁଟି ! ଆଗୁଆ ପହଣ୍ଡି, ଧାର୍ଯ୍ୟ ସମୟ ପୂର୍ବରୁ ରଥଟଣା

ବିନା ବଡ଼ ବିଲକ୍ଷଣ ଓ ବିଶୃଙ୍ଖଳାରେ ରଥଟଣା । ରଥରୁ ଅଣସେବାୟତଙ୍କୁ ଓହ୍ଲାଇ ଆଣିଲେ ଶ୍ରୀମନ୍ଦିର ପ୍ରଶାସକ ।

author-image
Satyendu Shekher Mishra
Bahuda Jatra

Bahuda Jatra

ଧାର୍ଯ୍ୟ ସମୟ ଆଗରୁ ପହଣ୍ଡି । ରଥ ଉପରେ ଅନଧିକୃତ ପ୍ରବେଶ ଉପରେ ରୋକ୍ । ନିର୍ଦ୍ଧାରିତ ସମୟ ପୂର୍ବରୁ ରଥଟଣା । ଏବର୍ଷ ଗୁଣ୍ଡିଚା ଯାତ୍ରାରେ ଏକାଧିକ ବିଲକ୍ଷଣ ଓ ବିଶୃଙ୍ଖଳା ପରେ ଚେତିଛି ପ୍ରଶାସନ, ସୁଦୃଢ଼ ହୋଇଛି ବ୍ୟବସ୍ଥା। ଆଜି ଶ୍ରୀଜିଉଙ୍କ ବାହୁଡ଼ା ଯାତ୍ରାକୁ ବିନା କୌଣସି ବିଶୃଙ୍ଖଳାରେ ସମାପନ କରିବାକୁ ଦୃଢ଼ ସଂକଳ୍ପ ନେଇଥିଲା ଶ୍ରୀମନ୍ଦିର ପ୍ରଶାସନ।

Advertisment

ଚତୁର୍ଦ୍ଧା ମୂରତିଙ୍କ ପହଣ୍ଡି ଆରମ୍ଭର ସମୟ ଥିଲା ଦିନ ୧୨ଟା। ହେଲେ ପହଣ୍ଡି କାର୍ଯ୍ୟ ଆରମ୍ଭ ହୋଇଥିଲା ଘଣ୍ଟାଏ ୧୫ ମିନିଟ୍ ଆଗୁଆ ଅର୍ଥାତ ସକାଳ ୧୦ଟା ୪୫ରୁ। ସେହିଭଳି ବେସ୍ ସଅଳ ସଅଳ ସରିଥିଲା ଛେରାପହଁରା, ଚାରମାଳ ଫିଟା ଓ ଘୋଡ଼ାଲାଗି ଆଦି ନୀତିକାନ୍ତି। ରଥଟଣା ପାଇଁ ଅପରାହ୍ଣ ୪ଟାକୁ ସମୟ ଧାର୍ଯ୍ୟ ହୋଇଥିବା ବେଳେ ଏହାର ୩୫ ମିନିଟ ଆଗରୁ, ଅର୍ଥାତ ୩ଟା ୨୫ରୁ ଟଣା ଆରମ୍ଭ ହୋଇଥିଲା ତାଳଧ୍ୱଜ ରଥ।

ବାହୁଡ଼ା ଯାତ୍ରାକୁ ବିଶୃଙ୍ଖଳାମୁକ୍ତ କରିବାର ସବୁଠୁ ବଡ଼ ଦୃଷ୍ଟାନ୍ତ ଦେଖିବାକୁ ମିଳିଥିଲା, ରଥ ଉପରକୁ ଅଣସେବାୟତ ଓ ଅନଧିକୃତ ବ୍ୟକ୍ତିଙ୍କୁ ଚଢାଇ ନଦେବା । ଆଜି ଦର୍ପଦଳନ ରଥରେ ସେବାୟତ ବେଶରେ ଚଢିଥିବା ଜଣେ ବ୍ୟକ୍ତିଙ୍କୁ ଲକ୍ଷ୍ୟ କରି ନିଜେ ହାତ ଧରି ଓହ୍ଲାଇ ଦେଇଥିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ। ଫଳରେ ଗୁଣ୍ଡିଚା ଭଳି ବାହୁଡ଼ା ଯାତ୍ରାରେ ଆଉ ରଥ ଉପରେ ଅସମ୍ଭବ ଭିଡ଼ ପରିଲକ୍ଷିତ ହୋଇନଥିଲା।

Advertisment

ସେପଟେ ବାହୁଡାରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ପହଣ୍ଡିବିଜେ ଶୃଙ୍ଖଳିତ ଭାବେ ସମାପନ ସାଙ୍ଗକୁ ସେବକ ବନ୍ଧୁମାନେ ଆବଶ୍ୟକ ସଂଖ୍ୟାରେ ରହି ମହାପ୍ରଭୁଙ୍କ ସେବାର ନିଦର୍ଶନ ପ୍ରସ୍ତୁତ କହିଥିବା ଏକ୍ସରେ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ।

ଗୁଣ୍ଡିଚା ଯାତ୍ରାରେ ତିନି ରଥ ଉପରେ ଆବଶ୍ୟକତାଠାରୁ ଢେର ଅଧିକ ବ୍ୟକ୍ତିଙ୍କ ଉପସ୍ଥିତି ପାଇଁ ରଥ କଡ଼ ମାଡୁଥିବାର ଅଭିଯୋଗ ହୋଇଥିଲା। ସେହିଭଳି କର୍ଡନ ବ୍ୟବସ୍ଥାରେ ବି ତ୍ରୁଟି କଥା ସାମ୍ନାକୁ ଆସିଥିଲା। ହେଲେ ବାହୁଡ଼ାରେ ସେଭଳି ତ୍ରୁଟି ବିଚ୍ୟୁତିକୁ ଯେକୌଣସି ପ୍ରକାରେ ରୋକିବାକୁ ଠିକଣା ପଦକ୍ଷେପ ନେଇଥିଲା ଶ୍ରୀମନ୍ଦିର ପ୍ରଶାସନ। ଏମିତିକି ପୋଲିସ ଡିଜି, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ପୁରୀ ଜିଲ୍ଲାପାଳ, ଏସପି ଏବଂ ଅନ୍ୟ ଉଚ୍ଚପଦାଧିକାରୀ ଭିଡ଼ ଭିତରେ ଗୋଡ଼ ଗୋଡ଼େ ଜଗି ରହି ଭିଡ଼ ନିୟନ୍ତ୍ରଣ ଓ ଶୃଙ୍ଖଳିତ ଆୟୋଜନ ଉପରେ ପ୍ରତ୍ୟକ୍ଷ ଦୃଷ୍ଟି ରଖୁଥିଲେ ଯେମିତି।

ହେଲେ ଏତେସବୁ ଜଗାରଖା ଭିତରେ ବି କିଛି ସାମାନ୍ୟ ତ୍ରୁଟି ବିଚ୍ୟୁତି ଓ ବିଶୃଙ୍ଖଳାର ଚିତ୍ର କ୍ୟାମେରା ନଜରକୁ ଆସିଥିଲା। ରଥ ଉପରେ ମୋବାଇଲ ସମ୍ପୂର୍ଣ୍ଣ ନିଷେଧ ଥିଲେ ବି ବଳଭଦ୍ରଙ୍କ ତାଳଧ୍ୱଜ ରଥ ଉପରେ କିଛି ସେବାୟତ ମୋବାଇଲରେ ସେଲଫି ନେଉଥିବାର ଚିତ୍ର ସାମ୍ନାକୁ ଆସିଥିଲା।

ଅନ୍ୟପଟେ ଏଥର ଗୁଣ୍ଡିଚା ଯାତ୍ରା ବେଳେ ଘଟିଥିବା ବିଶୃଙ୍ଖଳା ଓ ଅଘଟଣର ପୁନରାବୃତ୍ତି ନକରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ପୁରୀରେ ଡେରା ପକାଇଛନ୍ତି।

Srimandir Lord Jagannath Ratha Jatra Bahuda Jatra
Advertisment
Advertisment