• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

ଆଉ ଦିନକ ପରେ ବିଶ୍ବପ୍ରସିଦ୍ଧ ରଥଯାତ୍ରା । ୧୯୭୧ ମସିହା ଭଳି ଏଥର ବି ନିଆରା ହେବାକୁ ଯାଉଛି ନୀତିକାନ୍ତି । ଗୋଟିଏ ଦିନରେ ନବଯୌବନ, ନେତ୍ରୋତ୍ସବ ଓ ଘୋଷଯାତ୍ରା ପଡ଼ୁଥିବାରୁ ୨ ଦିନ ରଥ ଟଣାହେବ । ଏଥିପାଇଁ ଶ୍ରୀକ୍ଷେତ୍ର ସଜେଇ ହେଉଥିବା ବେଳେ, ଆଜି ଅନୁଷ୍ଠିତ ହୋଇଛି ଖଡ଼ି ପ୍ରସାଦ ବିଜେ ନୀତି । ଆସନ୍ତାକାଲି ଆଜ୍ଞାମାଳ ଆସିବା ପରେ ସିଂହଦ୍ବାର ସମ୍ମୁଖକୁ ଯିବ ତିନି ରଥ । ସେପଟେ ଶୃଙ୍ଖଳିତ ଆୟୋଜନ ଏବଂ ସୁରକ୍ଷା ଦୃଷ୍ଟିରୁ ପ୍ରଶାସନ ଓ ପୋଲିସ ପକ୍ଷରୁ ହୋଇଛି ସ୍ବତନ୍ତ୍ର ପ୍ରସ୍ତୁତି ।

ରଥ ଝଟକିଲାଣି... ପଥରେ ଝୋଟି ଫୁଟିଲାଣି... ଜୀବନ୍ତ ଦିଶିଲେଣି ଧଳା, କଳା ଓ ନାଲି ଘୋଡ଼ା । ଏବର୍ଷ ଖୁବ୍ ସ୍ବତନ୍ତ୍ର ହେବାକୁ ଯାଉଛି ମହାପ୍ରଭୁଙ୍କ ରଥଯାତ୍ରା। ୫ ଦଶନ୍ଧି ପରେ ପଡ଼ିଛି ବିରଳ ସଂଯୋଗ । ଗୋଟିଏ ଦିନରେ ନବଯୌବନ, ନେତ୍ରୋତ୍ସବ ଓ ଘୋଷଯାତ୍ରା । ସେଥିପାଇଁ ରବିବାର ସହଳ ଆରମ୍ଭ ହେବ ନୀତିକାନ୍ତି । ତେବେ ପହଣ୍ଡି ଆରମ୍ଭ ହେଲା ବେଳକୁ ଦିନ ପ୍ରାୟ ଗୋଟାଏ ୧୦ ମିନିଟ୍ । ଛେରା ପହଁରା ଓ ଅନ୍ୟ ନୀତିକାନ୍ତି ପରେ ଅପରାହ୍ନ ୪ରୁ ୫ଟା ଭିତରେ ଆରମ୍ଭ ହେବ ରଥଟଣା । ସେଦିନ ସୂର୍ଯ୍ୟାସ୍ତ ପରେ ବଡ଼ଦାଣ୍ଡରେ ଅଟକିବ ୩ ରଥ । ସୋମବାର ଅବକାଶ ନୀତି ପରେ ପୁଣି ଗଡ଼ିବ ଗୁଣ୍ଡିଚା ମନ୍ଦିର ଅଭିମୁଖେ । ସେପଟେ ସୁସ୍ଥ ହେବା ପରେ ଭକ୍ତଙ୍କୁ ଦର୍ଶନ ଦେବା ଲାଗି ଆତୁର ହେଲେଣି କାଳିଆ ସାଆନ୍ତ । ଆଜି ବିଳମ୍ବିତ ରାତିରେ ହେବ ଶ୍ରୀମୁଖ ଶୃଙ୍ଗାର... ବନକଲାଗି ନୀତି ।

ଆଉ ଆଜି ଖଡ଼ି ପ୍ରସାଦ ବିଜେ ନୀତି ଅନୁଷ୍ଠିତ ହୋଇଛି । ରୂପା ଥାଳିରେ ମହାପ୍ରଭୁଙ୍କ ଲାଗି ବିଜେ ହୋଇଛି ଫୁଲ, ତୁଳସୀ ଓ ତିନି ରୂପା ପିଙ୍ଗଣରେ ଖଡ଼ି ପ୍ରସାଦ । ଆଷାଢ଼ କୃଷ୍ଣ ଚତୁର୍ଦ୍ଦଶୀରେ ଦତ୍ତମହାପାତ୍ର ଓ ଦଇତାପତି ସେବକ ଶ୍ରୀନଅରକୁ ଖଡ଼ି ପ୍ରସାଦ ବିଜେ କରାଇଛନ୍ତି । ଏହାପରେ ରାଜଗୁରୁଙ୍କ ହସ୍ତରୁ ଶାଢ଼ି ନେଇ ପାଟ୍ଟଶାଣୀ ସେବକ ତଳୁଚ୍ଛ, ଦେଉଳକରଣ, ବେହେରା ଖୁଣ୍ଟିଆ, ପତି ମହାପାତ୍ର ଓ ତିନି ବାଡ଼ର ଦଇତାପତିଙ୍କୁ ଶାଢି ବାନ୍ଧିଛନ୍ତି ।

ରଥଯାତ୍ରାରେ ଶୃଙ୍ଖଳିତ ନୀତିକାନ୍ତି ଭଳି ସୁରକ୍ଷା ଓ ଭିଡ଼ ନିୟନ୍ତ୍ରଣ ବି ଏକ ପ୍ରମୁଖ ଦିଗ । ଏଥିପାଇଁ ଆଜି ପୋଲିସ ଲାଇନ ପଡ଼ିଆରେ ରଥ ଟଣାର ମକ୍ ଡ୍ରିଲ କରିଛନ୍ତି ଯବାନ । ଦଉଡ଼ିରେ ଜିପ୍‌କୁ ଟଣାଯାଇଥିଲା ପୂର୍ବାଭ୍ୟାସ ପାଇଁ । ବିଶ୍ବପ୍ରସିଦ୍ଧ ରଥଯାତ୍ରାରେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ସମାଗମ ହେବ । ୧୮୦ ପ୍ଲାଟୁନ ଫୋର୍ସର ସୁରକ୍ଷା ବ୍ଲାଙ୍କେଟ୍ ଏବଂ AI ଟେକ୍ନୋଲୋଜି ବିଶିଷ୍ଟ ସିସିଟିଭି କ୍ୟାମେରା ନଜରରେ ରହିବ ଶ୍ରୀକ୍ଷେତ୍ର । ଭିଡ଼ ନିୟନ୍ତ୍ରଣ ପାଇଁ ବଡ଼ଡାଣ୍ଡକୁ ୬ଟି ଜୋନରେ ବିଭକ୍ତ କରାଯାଇଛି । ତିନି ଠାକୁରଙ୍କ ତିନି କର୍ଡନ ଦାୟିତ୍ବରେ ମୁତୟନ ହେବେ ୩ କମ୍ପାନୀ ରାପିଡ଼ ଆକ୍ସନ ଫୋର୍ସ, ୨ କମ୍ପାନୀ CRPF ଓ ୮ଟି SOG ଟିମ୍ । ଦୁଇ ଅତିରିକ୍ତ ଡିଜିଙ୍କ ସହ କମାଣ୍ଡାଟ ଓ ଡିଆଇଜି ରାଙ୍କର ଅଧିକାରୀ ନିୟୋଜିତ ରହିବେ । ଆସନ୍ତାକାଲି ରାତିରୁ ଟ୍ରାଫିକ କଟକଣା ଲାଗୁହେବ । ସିସିଟିଭି କ୍ୟାମେରା ବ୍ଲାଇଣ୍ଡ ସ୍ପଟ୍ ଗୁଡ଼ିକ ଉପରେ ନଜର ରଖିବ ଡ୍ରୋନ୍ । ଏଥିସହ ଶ୍ରଦ୍ଧାଳୁଙ୍କୁ ସହାୟତା ପାଇଁ ରଥଯାତ୍ରା-୨୦୨୪ ମୋବାଇଲ୍ ଆପ୍ ଏବଂ ଟ୍ରାଫିକ ରୁଟ୍ ସୂଚନା ପାଇଁ QR କୋଡ୍ ଭଳି ଆଧୁନିକ ବ୍ୟବସ୍ଥା କରାଯାଇଛି ।

ଏବର୍ଷ ରଥଯାତ୍ରାରେ ସବୁ ନୀତିକାନ୍ତି ସହଳ ଓ ଶୃଙ୍ଖଳିତ ହେବାକୁ ଥିବାରୁ, ରବିବାର ଶ୍ରୀମନ୍ଦିରରେ ବନ୍ଦ ରହିବ ସାଧାରଣ ଦର୍ଶନ ଓ ପହଣ୍ଡି ଦର୍ଶନ।

  • Reported by:
  • PRADEEP MAHANTY , MADHUSUDAN MISHRA

OTV is now on Whatsapp

Join and get latest news update delivered to you via whatsapp

Join Now