• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pramod Behera

ଭକ୍ତ ପାଇଁ ଭଗବାନ। ପତିତ ଉଦ୍ଧାର ପାଇଁ ମହାପ୍ରଭୁଙ୍କ ରଚିଛନ୍ତି ଅନେକ ଲୀଳା। ସେଥିପାଇଁ ରଥଯାତ୍ରା। କାଳିଆ ଠାକୁର ଶ୍ରୀମନ୍ଦିରର ଆଦବ କାଇଦାରୁ ବାହାରିଆସି ସବୁ ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମସ୍ତଙ୍କୁ ଦେଇଥାନ୍ତି ଦର୍ଶନ। ସେ ହେଉଛନ୍ତି ପ୍ରତି ଓଡିଆର ହୃଦୟ ଆଉ ଆତ୍ମା। ପ୍ରତି ଓଡିଆର ଜୀବନ ଜଗନ୍ନାଥରୁ ଆରମ୍ଭ ହୋଇଥାଏ ଆଉ ଜଗନ୍ନାଥରେ ଶେଷ ହୋଇଥାଏ। ସେ ଭଜନ ହେଉ ବା ଜଣାଣ ହେଉ ଜଗନ୍ନାଥଙ୍କ ବିନା ସବୁ ନିରସ। ଫିଲ୍ମ ଦୁନିଆ ଏଥିରୁ ବଞ୍ଚିବ ବା କେମିତି।

ରଥଯାତ୍ରା ଲାଇଭ ନ୍ୟୁଜ: ତାଳଧ୍ୱଜ ରଥ ଚକ ପଛରେ ରହିଛି ଗୃଢ ରହସ୍ୟ

ଯଦି ୮୦ କିମ୍ବା ୯୦ ଦଶକକୁ ଦେଖାଯାଏ ତେବେ ମହାପ୍ରଭୁ ଜଗନ୍ନାଥଙ୍କୁ ନେଇ ତିଆରି ହୋଇଛି ଅନେକ ଓଡିଆ ସିନେମା। କେଉଁ କେଉଁ ଫିଲ୍ମରେ ସମ୍ପୂର୍ଣ୍ଣ ଜଗନ୍ନାଥଙ୍କ କାହାଣୀକୁ ଚିତ୍ରିତ କରାଯାଇଛି ତ ପୁଣି କେଉଁ ଫିଲ୍ମରେ ଜଗନ୍ନାଥଙ୍କ ଝଲକ ଦେଖିବାକୁ ମିଳିଛି। ଅନେକ ଫିଲ୍ମରେ ଜଗନ୍ନାଥଙ୍କୁ ଆଧାର କରି ଗୀତ ନଚେତ ସଂଳାପ ମଧ୍ୟ ଦେଖିବାକୁ ମିଳିଛି। ତେବେ ଏମିତି ୫ଟି ଫିଲ୍ମ ଉପରେ ନଜର ପକେଇ ନେବା।

ଶ୍ରୀ ଜଗନ୍ନାଥ:

୧୯୫୦ରେ ମୁକ୍ତିଲାଭ କରିଥିଲା ପୌରାଣିକ ଓଡ଼ିଆ କଥାଚିତ୍ର ଶ୍ରୀ ଜଗନ୍ନାଥ। ଓଡ଼ିଆ ଭାଷାରେ ଏହା ହେଉଛି ତୃତୀୟ କଥାଚିତ୍ର। ଶ୍ରୀଜଗନ୍ନାଥ ସଂସ୍କୃତି ଓ ଐତିହ୍ୟ ଉପରେ ଏହି କଥାଚିତ୍ରଟି ଆଧାରିତ ହୋଇଥିଲା। ଏଥିରେ ଗୋପାଳ ଚନ୍ଦ୍ର ଘୋଷ, ଗ୍ଳୋରିଆ ମହାନ୍ତି, ଚପଳା ନାୟକ, ରାମଚନ୍ଦ୍ର ମାଣିଆ, ଖଗେନ୍ଦ୍ର ନାଥ ମିତ୍ର, ସାମୁଏଲ ସାହୁ(ବାବି), ଭୀମ ସିଂହ ପ୍ରମୁଖ ଭୂମିକାରେ ଅଭିନୟ କରିଥିଲେ। ଏଥିରେ ଚପଳା ନାୟକ (ପାର୍ବତୀ ଘୋଷ) ଶିଶୁ କଳାକାର ଭାବେ ପ୍ରଥମେ ଅଭିନୟ କରିଥିଲେ।

ମାଣିକ:

ଜଗନ୍ନାଥଙ୍କୁ ଆଧାର କରି ୧୯୮୬ ମସିହାରେ ମୁକ୍ତିଲାଭ କରିଥିଲା ମାଣିକ। ଏହି କଥାଚିତ୍ରଟିକୁ ଯୋଗେନ୍ଦ୍ର ମହାପାତ୍ର ଓ ପୂର୍ଣ୍ଣ ମହାପାତ୍ର ପ୍ରଯୋଜନା କରିଥିବା ବେଳେ ପ୍ରେମାଞ୍ଜନ ମହାନ୍ତି ସଂଳାପ ଓ ଚିତ୍ରନାଟ୍ୟ ରଚନା କରିଥିଲେ ଓ ଆର୍. ଅସରର ନିର୍ଦ୍ଦେଶନା ଦେଇଥିଲେ। ଏହି କଥାଚିତ୍ରଟି ଓଡ଼ିଶାର ଆରାଧ୍ୟ ଦେବତା ଶ୍ରୀଜଗନ୍ନାଥଙ୍କର କାଞ୍ଚି ଅଭିଯାନ ସମୟର କିମ୍ବଦନ୍ତୀ କାହାଣୀ ମାଣିକ ଗଉଡ଼ୁଣୀ ଉପରେ ଆଧାରିତ।

ଏହି ଫିଲ୍ମରେ ବିଜୟ ମହାନ୍ତି ଚନ୍ଦ୍ର ବେହେରା(ମାଣିକ ସ୍ୱାମୀ) ଭୂମିକାରେ ଥିବା ବେଳେ ତନ୍ଦ୍ରା ରାୟ ମାଣିକ ଓ ଗୁରୁ ଦତ୍ତଙ୍କୁ ଜଗନ୍ନାଥ ଭୂମିକାରେ ଦେଖିବାକୁ ମିଳେ।

ଜୟ ଜଗନ୍ନାଥ:

ସବ୍ୟସାଚୀ ମହାପାତ୍ରଙ୍କ ନିର୍ଦ୍ଦେଶନାରେ ନିର୍ମିତ ବହୁଭାଷି କଥାଚିତ୍ର ଜୟ ଜଗନ୍ନାଥ ୨୦୦୭ ମସିହା ରଥଯାତ୍ରା ଅବସରରେ ମୁକ୍ତିଲାଭ କରିଥିଲା। ଏହି କଥାଚିତ୍ରଟି ଓଡ଼ିଆ ଓ ହିନ୍ଦୀ ଭାଷାରେ ତିଆରି କରାଯାଇଥିଲା । ପରେ ଏହାକୁ ଇଂରାଜୀ ସମେତ ୧୩ଟି ଆଞ୍ଚଳିକ ଭାଷାରେ ଅନୁଦିତ କରାଯାଇ ଥିଲା।

ଏହି ଚଳଚ୍ଚିତ୍ର ପୁରାତନ ଗ୍ରନ୍ଥ ଲକ୍ଷ୍ମୀ ପୁରାଣ ଉପରେ ଆଧାରିତ। ସେହି ସମୟରେ ଅଛୁଆଁ ଲୋକମାନେ ଭଗବାନଙ୍କୁ ପୂଜା, ପ୍ରାର୍ଥନା କିମ୍ବା ଜଣାଣ କରିବାର ଅନୁମତି ନ ଥିଲା । ଶ୍ରିୟା, ଏହି ଚଳଚ୍ଚିତ୍ରର ମୁଖ୍ୟ ଚରିତ୍ର ହୋଇଥିବା ବେଳେ ସେ ପୂଜା କରି ମାତା ଲକ୍ଷ୍ମୀଙ୍କୁ ସନ୍ତୁଷ୍ଟ କରୁଥିବା ଏଥିରେ ଦେଖାଯାଇଛି।

ଏହି ଫିଲ୍ମରେ ଶ୍ରୀତମ ଦାସ ଜଗନ୍ନାଥଙ୍କ ଭୂମିକାରେ ଅଭିନୟ କରିଥିବା ବେଳେ ପିଣ୍ଟୁ ନନ୍ଦ ବଳଭଦ୍ର, ଜ୍ୟୋତି ମିଶ୍ର ଲକ୍ଷ୍ମୀ, ମୋହିନୀ ଶିଳାଲିପ ଶ୍ରୀୟା ଅଣ୍ଡାଳୁଣୀ ଓ ଶରତ ପୂଜାରୀଙ୍କୁ ଗଜପତି ମହାରାଜାଙ୍କ ଭୂମିକାରେ ଦେଖିବାକୁ ମିଳିଥିଲା।

ହିସାବ କରିବ କାଳିଆ:

୧୯୯୦ ମସିହାରେ ପରଦାକୁ ଆସିଥିଲା ଦେବୁ ବୋଷ, ଶ୍ରୀରାମ ପଣ୍ଡା, ମିହିର ଦାସ୍, ରାଇ ମୋହନ ପରିଡା ଅଭିନିତ ଓଡିଆ ଫିଲ୍ମ ‘ହିସାବ କରିବ କାଳିଆ’। ଏଥିରେ ଦେବୁବୋଷଙ୍କୁ ଦିନନାଥ ମାଷ୍ଟର ଭୂମିକାରେ ଦେଖିବାକୁ ମିଳିଥିବା ବେଳେ ଖଳନାୟକ ଚରିତ୍ରରେ ଦୁଖିରାମ ସ୍ୱାଇଁଙ୍କୁ ଦେଖିବାକୁ ମିଳିଥିଲା।

ଜଗା ହାତରେ ପଘା:

୨୦୧୫ ମସିହାରେ ମୁକ୍ତିଲାଭ କରିଥିଲା ‘ଜଗା ହାତରେ ପଘା’। ଏହି କଥାଚିତ୍ରଟି 'ତରଙ୍ଗ ସିନେ ପ୍ରଡକ୍ସନ'ର ୩ୟ ଚଳଚ୍ଚିତ୍ର ଥିଲା। ନିର୍ମଳ ନାୟକ ଏହାର ସଂଳାପ ରଚନା କରିଥିବା ବେଳେ ମୂରଲି କ୍ରିଷ୍ଣା ନିର୍ଦ୍ଦେଶନା ଦେଇଥିଲେ। ସଙ୍ଗୀତ ନିର୍ଦ୍ଦେଶକ ପ୍ରେମ ଆନନ୍ଦ ଗୀତଗୁଡ଼ିକର ସ୍ୱର ସଂଯୋଜନା କରିଥିଲେ। ଏଥିରେ ଅନୁଭବ ମହାନ୍ତି ଓ ଝିଲିକ୍ ଭଟ୍ଟାଚାର୍ଯ୍ୟ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ।

ବୁଦ୍ଧାଦିତ୍ୟ ମହାନ୍ତି ପ୍ରଥମ ଥର ପାଇଁ ଏହି ଚଳଚ୍ଚିତ୍ରରେ ଖଳନାୟକ ଭୂମିକାରେ ଅଭିନୟ କରିଥିଲେ। ଅଭିନେତ୍ରୀ ଏଲିନା ସାମନ୍ତରାୟ ଅନ୍ୟତମ ନାୟିକା ଭାବରେ ଅଭିନୟ କରିଥିଲେ। ଅଜିତ ଦାସ, ମୀନକେତନ, ଅସୀତ ପତି ପ୍ରମୁଖ କଳାକାରମାନେ ମଧ୍ୟ ଏଥିରେ ନଜର ଆସିଥିଲେ।

OTV is now on Whatsapp

Join and get latest news update delivered to you via whatsapp

Join Now