/odishatv-khabar/media/post_attachments/uploadimage/library/16_9/16_9_0/Adharapana_1657553686.jpg)
Adharapana
ସରି ସରି ଆସୁଛି ଘୋଷଯାତ୍ରା । ଶେଷ ହେଲା ଶ୍ରୀଜିଉଙ୍କ ଅଧରପଣା ନୀତି । ରଥାରୁଢ଼ ଚତୁର୍ଦ୍ଧା ମୂର୍ତ୍ତିଙ୍କଠାରେ ଲାଗି ହେବ ସୁସ୍ୱାଦୁ ଓ ସୁବାସିତ ପଣା । ୩ ରଥରେ ୩ଟି ଲେଖାଏଁ ମୋଟ ୯ଟି ମାଟି ତୁମ୍ଭରେ ଏହି ପଣା ଲାଗି ହେବାର ପରମ୍ପରା ରହିିଛି । ଏହି ତୁମ୍ଭର ଉଚ୍ଚତା ମହାପ୍ରଭୁଙ୍କ ଅଧର ଉଚ୍ଚର ହୋଇଥିବାରୁ ଏହାକୁ ଅଧର ପଣା କୁହାଯାଏ । ତେବେ ଏହି ପଣା ରଥ ଉପରେ ଲାଗି ପରେ ସେହିଠାରେ ହିଁ ହାଣ୍ଡିକୁ ଭାଙ୍ଗି ଦିଆଯାଇଥାଏ । ରଥରେ ଥିବା ପାର୍ଶ୍ୱ ଦେବଦେବୀ, ଚଣ୍ଡି ଚାମଣ୍ଡା ଓ ଅଶରୀରୀମାନଙ୍କ ଉଦ୍ଦେଶ୍ୟରେ ଏହି ପଣା ଅର୍ପଣ କରାଯାଇଥାଏ । ଆଜିର ଅଧରପଣା ନୀତି ସମାପ୍ତ ପରେ ଆସନ୍ତାକାଲି ନବଦିନାତ୍ମକ ଯାତ୍ରା ସାରି ନିଳକନ୍ଦରକୁ ବାହୁଡିବେ ଚତୁର୍ଦ୍ଧାମୂରତି । ଅଧରପଣା ନୀତି ଦର୍ଶନ ପାଇଁ ସିଂହଦ୍ୱାର ସମ୍ମୁଖରେ ଭକ୍ତଙ୍କ ଭିଡ଼ ଲାଗିଛି ।
ସୂଚନାଯୋଗ୍ୟ, ବାହୁଡା ଯାତ୍ରା ପରେ ଅର୍ଥାତ ଆଷାଢ଼ ଶୁକ୍ଳପକ୍ଷ ତ୍ରୟୋଦଶୀ ତିଥିରେ ସିଂହଦ୍ୱାରଠାରେ ତିନି ରଥ ଉପରେ ସୁନାବେଶ ପରେ ଠାକୁରମାନଙ୍କ ଉଦ୍ଦେଶ୍ୟରେ ଅଧର ପଣା ଭୋଗ ହୋଇଥାଏ । ରଥାରୂଢ଼ ଠାକୁରମାନଙ୍କ ଅଧର ଉଚ୍ଚ ପର୍ଯ୍ୟନ୍ତ ଏକ ସ୍ୱତନ୍ତ୍ର ଶୈଳୀରେ ନିର୍ମିତ ମାଟି ହାଣ୍ଡିରେ ହେଉଥିବା ପଣା ଭୋଗକୁ ଅଧର ପଣା କୁହାଯାଏ। ସ୍ୱତ୍ତ୍ୱଲିପି ଅନୁଯାୟୀ ବାହୁଡା ଦଶମୀ ଦିନ ତ୍ରିରଥ ସିଂହଦ୍ୱାର ନିକଟରେ ପହଞ୍ଚିବା ପରେ ଅଧର ପଣା ଭୋଗ ହେବା ନିୟମ ରହିଛି। କିନ୍ତୁ ସମୟ ଅଭାବରୁ ଏହା ଏକାଦଶୀ ଦିନ ଅନୁଷ୍ଠିତ ହୋଇଥାଏ।
ବାସ୍ତବ କଥା ଦେଖିବାକୁ ଏହା ଏକାଦଶୀ ଦିନ ମଧ୍ୟ ହୋଇ ନ ପାରି ଦ୍ୱାଦଶୀ ତିଥିରେ କରାଯାଉଛି। ଗବେଷକ ଡଃ ସୁରେନ୍ଦ୍ର କୁମାର ମିଶ୍ର ଓଡ଼ିଆ ମଠରୁ ପ୍ରାପ୍ତ ସନନ୍ଦକୁ ଆଧାର କରି ଉଲ୍ଲେଖ କରିଛନ୍ତି ଯେ, ପୂର୍ବେ ବାହୁଡା ଦଶମୀ ଦିନ ତିନି ହାଣ୍ଡି, ଏକାଦଶୀରେ ତିନି ହାଣ୍ଡି ଓ ଦ୍ୱାଦଶୀ ଦିନ ତିନି ହାଣ୍ଡି ଏହିପରି ନଅ ହାଣ୍ଡି ଅଧର ପଣା ଓ ବଳଭଦ୍ରଙ୍କ ରଥରେ ରାମ, କୃଷ୍ଣଙ୍କ ଇଦ୍ଦେଶ୍ୟରେ ୨ ହାଣ୍ଡି ଓ ଜଗନ୍ନାଥଙ୍କ ରଥରେ ମଦନମୋହନ ଠାକୁରଙ୍କ ନିମିତ୍ତ ୧ ହାଣ୍ଡି କ୍ରମରେ ମୋଟ ୧୨ଟି ହାଣ୍ଡି ଅଧର ପଣା ଭୋଗ ହେଉଥିଲା। ବର୍ତ୍ତମାନ ତିନି ରଥ ପାଇଁ ଦ୍ୱାଦଶୀ ଦିନ ମୋଟ ୯ ହାଣ୍ଡି ଅଧର ପଣା ଭୋଗ ହେଉଛି।
ଆଷାଢ଼ ଶୁକ୍ଳ ଏକାଦଶୀ ଦିନ ରଥ ଉପରେ ଠାକୁରମାନଙ୍କ ମଧ୍ୟାହ୍ନ ଧୂପ ଶେଷ ହେବା ପରେ ଅଧର ପଣା ପ୍ରସ୍ତୁତି ଓ ନୀତି ଆରମ୍ଭ ହୋଇଥାଏ। ମନ୍ଦିର ପ୍ରଶାସନ, ରାଘବ ଦାସ ଓ ବଡ଼ ଓଡ଼ିଆ ମଠ ପ୍ରଦତ୍ତ ଛାଚି, ସର, କଦଳୀ, ଛେନା, ଗୋଲମରିଚ ଗୁଣ୍ଡ, କର୍ପୂର, ଜାଇଫଳ ଇତ୍ୟାଦି ମିଶି ଏହି ଭୋଗ ପ୍ରସ୍ତୁତ ହୁଏ। ପ୍ରତ୍ୟେକ ଠାକୁରଙ୍କ ସମ୍ମୁଖରେ ରଥ ଉପରେ ଭୋଗ ହେଉଥିବା ସ୍ଥାନରେ ମହାପ୍ରଭୁଙ୍କର ଶ୍ରୀଅଧର ଉଚ୍ଚ ଥିବା ତୁମ୍ବ ଆକୃତି ଭଳି ମାଟିର ତିନୋଟି ହାଣ୍ଡି ରଖାଯାଏ।
ପ୍ରତ୍ୟେକ ହାଣ୍ଡି ସମାନ ମାପର ହୋଇ ନ ଥାଏ। ପୂର୍ବରୁ ପାଣିଆ ଆପଟ ସେବକମାନେ ସିଂହଦ୍ୱାର ଛାଉଣୀ ମଠ ସମ୍ମୁଖସ୍ଥ କୂପରୁ ଗରାରେ ପାଣି କାଢି ରଥ ଉପରକୁ ବୋହି ବଡ଼ ପିତଳ ହଣ୍ଡାରେ ରଖିଥାନ୍ତି । ପୂର୍ବରୁ ଅଧର ପଣା ପାଇଁ ଆବଶ୍ୟକ ପାଣି ରାଧାବଲ୍ଲଭ ମଠ କୂଅରୁ ଆସୁଥିଲା। ବର୍ତ୍ତମାନ ସିଂହଦ୍ୱାରା ସମ୍ମୁଖ କୂଅରୁ ଏହି ପାଣି ଅଣାଯାଉଛି। ପାଣି ବୁହା ବେଳେ ମନ୍ଦିର ଚର୍ଚ୍ଚା ଓ ବରକନ୍ଦାଜ କର୍ମଚାରୀମାନେ ଆଗରେ ଗୁଆ ଖୋଳପା ଧରି ଲୋକଙ୍କୁ ଆଡେଇଥାନ୍ତି, ଯେପରିକି କେହି ପାଣିକୁ ସ୍ପର୍ଶ କରିପାରିବେ ନାହିଁ।
ଅଧର ପଣା ଭୋଗ ପୂରରୁ ମହାସୁଆରମାନେ ଥାଇ ଭିତରଚ୍ଛ, ତଳୁଚ୍ଛ ଓ ସୁଭଦ୍ରାଙ୍କ ରଥରେ ପାଳିଆ ପୁଷ୍ପାଳକ ଅଧର ଆଗରେ ଖଣ୍ଡେ ନୂଆ ଗାମୁଛା ଟେରା ଧରିଥାନ୍ତି। ଅଧରପଣା ହାଣ୍ଡି ଉପରେ ଖଣ୍ଡେ ଲେଖାଏଁ ଧଳା କରିକା (ଜାଲିକନା) ପକାଯାଏ। ପାଣି ଛଣା ଉଦ୍ଦେଶ୍ୟରେ ଏହା ପକାଯାଏ ବୋଲି ମତ ରହିଛି।
ମହାସୁଆରମାନେ ପ୍ରତି ରଥରେ ଅଧର ହାଣ୍ଡିରେ ପଣା ପ୍ରସ୍ତୁତ କରିଥାନ୍ତି। ଏହାପରେ ପତ୍ରିବଡ଼ୁ, ସୁଆରବଡ଼ୁ ଓ ଗରାବଡ଼ୁ ପାଳିଆ ସେବକ ତିନି ରଥରେ ପୂଜା କରନ୍ତି। ପରେ ପାଳିଆ ପୂଜା ପଣ୍ଡା ପଞ୍ଚୋପଚାରରେ ପୂଜା କରିଥାନ୍ତି। ଭୋଗ ହେବା ପରେ ପଣା ଥିବା ହାଣ୍ଡିଗୁଡ଼ିକୁ ରଥ ଉପରେ ଭାଙ୍ଗି ଦିଆଯାଏ। ରଥଗୁଡ଼ିକରେ ଥିବା ପାର୍ଶ୍ୱଦେବଦେବୀ, ଚଣ୍ଡିଚାମୁଣ୍ଡା ତଥା ଅଶରୀରୀମାନଙ୍କ ଉଦ୍ଧାର ନିମନ୍ତେ ପଣା ହାଣ୍ଡି ସବୁକୁ ଭୋଗ ହେବା ପରେ ଭାଙ୍ଗି ଦିଆଯିବାର ବିଧି ରହିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)