• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଆଜି ଜ୍ୟେଷ୍ଠ ମାସର ପବିତ୍ର ପୂର୍ଣ୍ଣମୀ ତିଥି । ଅନୁଷ୍ଠିତ ହେଉଛି ଶ୍ରୀଜିଉଙ୍କ ଦେବସ୍ନାନ ନୀତି । ରତ୍ନବେଦି ଛାଡ଼ି ସ୍ନାନବେଦିକୁ ବିଜେ କରିଛନ୍ତି ଚତୁର୍ଦ୍ଧାମୂରତି । ୧୦୮ ଗରା ସୁବାସିତ ଜଳରେ ଆଜି ସ୍ନାନ କରିବେ ଶ୍ରୀଜିଉ । ଦେବସ୍ନାନ ପୂର୍ଣ୍ଣମୀ ଲାଗି ଚଳଚଞ୍ଚଳ ଶ୍ରୀକ୍ଷେତ୍ର ।  ଧାଡ଼ି ପହଣ୍ଡିରେ ଆସି ସ୍ନାନମଣ୍ଡପରେ ବିଜେ କଲେ ଶ୍ରୀଜିଉ । ପ୍ରଥମେ ଚକ୍ରରାଜ ସୁଦର୍ଶନ, ପରେ ଶ୍ରୀବଳଭଦ୍ର ବିଜେ କଲେ । ଧାଡ଼ିପହଣ୍ଡିରେ ଦେବୀ ସୁଭଦ୍ରା, ଶେଷରେ ଶ୍ରୀଜଗନ୍ନାଥ ବିଜେ କଲେ ।

ଦେବସ୍ନାନ ପୂର୍ଣ୍ଣିମା

ଦେବସ୍ନାନ ପୂର୍ଣ୍ଣିମା ବା ସ୍ନାନଯାତ୍ରା, ଜ୍ୟେଷ୍ଠ ମାସ ଶୁକ୍ଳପକ୍ଷ ପୂର୍ଣ୍ଣିମା ତିଥିରେ ଶ୍ରୀକ୍ଷେତ୍ରରେ ପାଳନ କରାଯାଏ । ଏହି ଦିନ ଶ୍ରୀମନ୍ଦିରର ସ୍ନାନ ମଣ୍ଡପରେ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ପାରମ୍ପରିକ ରୀତିରେ ବେଦଧ୍ୱନି ପୂର୍ବକ ୧୦୮ କଳସୀ ଜଳରେ ସ୍ନାନ କରାଯାଏ । ଏହା ପରେ ଦିଅଁମାନଙ୍କୁ ଗଜାନନ ବେଶରେ ସଜ୍ଜିତ କରାଯାଇଥାଏ । ସାଧାରଣତଃ ବର୍ଷରେ ଥରୁଟିଏ ଶ୍ରୀ ଜଗନ୍ନାଥ ଭାଇଭଉଣୀଙ୍କ ସହିତ ଜଳସ୍ନାନ କରନ୍ତି, ଅନ୍ୟ ସମୟରେ ତାଙ୍କୁ ମନ୍ତ୍ରସ୍ନାନ କରାଯାଏ । ଏହି ଦିନକୁ ଜଗନ୍ନାଥଙ୍କର ଜନ୍ମଦିନ ରୂପରେ ମଧ୍ୟ ପାଳନ କରାଯାଇଥାଏ । ଏହା ରଥଯାତ୍ରା ଆଗରୁ ପାଳିତ ହେଉଥିବା ଏକ ପୂଜା ବିଧି ।

ଇତିହାସ

ଦାରୁବ୍ରହ୍ମଙ୍କ ଲୀଳାକ୍ଷେତ୍ର ପୁରୁଷୋତ୍ତମ କ୍ଷେତ୍ରରେ ମହାପ୍ରଭୁଙ୍କ ସ୍ନାନ ଉତ୍ସବ ବା ମଞ୍ଚସ୍ନାନ ଏକ ଶାସ୍ତ୍ରୀୟ ଭିତ୍ତ ଭୂମିର ଲୀଳା । ମହାପ୍ରଭୁଙ୍କ ଆବିର୍ଭାବ ବେଳେ ପ୍ରଥମେ ଏହି ସ୍ନାନ ହୋଇଥିବରୁ ଶ୍ରୀଦାରୁବ୍ରହ୍ମଙ୍କ ଆଦ୍ୟଲୀଳା ବୋଲି କୁହାଯାଏ । ମହାପ୍ରଭୁ ଦାରୁବ୍ରହ୍ମ ରୂପ ଧାରଣ କରିବା ପରେ ପ୍ରଥମ ମଙ୍ଗଳମୟ ମୁହୂର୍ତ୍ତରେ ଏହି ସ୍ନାନଲୀଳା କରାଇଥିଲେ ମହାରାଜା ଇନ୍ଦ୍ରଦ୍ୟୁମ । ସେତେବେଳେ ସ୍ନାନମଣ୍ଡପ ନଥିବାରୁ ଏକ କାଠର ମଞ୍ଚ ନିର୍ମାଣ କରାଯାଇ ତାହା ଉପରେ ସ୍ନାନବିଧି ସମାପନ ହୋଇଥିଲା ।

ସେଥିପାଇଁ ଅନେକ ଶାସ୍ତ୍ରରେ ଏହା ମଞ୍ଚସ୍ନାନ ବୋଲି ଉଲ୍ଲେଖ ହୋଇଛି । ଶାସ୍ତ୍ରମତରେ ୧୦୮ ସୁନା କଳସରେ ଅଭିମନ୍ତ୍ରିତ ପବିତ୍ର ଜଳରେ ଦାରୁବ୍ରହଙ୍କ ଆଦ୍ୟ ସ୍ଥାନଲୀଳା ସମାପନ ହୋଇଥିଲା । ସେହି ଶାସ୍ତ୍ରୀୟ ମତକୁ ଅନୁସରଣ କରି ଆଜି ବି ସେହିପରି ସ୍ନାନଯାତ୍ରା ଅନୁଷ୍ଠିତ ହେଉଅଛି । ସୂଚନାଯୋଗ୍ୟ, ଶାସ୍ତ୍ର ମତରେ ଜ୍ୟୋଷ୍ଠ ପୂର୍ଣ୍ଣିମା ଦିବସରେ ମହାପ୍ରଭୁଙ୍କ ଆବିର୍ଭାବ ହୋଇଥିଲା । ଜ୍ୟୋଷ୍ଠମାସ ପୂର୍ଣ୍ଣମୀରେ ମହାପ୍ରଭୁଙ୍କ ପ୍ରଥମ ସ୍ଥାନଲୀଳା ଜାତି, ବର୍ଣ୍ଣ, ନିର୍ବଶେଷରେ ସମସ୍ତେ ଦର୍ଶନ କରିଥିବାରୁ ଏହି ଲୀଳାକୁ ପତିତପାବନ ଲୀଳା କୁହାଯାଏ ।