• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଦିନକ ପରେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା । ଶ୍ରୀକ୍ଷେତ୍ରରେ ଏବେଠୁ ଲାଗିଲାଣି ଭକ୍ତଙ୍କ ଗହଳି । ସୃଷ୍ଟି ହୋଇଛି ଭକ୍ତିମୟ ପରିବେଶ । ଆଜି ଶ୍ରୀଜିଉଙ୍କ ନବଯୌବନ ଦର୍ଶନ ।  ୧୫ ଦିନର ଅନବସର ପରେ ଭକ୍ତଙ୍କୁ ଦର୍ଶନ ଦେବେ ମହାବାହୁ । ଦୁଇବର୍ଷ ପରେ ନବଯୌବନ ଦର୍ଶନ ଲାଗି ଏଥର ଶ୍ରୀମନ୍ଦିରରେ ଭକ୍ତଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିଛି ପ୍ରଶାସନ ।

ସକାଳ ୮ଟାରେ ତାଟି ଫିଟିବା ପରେ ପ୍ରଥମେ ଏକ ଘଣ୍ଟା ପରିମାଣିକ ଦର୍ଶନ ପାଇଁ ଧାର୍ଯ୍ୟ ହୋଇଛି । ଏହା ପରେ ସକାଳ ୯ଟାରୁ ୧୦ଟା ୩୦ ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ସମୟ ରହିଛି । ବିଶେଷ ନୀତି ନିମନ୍ତେ ସକାଳ ୧୦ଟା ୩୦ରୁ ଅପରାହ୍ନ ୨ଟା, ଅପରାହ୍ନ ୩ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ସନ୍ଧ୍ୟା ୬ଟା ୩୦ରୁ ରାତି ୯ଟା ଯାଏଁ ଏବଂ ରାତି ୧୦ଟା ୩୦ରୁ ୧୧ଟା ୩୦ ପର୍ଯ୍ୟନ୍ତ ମଧ୍ୟ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ।

ଅପରାହ୍ନ ୨ଟାରୁ ୩ଟା ପର୍ଯ୍ୟନ୍ତ ଏକ ଘଣ୍ଟା ଏବଂ ସନ୍ଧ୍ୟା ୬ଟାରୁ ୬ଟା ୩୦ ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ଉପଲବ୍ଧ ହେବ । ଏପଟେ ରାତି ୯ଟାରୁ ୧୦ଟା ୩୦ ଏବଂ ରାତି ୧୧ଟା ୩୦ରୁ ୧୨ ଟା ୩୦ ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ଉପଲବ୍ଧ ହେବ । ନବଯୌବନ ଦର୍ଶନ ପୂର୍ବରୁ ଗତକାଲି ଶ୍ରୀଜିଉଙ୍କ ବନକ ଲାଗି ଓ ଚନ୍ଦନ ଲାଗି କରାଯାଇଛି । ଆଜି ମହାପ୍ରଭୁଙ୍କ ନବଯୌବନ ଦର୍ଶନ ସହ ନେତ୍ରୋତ୍ସବ ଅନୁଷ୍ଠିତ ହେବ । ଆସନ୍ତାକାଲି ହେବ ମହାପ୍ରଭୁଙ୍କ ଉଭାଯାତ୍ରା । ଏହି ଦିନ ସନ୍ଧ୍ୟା ୫ଟା ପରେ ମହାପ୍ରଭୁଙ୍କ ସର୍ବସାଧାରଣ ଦର୍ଶନ ଉପଲବ୍ଧ ହେବନାହିଁ ।

ଚଳିତବର୍ଷ ଦୁଇ ଦିନ ନବଯୌବନ ଦର୍ଶନ ପଡୁଥିବାରୁ ତାପରଦିନ ଅର୍ଥାତ୍ ଗୁରୁବାର ଉଭାଯାତ୍ରାରେ ଦର୍ଶନ ଦେବେ ମହାପ୍ରଭୁ । ଶ୍ରୀଗୁଣ୍ଡିଚା ନୀତି କାନ୍ତି ଓ ପହଣ୍ଡି ପ୍ରସ୍ତୁତି ପାଇଁ ଗୁରୁବାର ସନ୍ଧ୍ୟା ୫ଟାରୁ ବନ୍ଦ ରହିବ ମହାପ୍ରଭୁଙ୍କ ସର୍ବସାଧାରଣ ଦର୍ଶନ । ନବଯୌବନ ଦର୍ଶନ ପୂର୍ବରୁ ଆଜି ଶ୍ରୀଜିଉଙ୍କ ବନକଲାଗି ଓ ଚନ୍ଦନଲାଗି କରାଯାଇଛି ।

ଅନ୍ୟପଟେ ଘୋଷଯାତ୍ରା ପାଇଁ ବଡଦାଣ୍ଡରେ ଠିଆ ତିନି ରଥ ନିର୍ମାଣ କାର୍ଯ୍ୟ ପ୍ରାୟ ଶେଷ ପର୍ଯ୍ୟାୟରେ । ରଥରୁ ମେଣ୍ଡି କଢ଼ାଯିବା ପରେ ତିନି ପାର୍ଶ୍ୱରେ ୨୭ଟି ଶିଖର ଡମ୍ବୁରୁ ଲଗାଯାଇଛି । ପରେ ସେଥିରେ ସ୍ଥାପନ କରାଯାଇଛି ପାର୍ଶ୍ୱ ଦେବାଦେବୀଙ୍କୁ । ରଥର ପ୍ରଭା, ଚକ, ମୁହାଁଟ, ଘୋଡା ଓ ସାରଥୀରେ ରଙ୍ଗ ଦେଉଛନ୍ତି ଚିତ୍ରକର ।