• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

ନୂଆ ସରକାର, ନୂଆ ରତ୍ନଭଣ୍ଡାର ଯାଞ୍ଚ କମିଟି । କେବେ ଖୋଲିବ ମହାପ୍ରଭୁଙ୍କ ଭଣ୍ଡାର ଘର ସେ ନେଇ ଆସନ୍ତାକାଲି କମିଟିର ପ୍ରଥମ ବୈଠକ ପରେ ଜଣାପଡ଼ିବ । ତେଣେ କମିଟିର ଅଧ୍ୟକ୍ଷ ଜଷ୍ଟିସ୍ ବିଶ୍ବନାଥ ରଥ କହିଛନ୍ତି- ୪୬ ବର୍ଷ ପରେ ଆମେ ଏ କାର୍ଯ୍ୟ କରିବାକୁ ଯାଉଥିବାରୁ ବୈଠକ ପରେ ଏସଓପି ପ୍ରସ୍ତୁତ ହେବ । ତେଣେ ଆଇନମନ୍ତ୍ରୀ କହିଛନ୍ତି- ରତ୍ନଭଣ୍ଡାର ଖୋଲିବା ନେଇ କାଲି ମୋଡାଲିଟି ଫିକ୍ସ ହେବ, ତାରିଖ ବି ଘୋଷଣା ହେବ ।

ଏଇ ରଥଯାତ୍ରା ଭିତରେ ? ନା ନୀଳାଦ୍ରି ବିଜେ ପରେ ? କେବେ ଖୋଲିବ ଶ୍ରୀମନ୍ଦିର ରତ୍ନଭଣ୍ଡାର ? କାଲି ଆସିବ ସ୍ପଷ୍ଟ ଚିତ୍ର, ଶନିବାର ବସୁଛି ରାଜ୍ୟ ସରକାର ନୂଆକରି ଗଢିଥିବା ରତ୍ନଭଣ୍ଡାର ଯାଞ୍ଚ କମିଟିର ପ୍ରଥମ ମିଟିଂ । ଏଣେ ବୈଠକ ପୂର୍ବରୁ OTVକୁ ପ୍ରଥମ ପ୍ରତିକ୍ରିୟା ଦେଇ କମିଟିର ଅଧ୍ୟକ୍ଷ ଜଷ୍ଟିସ ବିଶ୍ବନାଥ ରଥ କହିଛନ୍ତି- ଠାକୁରଙ୍କ ନିର୍ଦ୍ଦେଶରେ ସରକାର ନୋଟିଫିକେସନ କରି ନୂଆ କମିଟି ଗଢିଛନ୍ତି । ବୈଠକରେ ୧୬ ଜଣ ଦକ୍ଷ ଓ ବିଶେଷଜ୍ଞ ଅଛନ୍ତି, ସେମାନଙ୍କ ସହ ପ୍ରଥମେ ବିସ୍ତୃତ ଆଲୋଚନା ହେବ । ପ୍ରଥମ ଦାୟିତ୍ବ ଭାବେ ରତ୍ନଭଣ୍ଡାର ଖୋଲିବା ପରେ ଗଣତି ଓ ମଣତି ଉପରେ ନିଷ୍ପତ୍ତି ନିଆଯିବ । ଭିତର ଓ ବାହାର ରତ୍ନଭଣ୍ଡାରର ଗହଣାକୁ କାଢ଼ି ସୁରକ୍ଷାରେ ରଖିବା ବି ବଡ଼ କାମ । ୪୬ ବର୍ଷ ପରେ ଆମେ ଏ କାର୍ଯ୍ୟ କରିବାକୁ ଯାଉଛୁ- ତେଣୁ କମିଟି ନିଷ୍ପତ୍ତି ଅନୁସାରେ ଏସଓପି ପ୍ରସ୍ତୁତ କରାଯିବ।

ସେପଟେ ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି- ୨୪ବର୍ଷ ଧରି ଯେଉଁ ସରକାର ରତ୍ନଭଣ୍ଡାର ଖୋଲିବା ନିଷ୍ପତ୍ତି ନେଇ ପାରି ନ ଥିଲେ କ୍ଷମତାକୁ ଆସିବାର ମାତ୍ର ୨୪ ଦିନରେ ବିଜେପି ସରକାର ରତ୍ନଭଣ୍ଡାର ଖୋଲିବାକୁ ନୂଆ କମିଟି ଗଢ଼ିଛନ୍ତି । କାଲି କମିଟି ବୈଠକରେ ଏ ନେଇ ମୋଡାଲିଟି ଫିକ୍ସ ହେବ ଓ ଭଣ୍ଡାରଘର କେବ ଖୋଲିବ ସେ ତାରିଖ ବି ଘୋଷଣା ହେବ । ରତ୍ନଭଣ୍ଡାରରେ ପ୍ରତିଟି ଦୃଶ୍ୟର ଡିଜିଟାଇଜେନସ ହେବ, ଯାହା ଆଗାମୀ ୫୦ ବର୍ଷ ପାଇଁ ଶ୍ରୀମନ୍ଦିର ପ୍ରଶାସନ ଲାଗି ଦରକାରୀ ସାବ୍ୟସ୍ତ ହେବ ।

ସେପଟେ ନୂଆ ରତ୍ନଭଣ୍ଡାର ଯାଞ୍ଚ କମିଟିରେ ସଦସ୍ୟ ଭାବେ ସ୍ଥାନ ପାଇଥିବା ଶ୍ରୀମନ୍ଦିର ଛତିଶାନିଯୋଗ ନାୟକ ଜନାର୍ଦ୍ଦନ ପାଟଯୋଶୀ ମହାପାତ୍ର କହିଛନ୍ତି- ମାଲିକ ଘରେ ନ ଥିବା ସମୟରେ ତାଙ୍କ ଅଳଙ୍କାର ବାକ୍ସ ଖୋଲିବା ଠିକ୍ ହେବନି । ତେଣୁ ନିଳାଦ୍ରୀ ବିଜେ ପରେ ହିଁ ରତ୍ନଭଣ୍ଡାର ଖୋଲି ଗଣତି ଓ ମଣତି ପାଇଁ ସେ ପ୍ରସ୍ତାବ ରଖିବେ ।

ମାର୍ଚ୍ଚ ୨, ୨୦୨୪ରେ ଗତ ବିଜେଡି ସରକାର ଜଷ୍ଟିସ ଅରିଜିତ୍ ପଶାୟତଙ୍କ ନେତୃତ୍ବରେ ଏକ ରତ୍ନଭଣ୍ଡାର ଯାଞ୍ଚ କମିଟି ଗଠନ କରିଥିଲେ । ଏମିତିକି ରତ୍ନଭଣ୍ଡାର ଖୋଲିବା ଉପରେ ଆଲୋଚନା ଲାଗି କମିଟି ମୁଖ୍ୟ ବି ଓଡ଼ିଶା ଆସିଥିଲେ । ହେଲେ ଗତକାଲି ହଠାତ୍ ମୋହନ ସରକାର ସେ ପୁରୁଣା କମିଟିକୁ ଭାଙ୍ଗି ଏକ ନୂଆ କମିଟି ଗଢିଛନ୍ତି । ଯେଉଁଥିରେ ମୁଖ୍ୟ ଭାବେ ଜଷ୍ଟିସ୍ ବିଶ୍ବନାଥ ରଥଙ୍କ ସହ ଗଜପତିଙ୍କ ପ୍ରତିନିଧି, ଏଏସଆଇ ପ୍ରତିନିଧି ଓ ପୁରୀ ଜିଲ୍ଲାପାଳ ସଦସ୍ୟ ଓ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସଦସ୍ୟ ସଂଯୋଜକ ଅଛନ୍ତି। ତେବେ ନୂଆ କମିଟି କେବଳ ଅଳଙ୍କାର ଗଣତି-ମଣତି ଓ ରତ୍ନଭଣ୍ଡାର ମରାମତି ଉପରେ ଧ୍ୟାନ ଦେବ ନା ୨୦୧୮ ମସିହା ରତ୍ନଭଣ୍ଡାର ଯାଞ୍ଚବେଳେ ଡୁପ୍ଲିକେଟ୍ ଚାବି କଥା ବି ଉଖାରିବ, ତାଉପରେ ରହିଛି ନଜର।

  • Reported by:
  • GAUTAM PANDA , MADHUSUDAN MISHRA , JAGDISH DAS

OTV is now on Whatsapp

Join and get latest news update delivered to you via whatsapp

Join Now