/odishatv-khabar/media/post_attachments/uploadimage/library/16_9/16_9_0/rath_1751039587.jpg)
rath
ରଥଯାତ୍ରାରେ ସେବା। ଲକ୍ଷ ଲକ୍ଷ ଭକ୍ତଙ୍କ ଭିଡ଼ ଭିତରେ କିଏ ଆମ୍ବୁଲାନ୍ସକୁ ବାଟ କଢ଼ାଇ ନେଇଥିଲେ ତ କିଏ ସିଞ୍ଚୁଥିଲେ ପାଣି। କେହି କେହି ଭକ୍ତଙ୍କୁ ମାଗଣା ଆହାର ଦେଇ ପେଟ ପୂରାଉଥିଲେ ତ କିଏ ପାଣି ଓ ସର୍ବତ ଦେଇ ଶୋଷ ମେଣ୍ଟାଉଥିଲେ। ପୋଲିସ ହୁଅନ୍ତୁ କି ସ୍ବେଚ୍ଛାସେବୀ ଅବା ଦାତବ୍ୟ ଅନୁଷ୍ଠାନ, ନିସ୍ବାର୍ଥପର ଭାବରେ ସେବା ମନୋଭାବ ନେଇ ନିଜକୁ ନିଜକୁ ଜଗା ଶରଣରେ ସମର୍ପି ଦେଇଥିଲେ ସମସ୍ତେ।
ଅଧିକ ପଢନ୍ତୁ: ଭକ୍ତି ଓ ଭାବରେ ଭିଜିଲା ବଡ଼ଦାଣ୍ଡ, ଭାଇଭଉଣୀଙ୍କୁ ଧରି ଜନ୍ମବେଦୀ ଅଭିମୁଖେ କାଳିଆ
ଜଗାର ଯାତ୍ରାରେ ଭକ୍ତି ଓ ସେବାର ନିଆରା ଅନୁଭୂତି। ପୋଲିସ ହେଉ କି ଅଗ୍ନିଶମ ବାହିନୀ। ଏନଡିଆରଏଫ୍ ଅବା ଓଡ୍ରାଫ୍ ଟିମ୍। ସ୍ବେଚ୍ଛାସେବୀ ଅନୁଷ୍ଠାନ ହୁଅନ୍ତୁ କି ସ୍ପେଶାଲ୍ ଏମର୍ଜେନ୍ସୀ ଟିମ୍। ସ୍କାଉଟ୍ ଗାଇଡ୍ ସହ ଆରଏସଏସ୍, ଏବିଭିବି କର୍ମୀ, ପୁଣି ସାଧାରଣ ଭକ୍ତ। କିଏ ଆମ୍ବୁଲାନ୍ସକୁ ବାଟ କଢ଼ାଇ ନେଉଥିଲେ ତ କେହି ଭିଡ଼ ନିୟନ୍ତ୍ରଣରେ ଅହରହ ଲାଗିଥିଲେ। ଟ୍ରାଫିକ ପରିଚାଳନା ହେଉ କି ପୋଲିସକୁ ସହାୟତା। ଦେବଦୂତ ସାଜି ଅସୁସ୍ଥ ଭକ୍ତଙ୍କୁ ଉଦ୍ଧାର କରି ପୁଣି ହସ୍ପିଟାଲ ଦୁଆରେ ପହଞ୍ଚାଇବାର ମହାନତା। ଜନସମୁଦ୍ର ଭିତରେ ନିଃସ୍ବାର୍ଥପର ସେବାର ଏଭଳି ମାଳ ମାଳ ଚିତ୍ର ଦେଖିବାକୁ ମିଳିଥିଲା ଶ୍ରୀକ୍ଷେତ୍ରରେ। ଭକ୍ତଙ୍କ ଉପରେ ତୁହାକୁ ତୁହା ପାଣି ସିଞ୍ଚନ କରୁଥିଲା ଅଗ୍ନିଶମ ବାହିନୀ। ବଡ଼ଦାଣ୍ଡରେ ୧୬ ସ୍ପ୍ରିଙ୍କଲର ଟିମ୍ ନିୟୋଜିତ ହୋଇଥିଲେ। ବହୁ ଅନୁଷ୍ଠାନ ପକ୍ଷରୁ ବି ଏଭଳି ପାଣି ସିଞ୍ଚନ ହେଉଥିଲା।
ଭିଡ଼ ଭିତରେ କେହି ଅସୁସ୍ଥ ହେଲେ ତୁରନ୍ତ କିଭଳି ହସ୍ପିଟାଲ ପହଞ୍ଚିବେ ସେଥିପାଇଁ ହୋଇଥିଲା ବିଶାଳ ଗ୍ରୀନ୍ କରିଡର। ବଡ଼ଦାଣ୍ଡରେ ହାତକୁ ହାତ ଛନ୍ଦି ସ୍ବେଚ୍ଛାସେବୀ ସଂଗଠନ ସଦସ୍ୟ ସକାଳୁ ସଞ୍ଜ ଯାଏଁ ସେବା ଯୋଗାଇଥିଲେ। ଭିଡ଼ ଭିତରେ ଭକ୍ତଙ୍କ ହାତକୁ କିଏ ପାଣି ଓ ସର୍ବତ ବଢ଼ାଇ ଶୋଷ ମେଣ୍ଟାଉଥିଲେ ତ କିଏ ଆହାର ଦେଇ ଭୋକିଲାର ପେଟ ପୂରାଉଥିଲେ। କେହି କେହି ଗୁଳୁଗୁଳିରୁ ମୁକ୍ତି ପାଇଁ ବିଞ୍ଚଣାରେ ବିଞ୍ଚି ପକାଉଥିବା ଦେଖିବାକୁ ମିଳିଥିଲା। ସେବା ସହ ନିଜକୁ ଜଗା ଶରଣରେ ସମର୍ପି ଦେଇଥିଲେ ସମସ୍ତେ। କେହି ଥକି ପଡୁ ନଥିଲେ କି ଅଟକି ବି ଯାଉ ନଥିଲେ।
ଏନସିସି, ରେଡକ୍ରସ ପିଲା ବି ଯୋଗାଇଥିଲେ ସେବା। ନଥିଲା ଜାତି, ଧର୍ମ କି ବର୍ଣ୍ଣର ବାଛ ବିଚାର। ମହା ଆନନ୍ଦରରେ ମହାପ୍ରଭୁଙ୍କ ସେବାରେ ନିଜକୁ ହଜେଇ ଦେଇଥିଲେ ସ୍ବେଚ୍ଛାସେବୀ ଓ ଦାତବ୍ୟ ଅନୁଷ୍ଠାନ। ପୁରୁଷଙ୍କ ସହ ଶହ ଶହ ମହିଳା ଓ ଛାତ୍ରଛାତ୍ରୀ ବି ସାମିଲ ହୋଇଥିଲେ। ଏଥର ରଥଯାତ୍ରାରେ ଭଲ ଥିଲା ପାଗ। ବିଲକୁଲ ଖରା ନଥିଲା। ଘୋଡ଼ା ଘୋଡ଼ା ଆକାଶରୁ ମଝିରେ ମଝିରେ ଝରୁଥିଲା ଝିପିଝିପି ବର୍ଷା। ଗୁଳୁଗୁଳି ଭିତରେ ଜଗାକୁ ଦେଖି ଗ୍ଲାନି ଓ ଦୁଃଖ ଭୁଲିଥିଲେ ଲକ୍ଷ ଲକ୍ଷ ଭକ୍ତ। ଆଉ ସେବା ଯୋଗାଇ ମହା ଆନନ୍ଦ ସାଉଁଟିଥିଲେ ସ୍ବେଚ୍ଛାସେବୀ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)