Advertisment

ଆଡ଼ପ ପହଣ୍ଡିବେଳେ ଅଘଟଣ, ଚାରମାଳ ଉପରେ ହାମୁଡେଇ ପଡ଼ିଲେ ଜଗନ୍ନାଥ

କଣ ସେବକମାନେ ଖାମଖିଆଲି ଭାବେ ପହଣ୍ଡି କରାଉଥିଲେ କି ? ମହାପ୍ରଭୁଙ୍କୁ ବନ୍ଧା ଯାଇଥିବା ପାଟଡୋରକୁ ଖୋଲା ଛାଡ଼ି ଦେଇଥିଲେ କି ?

author-image
Chandan Shishu
ଅଦ୍ୟତନ ହୋଇଛି
Ratha Jatra

Ratha Jatra

ଗୁଣ୍ଡିଚା ମନ୍ଦିରକୁ ଆଡ଼ପ ପହଣ୍ଡିବେଳେ ଗୁରୁତର ତ୍ରୁଟି। ଚାରମାଳ ଉପରେ ଡାହାଣପଟକୁ ପଡ଼ିଗଲା ଭଳି ଝୁଲି ରହିଥିଲେ ମହାପ୍ରଭୁ ଜଗନ୍ନାଥ। ଗତକାଲିର ଏ ଦୃଶ୍ୟ ଭକ୍ତଙ୍କୁ ବ୍ୟଥିତ କରିଥିବାବେଳେ ସିଧା ସେବାୟତଙ୍କ ଆଡକୁ ଅଙ୍ଗୁଳି ଉଠାଇଛନ୍ତି। ତେଣେ ସେବାୟତ କିନ୍ତୁ ଏହାକୁ ସ୍ୱାଭାବିକ ବୋଲି କହିବା ସହ ବର୍ଷାରେ ଚାରମାଳ ଓଦା ଥିବାରୁ ଏମିତି ଘଟିଲା ବୋଲି କହିଛନ୍ତି। ଏପଟେ ଆଜି ଜନ୍ମବେଦୀରେ ଠାକୁରଙ୍କୁ ଦର୍ଶନ ସହ ଆଡ଼ପ ଅବଢ଼ା ପାଇ କୃତ୍ୟ କୃତ୍ୟ ହୋଇଛନ୍ତି ଭକ୍ତ।

Advertisment

ଆଡ଼ପ ପହଣ୍ଡିବେଳେ ଅଘଟଣ। ଚାରମାଳ ଉପରେ ହାମୁଡ଼େଇ ପଡ଼ିଗଲେ ଜଗନ୍ନାଥ। ମହାପ୍ରଭୁଙ୍କୁ ସିଧା କରିବାକୁ ଝାଳନାଳ ସେବାୟତ। ଗତକାଲି ନନ୍ଦିଘୋଷ ରଥରୁ ଗୁଣ୍ଡିଚା ମନ୍ଦିରରୁ ଗୋଟି ପହଣ୍ଡିରେ ମହାପ୍ରଭୁ ଜଗନ୍ନାଥଙ୍କୁ ସେବକମାନେ ନେଇଯିବାବେଳେ ଏଭଳି ଘଟଣାକୁ ନେଇ ଉକ୍ତ ମହଲରେ ଉକୁଟିଛି ଅସନ୍ତୋଷ। ଦୀର୍ଘ ସମୟ ଧରି ମହାପ୍ରଭୁ ଡାହାଣ ପଟକୁ ଝୁଲି ରହିଥିଲେ ବି ଠାକୁରଙ୍କୁ ସିଧା କରାନଯିବାକୁ ନେଇ ସମସ୍ତେ କ୍ଷୁବ୍ଧ ହୋଇଛନ୍ତି।

ତାସହ ପ୍ରଶ୍ନ କରିଛନ୍ତି- କଣ ସେବକମାନେ ଖାମଖିଆଲି ଭାବେ ପହଣ୍ଡି କରାଉଥିଲେ କି ? ମହାପ୍ରଭୁଙ୍କୁ ବନ୍ଧା ଯାଇଥିବା ପାଟଡୋରକୁ ଖୋଲା ଛାଡ଼ି ଦେଇଥିଲେ କି ? ଚାରମାଳରେ ଅଯଥାରେ ଅଧିକ ସଂଖ୍ୟକ ସେବକଙ୍କ ଗହଳିରୁ ଏ ସମସ୍ୟା ସୃଷ୍ଟି ହେଲା କି ? ଖାଲି ସେତିକି ନୁହେଁ ମହାପ୍ରଭୁ ଡାହାଣ ପଟକୁ ହଠାତ୍ ହାମୁଡ଼ି ପଡିବା ଫଳରେ ତାଙ୍କ ମସ୍ତକରେ ଥିବା ରତ୍ନଖଚିତ ମୂଲ୍ୟବାନ ଚିତା ମଧ୍ୟ ଖସି ପଡ଼ିଥିଲା। ଯାହାକୁ ନେଇ ଅସନ୍ତୋଷ ବଢୁଥିବାବେଳେ ମନ୍ଦିର ପ୍ରଶାସନ କିନ୍ତୁ ଚୁପ୍।

Advertisment

ତେଣେ ପହଣ୍ଡି ସେବାରେ ଥିବା ଦଇତାପତି ସେବକ କହିଛନ୍ତି- ଏହା ଏକ ସ୍ୱାଭାବିକ ପ୍ରକ୍ରିୟା। ବର୍ଷାରେ ଚାରମାଳ ଓଦା ଥିବାରୁ ଠାକୁର ସାମାନ୍ୟ ଖସି ଯାଇଥିଲେ। ତାସହ ଏହା ବି ଜଗନ୍ନାଥଙ୍କର ଆଉ ଏକ ଲୀଳା ବୋଲି କହିବାକୁ ପଛାଇ ନାହାନ୍ତି। ସେପଟେ ଆଡ଼ପ ମଣ୍ଡପରେ ମହାପ୍ରଭୁଙ୍କୁ ଦର୍ଶନ ପାଇଁ ଆଜି ସକାଳୁ ଲାଗିଥିଲା ଗୁଣ୍ଡିଚା ମନ୍ଦିରରେ ଭକ୍ତଙ୍କ ପ୍ରବଳ ଭିଡ଼। ବ୍ୟାରିକେଡ୍ ବାଟେ ସିଂହଦ୍ୱାର ଦେଇ ଜନ୍ମବେଦୀରେ ଠାକୁରଙ୍କୁ ଦର୍ଶନ କରି ଭକ୍ତ କୃତ୍ୟ କୃତ୍ୟ ହୋଇଥିଲେ।

ତେଣେ ଆଜି ମଧ୍ୟାହ୍ନରେ ବାହାରିଥିଲା ଆଡ଼ପ ଅବଢ଼ା। ଅନ୍ନ, ଖେଚୁଡି, ମିଠା ଡାଲି, ବେସର, ଶାଗ ଭଳି ମହାପ୍ରସାଦ ପାଇ ଆନନ୍ଦିତ ହୋଇଥିଲେ ଭକ୍ତ ଓ ଦର୍ଶନାର୍ଥୀ। ଆଡ଼ପ ମଣ୍ଡପରେ ମହାପ୍ରଭୁଙ୍କ ଦର୍ଶନ ସାଙ୍ଗକୁ ଆଗକୁ ହେରାପଞ୍ଚମୀ ନୀତି ଓ ରଥ ଦକ୍ଷିଣମୋଡ଼ ନୀତି ଅନୁଷ୍ଠିତ ହେବ। ଏହାପରେ ୨୮ ତାରିଖରେ ବାହୁଡ଼ାଯାତ୍ରାରେ ଶ୍ରୀମନ୍ଦିର ଅଭିମୁଖେ ବାହୁଡ଼ିବେ ଚତୁର୍ଧାମୂରତି।

Ratha Jatra
Advertisment
Advertisment