• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ସେ ସିନା ମନୁଆ ଠାକୁର, ହେଲେ ତା ପାଖରେ ମାନକରେ କୋଟି ବ୍ରହ୍ମାଣ୍ଡ । କାଳିଆ ସିନା ଭାବର ଠାକୁର ତାକୁ ଦେଖିବାକୁ ଭକ୍ତ ଏଠି ଭାବ ବିହ୍ୱଳ । କିଏ ବୟସକୁ ବାଜି ମାରି ଆଜି କାଳିଆ ପାଇଁ ବଡ଼ଦାଣ୍ଡରେ ଓଡିଶୀ ନାଚୁଛି ତ ଆଉ କିଏ ତା ବାହୁଡା ପଥର ଧୂଳି ନେଇ ମୁଣ୍ଡରେ ମାରୁଛି । କିଏ କହୁଛି ଏଥର ଯଦି କାଳିଆ ମତେ ଆଣି ନଥାଆନ୍ତା ତା ସାଥିରେ କଟି ପକେଇ ଦେଇଥାଆନ୍ତି ।

ରାଧା କାନ୍ଦୁଛି କହ୍ନେଇଁ ପାଇଁ । ବଡ଼ଦାଣ୍ଡରେ କାଳିଆ ପାଦରେ ପାଦ ଛନ୍ଦି ନାଚିଲା ବେଳକୁ ଆଖି ତାର ଓଦା, ମନ ଜଗା ପ୍ରେମରେ ବନ୍ଧା । ଏତେ ଭାବବିହ୍ୱଳ ହୋଇ ପଡୁଛି ଯେ, କହୁଛି ଏଥର ଯଦି କାଳିଆ ଡୋରି ଲାଗି ନ ଥାଆନ୍ତା, ଆଉ କେବେ ତା ଦୁଆର ମାଡିନଥାନ୍ତି । ତା ଆଶୀର୍ବାଦ ଅଛି ବୋଲି ଆଜି ତା ଦୁଆରେ ନାଚୁଛି । କାଳିଆ ଭାବର ଠାକୁର... ତାକୁ ଡାକିଲେ ଶୁଣେ, ମୋ ଡାକ ସେ ଶୁଣିଛି...। ଆଜି ମହାପ୍ରଭୁ କାଳିଆ ସାଆନ୍ତ ଭାଇ ଭଉଣୀଙ୍କୁ ସାଙ୍ଗରେ ଧରି ଜନ୍ମବେଦୀରୁ ରତ୍ନବେଦୀକୁ ବାହୁଡିଲା ବେଳକୁ ସତେ ଯେମିତି ସମସ୍ତ ଦେବଦେବୀ ବାଡ଼ଦାଣ୍ଡକୁ ଓହ୍ଲାଇ ଆସିଛନ୍ତି । କିଏ ଶିବ ତାଣ୍ଡବ କରୁଛି ତ ଆଉ କିଏ ହନୁମାନ ବେଶରେ ନାଚୁଛି । କୁନି ଝିଅଟି କାଳିଆ ପାଇଁ ଯେମିତି ନାଚୁଛି, ପରିଣତ ବୟସରେ ବଡ଼ଦାଣ୍ଡରେ ଓଡ଼ିଶୀ ନାଚିବାକୁ ସେମିତି ଯାଜପୁରରୁ ଧାଇଁ ଆସିଛନ୍ତି ଓଡ଼ିଶୀ ନୃତ୍ୟଗୁରୁ ବୈକୁଣ୍ଠ ନନ୍ଦ ।

ଆଜି କିଏ କାଳିଆ ସାଆନ୍ତକୁ କୁଣ୍ଢେଇ ଧରିଛି ତ ଆଉ ସପରିବାର ବଡ଼ ଦାଣ୍ଡରେ ହାତ ଟେକି ଦେଇଛି । ସକାଳ ପହରୁ ଦାଣ୍ଡଧୂଳିରେ କେଉଁଠି ଭଜନ କୀର୍ତ୍ତନ ଚାଲିଛି ତ ଆଉ କେଉଁଠି କିଏ କହୁଛି ଆଜି ମତେ କୋଟି ତୀର୍ଥ ମିଳିଛି, କିନ୍ନର ହୋଇ ବି ଆଜି ମୁଁ କାଳିଆ ପାଇଁ ଓଡ଼ିଶୀ ନାଚୁଛି । ଘଣ୍ଟୁଆଙ୍କ ଘଣ୍ଟମାଡ଼ ଭକ୍ତଙ୍କ ମନ ଉଚ୍ଚାଟ କରୁଛି । ସପେଟ ବିଶାଳ ବପୁବନ୍ତ ପ୍ରତିହାରୀ ସେବାୟତ କହୁଛନ୍ତି, ଆମେ କିଛି ନୁହେଁ, ସବୁ ତାଙ୍କରି ଲୀଳା, ତାଙ୍କ ଇଛା ନ ହେଲେ ଆମ ବଳ ଅସାର ।

ସେବାୟତମାନେ କାଳିଆକୁ ପହଣ୍ଡି କରି ନେଲାବେଳେ, ଧୂଳିରେ କାଳିଆର ଚିହ୍ନ ଲାଗିଛି, କେଉଁଠି ଚନ୍ଦନ କର୍ପୁର ଝଡ଼ିପଡ଼ିଛି ତ ଆଉ କେଉଁଠି ଶରଧାବାଲି କୋଟି ମାଣିକ୍ୟରୁ ବଳି ପଡ଼ିଛି । ସେଇଥି ପାଇଁ ସମସ୍ତେ କୋଟିନିଧି ସମାନ ଅତି ଯତ୍ନରେ ସାଉଁଟି ନେଉଛନ୍ତି । ସୁରକ୍ଷା ଦାୟିତ୍ୱରେ ଥିବା ପୋଲିସ୍ କର୍ମଚାରୀ ଦାଣ୍ଡ ଧୂଳିକୁ ସାଉଣ୍ଟିଲା ବେଳକୁ ବୁଢ଼ୀ ମାଉସୀ ଦାଣ୍ଡରେ ଗଡ଼ିଗଡି ମୁଣ୍ଡରେ ମାରୁଛି ।

ଭକ୍ତ ଆଜି ଖୁସି ଯେତେ, ଦୁଃଖୀ ସେତେ । ଭଗବାନଙ୍କୁ ଅତି ପାଖରୁ ଦେଖୁଛି ବୋଲି କୃତ୍ୟକୃତ୍ୟ ଯେମିତି ହେଉଛି ନବଦିନାତ୍ମକ ଯାତ୍ରା ସାରି ମହାପ୍ରଭୁ ବାହୁଡ଼ି ଯାଉଛନ୍ତି ବୋଲି ଭବାପ୍ରବଣ ବି ହେଉଛି ।