Advertisment

ବାହୁଡ଼ିଲେ ଶ୍ରୀଜିଉ: ଶ୍ରୀନଅର ସମ୍ମୁଖରେ ଲକ୍ଷ୍ମୀ ନାରାୟଣ ଭେଟ କରାଇଲେ ଗଜପତି ମହାରାଜା

ରୀତିନୀତି ପରେ ଶ୍ରୀନଅରରୁ ଆସି ଶରଧାବାଲିରେ ପହଞ୍ଚିଥିଲେ ଜଗନ୍ନାଥଙ୍କ ଆଦ୍ୟ ସେବକ ଗଜପତି ମହାରାଜା ଦିବ୍ୟସିଂହ ଦେବ। ଆରମ୍ଭ କରିଥିଲେ ଛେରାପହଁରା।  ଏହାପରେ ପହଞ୍ଚିଯାଇଥିଲା ସେଇ ମହାର୍ଘ ମୁହୂର୍ତ୍ତ।

author-image
Chandan Shishu
ଅଦ୍ୟତନ ହୋଇଛି
 All three Chariots reach Singhadwar at Srimandir

All three Chariots reach Singhadwar at Srimandir

ଜନ୍ମବେଦୀରେ ଲୀଳାଖେଳା ସାରି ଆଜି ବେଳାବେଳି ବାହୁଡ଼ିଛନ୍ତି ତିନି ଠାକୁର। ସଅଳ ନୀତିକାନ୍ତି ସହ ସଅଳ ପହଣ୍ଡି ସରିବା ପରେ ନିର୍ଦ୍ଧାରିତ ସମୟର ୪ ଘଣ୍ଟା ଆଗରୁ ରଥରେ ବିଜେ ହୋଇଥିଲା ଚତୁର୍ଦ୍ଧା ମୂର୍ତ୍ତି, ଆଉ ସଂଧ୍ୟାସୁଦ୍ଧା ତିନି ରଥ ସିଂହଦ୍ୱାର ନିକଟରେ ପହଞ୍ଚି ଯାଇଛନ୍ତି। ଗୁଣ୍ଡିଚା ଯାତ୍ରା ଭଳି ବାହୁଡାରେ ଆଜି ନା କୌଣସି ବିଳମ୍ବ ହୋଇଥିଲା ନା କୌଣସି ବ୍ୟତିକ୍ରମ ଘଟିଥିଲା। ଲକ୍ଷ ଲକ୍ଷ ଭକ୍ତଙ୍କ ଗହଣରେ ବାହୁଡ଼ା ଯାତ୍ରା ସୁରୁଖୁରରେ ସଂପନ୍ନ ହେବାପରେ ଏବେ ଭକ୍ତଙ୍କ ଅପେକ୍ଷା ଆସନ୍ତାକାଲିର ସୁନାବେଶକୁ।

Advertisment

ଜନ୍ମବେଦୀରେ ସରିଲା ଲୀଳାଖେଳା। ଏବେ ଶ୍ରୀମନ୍ଦିର ବାହୁଡ଼ିଯିବାର ବେଳ। ସେଥିପାଇଁ ତ ଶରଧାବାଲିରୁ ସିଂହଦ୍ୱାର ଜନସମୁଦ୍ର...ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ। ଘଣ୍ଟଘଣ୍ଟା, ହୁଳହୁଳି, ଶଙ୍ଖ ଧ୍ୱନୀରେ ପ୍ରକମ୍ପିତ ବଡଦାଣ୍ଡ। ତାରି ଭିତରେ ନାକଚଣା ଦ୍ୱାରରେ ୩ ଠାକୁରଙ୍କ ଅପେକ୍ଷାରେ ଥିଲା ୩ ରଥ। ଏଣେ ଆଡ଼ପ ମଣ୍ଡପରୁ ଆରମ୍ଭ ହୋଇଥିଲା ସଅଳ ନୀତିକାନ୍ତି। ବଡ଼ଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରାଙ୍କୁ ଧରି ବେଳାବେଳି ବାହୁଡ଼ିଯିବାକୁ କଳା ସାଆନ୍ତ ବି ସତେଯେମିତି ପ୍ରସ୍ତୁତ ହେଉଥିଲେ।

ସେଥିପାଇଁ ନିର୍ଦ୍ଧାରିତ ସମୟର ପ୍ରାୟ ୪ ଘଣ୍ଟା ଆଗରୁ ହୋଇଯାଇଥିଲା ପହଣ୍ଡି। ପ୍ରଥମେ ଚକ୍ରରାଜ ସୁଦର୍ଶନ, ପରେ ପରେ ବଡ଼ଭାଇ ବଳଭଦ୍ର, ପରେ ଦେବୀ ସୁଭଦ୍ରା ଓ ଶେଷରେ ଟାହିଆ ହଲାଇ, ହଲି ଝୁଲି ନନ୍ଦିଘୋଷ ରଥକୁ ଏଭଳି ଭଙ୍ଗୀରେ ଆସିଥିଲେ ଭାବ ବିନୋଦିଆ। ଅନ୍ୟ ରୀତିନୀତି ପରେ ଶ୍ରୀନଅରରୁ ଆସି ଶରଧାବାଲିରେ ପହଞ୍ଚିଥିଲେ ଜଗନ୍ନାଥଙ୍କ ଆଦ୍ୟ ସେବକ ଗଜପତି ମହାରାଜା ଦିବ୍ୟସିଂହ ଦେବ। ଆରମ୍ଭ କରିଥିଲେ ଛେରାପହଁରା।  ଏହାପରେ ପହଞ୍ଚିଯାଇଥିଲା ସେଇ ମହାର୍ଘ ମୁହୂର୍ତ୍ତ। ଦିନ ୧୨ଟା ୪୫ ମିନିଟରେ ପ୍ରଥମେ ଘର୍ଘର ନାଦରେ ବଡ଼ଠାକୁର ବଳଭଦ୍ରଙ୍କ ତାଳଧ୍ୱଜ ରଥ ଗଡ଼ିବା କ୍ଷଣି ଭକ୍ତିରେ ଉଛୁଳି ପଡ଼ିଥିଲା ପରିବେଶ।

Advertisment

କେବଳ ଯେ, ତାଳଧ୍ୱଜ ରଥକୁ ସଅଳ ଗଡ଼ାଇ ନେଇଥିଲେ ଭକ୍ତ, ତା’ ନୁହେଁ। ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ପରେ ପରେ କାଳିଆ ସାଆନ୍ତଙ୍କ ନନ୍ଦିଘୋଷ ରଥକୁ ବି ଶ୍ରୀମନ୍ଦିର ଆଡ଼କୁ ଟାଣି ନେଇଥିଲେ ଲକ୍ଷ ଲକ୍ଷ ଭକ୍ତ। କିଛିି ସମୟ ପାଇଁ ରଥ ଅଟକିଥିଲା ମାଉସୀ ମାଆଙ୍କ ମନ୍ଦିର ଆଗରେ। ଯେଉଁଠି ହୋଇଥିଲା ପୋଡ଼ପିଠା ଭୋଗ। ମାଉସୀଙ୍କ ହାତରୁ ପୋଡ଼ପିଠା ଖାଇ ପୁଣି ସିଂହଦ୍ୱାର ଅଭିମୁଖେ ବାହାରିଥିଲେ ୩ ଭାଇଭଉଣୀ। ଏହାପରେ ଶ୍ରୀନଅର ସମ୍ମୁଖରେ ଗଜପତି ମହାରାଜା କରାଇଥିଲେ ଲକ୍ଷ୍ମୀ ନାରାୟଣ ଭେଟ। 

ଗୁଣ୍ଡିଚା ଦିନ ରଥଟଣାରେ ଅହେତୁକ ବିଳମ୍ବ ଘଟିବା ସହ , ସଂଧ୍ୟା ଯାଏଁ ଚାଲିଥିଲା ରଥଟଣା। ତଥାପି ସେଦିନ ଶରଧା ବାଲିରେ ଲାଗି ପାରିନଥିଲା ଦର୍ପଦଳନ ଓ ନନ୍ଦିଘୋଷ ରଥ। ୨ ଦିନକାଳ ରଥରେ ରହି ଯାତ୍ରାର ତୃତୀୟ ଦିନ ଆଡ଼ପ ମଣ୍ଡପ ବିଜେ କରିଥିଲେ ୩ ଠାକୁର। ଯାହାକୁ ନେଇ ଦେଖାଦେଇଥିଲା ଅସନ୍ତୋଷ। ତେବେ ବାହୁଡ଼ାରେ କିନ୍ତୁ ସେଭଳି ବ୍ୟତିକ୍ରମ ଘଟିନଥିଲା। ଗତକାଲିଠୁ ହିଁ ବାହୁଡ଼ା ପାଇଁ ପ୍ରସ୍ତୁତି ପରେ ଆଜି ସଅଳ ନୀତିକାନ୍ତି ସହ ଶୃଙ୍ଖଳିତ ଭାବେ ସଞ୍ଜ ହେବାର ଯଥେଷ୍ଟ ସମୟ ଆଗରୁ ସିଂହଦ୍ବାର ସାମ୍ନାରେ ଲାଗିଯାଇଥିଲା ଗୋଟିଏ ପରେ ଗୋଟିଏ ରଥ। 

ଏବେ ଅପେକ୍ଷା ଆସନ୍ତାକାଲିକୁ। କାରଣ କାଲି ଏକାଦଶୀ ତିଥିରେ ରଥ ଉପରେ ହିଁ ଜଗତଜନଙ୍କୁ ସୁନାବେଶରେ ଦର୍ଶନ ଦେବେ ଜଗତ ଠାକୁର। ତା’ପରଦିନ ଶୁକ୍ରବାର ଅଧରପଣା ଏବଂ ଶନିବାର ହେବ ଚତୁର୍ଦ୍ଧା ମୂରତିଙ୍କ ନୀଳାଦ୍ରିବିଜେ। 

Ratha Jatra
Advertisment
Advertisment