/odishatv-khabar/media/post_attachments/uploadimage/library/16_9/16_9_0/IMAGE_1719635218.jpg)
Ratha Jatra Special Train
ରଥଯାତ୍ରାରେ ଚାଲିବ ୩୧୫ ସ୍ୱତନ୍ତ୍ର ଟ୍ରେନ୍। ଗତ ବର୍ଷ ଅପେକ୍ଷା ଏଥର ଅଧିକ ଟ୍ରେନ୍ ଚାଲିବ। ଏନେଇ ସୂଚନା ଦେଇଛନ୍ତି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ଦିଲ୍ଲୀ ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଭେଟିଥିଲେ। ମୁଖ୍ୟମନ୍ତ୍ରୀଙ୍କ ସମେତ ଦୁଇ ଉପମୁଖ୍ୟମନ୍ତ୍ରୀ ରେଳ ମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି।
ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ପରେ ରେଳ ମନ୍ତ୍ରୀ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ ନେଇ ସୂଚନା ଦେଇଛନ୍ତି । ତାସହ ଏଥର ରଥଯାତ୍ରାରେ ଅଧିକ ବ୍ୟବସ୍ଥା ହେବ। ୧୫ ହଜାର ଯାତ୍ରୀ ପୁରୀ ଷ୍ଟେସନରେ ରହଣୀ ନେଇ ବି ବ୍ୟବସ୍ଥା ହେବ ବୋଲି ସେ ଦୋହରାଇଛନ୍ତି।
ଅନ୍ୟପଟେ ପୁରୀରେ ରଥ ନିର୍ମାଣ କାମ ଜୋରସୋରରେ ଚାଲିଛି। ତିନି ରଥରେ ଖପୁରୀ ସମେତ ପାରାଭାଡ଼ିକୁ ମିଶାଇ ୧୩ ପରସ୍ତ ପୋଟଳ ସେଟିଙ୍ଗ ସମ୍ପୂର୍ଣ୍ଣ ହୋଇଛି। ମହାରଣା ସେବକମାନେ ତିନି ରଥର ପ୍ରଭାଫ୍ରେମ୍ ପ୍ରସ୍ତୁତ ପୂର୍ବକ ଫ୍ରେମରେ ପଟା ପକାଇ ଖିଲଣ କଟିଙ୍ଗ ଶେଷ କରିଛନ୍ତି। ପ୍ରଭାରେ ବାଙ୍କ ପଡ଼ି ରୂପ ଖୋଦେଇ ପଟା ସେଟିଙ୍ଗ ବାକି ରହିଛି।
ଆଜି ତିନି ରଥର ବେଦୀ ସିଂହାସନ ପ୍ରସ୍ତୁତି ପାଇଁ ରଥ ଚାରି ନାହାକା ଆଗ ଏବଂ ପଛ ଢମକରେ ପାଞ୍ଚ ଗୋଟି ଲେଖାଏଁ ୨୦ ଫୁଟିଆ ଜଗତପୃଷ୍ଠ ସେଣୀ ପଡ଼ି କଣ୍ଟା ବସିବା ଶେଷ ହୋଇଛି। ତିନି ରଥର ଚାରି କୋଣକୁ ଛାଡି ବେଦୀ ଚାରି ପଟେ ପଟା ବାଡିଆ କାର୍ଯ୍ୟ ଜାରି ରହିଛି । ରୂପକାର ସେବକମାନଙ୍କ ଦ୍ବାରା ତିନି ରଥର ଶେଷ ଦୁଇଟି ଲେଖାଏଁ ନାଟ ଗୋଡ଼ରେ ରାହୁ ରୂପ ଖୋଦେଇ କାର୍ଯ୍ୟ ମଧ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଚିତ୍ରକାର ସେବକମାନେ ତିନି ରଥର ହଂସ ପଟା, ଶିଖର ଡମ୍ବରୁ, ଅଁଳା, କନ୍ୟା ପଟା, ଥେକେରା ବାଡ, ୧୫ ରୁ ଉର୍ଦ୍ଧ୍ୱ ପାର୍ଶ୍ୱ ଦେବଦେବୀଙ୍କ ମୂର୍ତ୍ତି ରେ ରଙ୍ଗ କାର୍ଯ୍ୟ ଶେଷ କରିଛନ୍ତି । ରଥ ଚକ, କୋଣ ଗୁଜ, ପଟା ଗୁଜରେ ରଙ୍ଗ କାର୍ଯ୍ୟ ଜାରି ରଖିଛନ୍ତି ଚିତ୍ରକାର ସେବକ ।
ତେବେ ପୂର୍ବତଟ ରେଳପଥ ଯାତ୍ରୀ ଭିଡ଼ ପରିଚାଳନା, ଟ୍ରେନ୍ ସୂଚନା ପ୍ରଣାଳୀ/ଅନୁସନ୍ଧାନ କାଉଣ୍ଟର, ଭିଡିଓ ୱାଲ୍ ପ୍ରଦର୍ଶନ, ଅତିରିକ୍ତ ଟିକେଟ୍ ବୁକିଂ କାଉଣ୍ଟର ଓ ମୋବାଇଲ୍ ଟିକେଟ୍ କାଉଣ୍ଟର, ୧୫ ହଜାର ତୀର୍ଥଯାତ୍ରୀ ବିଶ୍ରାମ ନେବା ଭଳି ତୀର୍ଥଯାତ୍ରୀ ଅପେକ୍ଷା କ୍ଷେତ୍ର/ସେଡ୍ ନିର୍ମାଣ କରିବାକୁ ସ୍ଥିର ହୋଇଛି। ଏହାବ୍ୟତୀତ ସୁରକ୍ଷା ବ୍ୟବସ୍ଥା, କ୍ୟାଟରିଂ ସେବା, ମେଡିକାଲ ସୁବିଧା ଓ ଆମ୍ବୁଲାନ୍ସ, ଯାତ୍ରୀ, ତୀର୍ଥଯାତ୍ରୀଙ୍କ ସୁବିଧା ପାଇଁ ବିଦ୍ୟୁତ୍ ଯୋଗାଣ, ଜଳ ଯୋଗାଣ, ପରିଷ୍କାର ପରିଚ୍ଛନ୍ନତା, ନିରାପତ୍ତା, ପାନୀୟ ଜଳ ଓ ପର୍ଯ୍ୟାପ୍ତ ଶୌଚାଳୟ ଯୋଗାଇବା ଦିଗରେ ମଧ୍ୟ ବିଶେଷ ପଦକ୍ଷେପ ଗ୍ରହଣ କରାଯାଇଛି।
ପୂର୍ବତଟ ରେଳପଥ ମହାପ୍ରବନ୍ଧକ ପରମେଶ୍ୱର ଫୁଙ୍କୱାଲ ଆଜି ପୁରୀ ରେଳ ଷ୍ଟେସନରେ ରଥଯାତ୍ରା ବ୍ୟବସ୍ଥା ଯାଞ୍ଚ କରି ତୀର୍ଥଯାତ୍ରୀଙ୍କୁ ଦିଆଯାଉଥିବା ସୁବିଧାଗୁଡ଼ିକ ସମ୍ପର୍କରେ ଅବଗତ ହେବା ସହିତ ରଥଯାତ୍ରାର କାର୍ଯ୍ୟସୂଚୀର ବହୁ ପୂର୍ବରୁ ଯାତ୍ରୀ ସୁବିଧା ଉପଲବ୍ଧ କରାଇବାକୁ ସମ୍ପୃକ୍ତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)