• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ରଥ ଉପରେ ଆଜି ଅଧରପଣା ନୀତି

  • ଭୋଗ ସରିଲା ପରେ ରଥ ଉପରେ ହାଣ୍ଡି ଭଙ୍ଗାଯିବ

ପୁରୀ : ଆଜି ଶ୍ରୀଜିଉଙ୍କ ଅଧରପଣା । ତ୍ରୟୋଦଶୀ ତିଥିରେ ରଥାରୁଢ଼ ଶ୍ରୀଜିଉଙ୍କ ଅଧରପଣା ଭୋଗ ନୀତି ଅନୁଷ୍ଠିତ ହେବ । ଅଧରପଣା ନୀତି ପାଇଁ ଶ୍ରୀମନ୍ଦିର ପ୍ରଶାସନ, ରାଘବଦାସ ମଠ ଓ ବଡ଼ ଓ଼ଡ଼ିଆ ମଠ ପକ୍ଷରୁ ସମସ୍ତ ପ୍ରସ୍ତୁତି ହୋଇଥାଏ । ମହାପ୍ରଭୂଙ୍କ ସେବକମାନେ ପଣା ପ୍ରସ୍ତୁତ କରିଥାନ୍ତି । ଵିଶେଷ କରି ସମୁଦାୟ ୯ଟି ହାଣ୍ଡି ଆବଶ୍ୟକ ହେଇଥିବା ବେଳେ ପ୍ରତି ରଥରେ ତିନିଟି ଅଧର ଚୁମ୍ବିତ ହାଣ୍ଡି ରଥ ଉପରେ ଶ୍ରୀବିଗ୍ରହମାନଙ୍କ ସମ୍ମୁଖରେ ରଖାଯାଏ। ସେଥିରେ ସୁସ୍ୱାଦୁ ଓ ସୁଗନ୍ଧିତ ଦ୍ରବ୍ୟ ଯଥା କେଶର, ଲହୁଣୀ, ଛେନା, ସର, କ୍ଷୀର, ମିଶିରି, କର୍ପୁର ଏଭଳି ଅନେକ ଦ୍ରବ୍ୟ ପଡି ପ୍ରସ୍ତୁତ ହୋଇଥାଏ ଅଧର ପଣା । ସୁଆର ସେବାୟତ ମାନେ ଏହି ପଣା ପ୍ରସ୍ତୁତ କରିଥିବା ସହ ପୂଜାପଣ୍ଡା ସାମନ୍ତ ଲାଗି କରିଥାନ୍ତି ।

ବିଶ୍ୱାସ ରହିଛି ଅଶରିରୀ ,ଚଣ୍ଡୀ , ଚାମୁଣ୍ଡା, ରଥରେ ଥିବା ପାର୍ଶ୍ଵ ଦେବଦେବୀ ଓ ଅନେକ ଅତୃପ୍ତ ମାନେ ରଥରେ ରହିଥାନ୍ତି । ସେମାନେ ଏହି ଅଧର ହାଣ୍ଡି ଭଙ୍ଗା ପରେ ରଥରେ ଗଡୁଥିବା ଜଳ ପାଇଁ ତୃପ୍ତ ହୋଇଥାନ୍ତି । ଶ୍ରୀମନ୍ଦିର ସ୍ୱତ୍ୱଲିପି ଅନୁସାରେ ସିଂହଦ୍ୱାର ସମ୍ମୁଖରେ ମହାପ୍ରଭୁମାନଙ୍କର ଦକ୍ଷିଣାନୟନ ଯାତ୍ରା ସମାପ୍ତି ପରେ ଅଧରପଣା ନୀତି ଉଲ୍ଲେଖ ରହିଛି । ରଥାରୂଢ ଦିଅଁମାନଙ୍କ ସ୍ୱତନ୍ତ୍ର ଶୈଳୀରେ ନିର୍ମିତ ଅଧର ଉଚ୍ଚ ମାଟି ହାଣ୍ଡିରେ ଏହି ପଣା ଦିଆଯାଉଥିବାରୁ ଏହାକୁ ଅଧର ପଣା କୁହାଯାଏ । ପଣାରେ ଲାଗୁଥିବା ସମସ୍ତ ସାମଗ୍ରୀ ପୁରୀର ବଡ ଓଡିଆ ମଠ ଓ ରାଘବଦାସ ମଠ ଯୋଗାଇଥାନ୍ତି ।

ସିଂହଦ୍ୱାର ନିକଟସ୍ଥ ଛାଉଣୀ ମଠର କୂପରୁ ଅଧରପଣା ନୀତି ପାଇଁ ପାଣି ଆସିଥାଏ । ଶାସ୍ତ୍ରଜ୍ଞଙ୍କ ମତରେ ରଥରେ ଅବସ୍ଥାନ କରୁଥିବା ଚଣ୍ଡୀ-ଚାମୁଣ୍ଡାଙ୍କ ପାଇଁ ଏହି ଅଧରପଣା ନୀତି ହୋଇଥାଏ । ଫଳରେ ସେମାନେ ଶାନ୍ତି ହୋଇ ନିଜ ସ୍ଥାନ ଫେରିଥାନ୍ତି । ଆଜିର ଅଧରପଣା ନୀତି ପାଇଁ ସକାଳ ୬ଟାରୁ ୮ ମଧ୍ୟରେ ତିନିରଥ ମଙ୍ଗଳ ଆଳତି, ମଇଲମ-ତଲବଲାଗି ଓ ଅବକାଶ ଶେଷ ହୋଇଛି । ସକାଳ ୧୦ଟାରୁ ୧୦ଟା ୩୦ ମଧ୍ୟରେ ଗୋପାଳ ବଲ୍ଲଭ, ଦିନ ୧୧ଟା ୩୦ରୁ ୧୨ଟା ୩୦ ମଧ୍ୟରେ ସକାଳ ଧୂପ ଅନୁଷ୍ଠିତ ହୋଇଥିଲା । ଏହା ପରେ ମଇଲମ, ମହାସ୍ନାନ ଓ ଦିନ ୨ଟା ସୁଦ୍ଧା ବେଶଶେଷ ହୋଇଛି ।

ଅପରାହ୍ନ ୩ଟା ୩୦ରୁ ୪ଟା ୩୦ ମଧ୍ୟରେ ମଧ୍ୟାହ୍ନ ଧୂପ ନୀତି ଅନୁଷ୍ଠିତ ହେଲା । ସେହିପରି ରାତି ୮ ସୁଦ୍ଧା ତିନିରଥର ଅଧରପଣା ନୀତି ଶେଷ କରିବାକୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୀତି ନିର୍ଘଂଟ କରାଯାଇଛି । ସେପଟେ ଗତକାଲି ଶ୍ରୀକ୍ଷେତ୍ରରେ ସମ୍ପନ୍ନ ହୋଇଥିଲା ମହାପ୍ରଭୁଙ୍କ ଦୁର୍ଲଭ ସୁନାବେଶ ବା ରାଜରାଜେଶ୍ୱର ବେଶ । ମହଣ ମହଣ ସୁନାରେ ସଜ୍ଜିତ ହୋଇଥିଲେ ଶ୍ରୀଜିଉ ।