• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ଶ୍ରୀମନ୍ଦିରରେ ପାଳନ ହେବ ପ୍ରଭୁ ବଳଭଦ୍ରଙ୍କ ଜନ୍ମୋତ୍ସବ

  • ଉତ୍ସବମୁଖର ଗାଁଠାରୁ ସହର...

ଭୁବନେଶ୍ୱର : ଆଜି ରକ୍ଷା ବନ୍ଧନ ବା ରାକ୍ଷୀ ପୂର୍ଣ୍ଣିମା । ଭାଇ ହାତରେ ଅତି ଶ୍ରଦ୍ଧାର ସହ ରାକ୍ଷୀ ବାନ୍ଧି ତାର ମଙ୍ଗଳ ମନାସିବ ଭଉଣୀ । ଏହି ଦିନ ଭଉଣୀ ଭାଇ ହାତରେ ରାକ୍ଷୀ ବାନ୍ଧିଥାଏ ଏବଂ ଉଜ୍ଜଳ ଭବିଷ୍ୟତ ପାଇଁ ଠାକୁରଙ୍କୁ ପ୍ରାର୍ଥନା କରିଥାଏ । ବଦଳରେ ଭାଇ, ତାର ଉଭଣୀକୁ ରକ୍ଷା କରିବାର ସଂକଳ୍ପ ନେଇଥାଏ । ଚନ୍ଦନ, ସିନ୍ଦୁର ଦେଇ ଭାଇକୁ ବନ୍ଦାପନା କରିବା ସହ ମିଠା ଖୁଆଇ ଦେଇଥାଏ ଭଉଣୀ । ତେବେ କରୋନା କଟକଣା ଥିବାରୁ ଏଥର ପୂର୍ବ ଭଳି ରାକ୍ଷୀ ବଜାରରେ ଭିଡ ଦେଖିବାକୁ ମିଳିନାହିଁ । କଟକ, ଭୁବନେଶ୍ୱର ଓ ପୁରୀ ସହରରେ ସପ୍ତାହାନ୍ତ ସଟଡାଉନ ଥିବାରୁ ଆଜି ରାକ୍ଷୀ ଦୋକାନ ବନ୍ଦ ରହିବ । ଏଥିପାଇଁ ଆଗ ଦିନ ରାକ୍ଷୀ କିଣି ଭାଇ ପାଇଁ ସଜେଇ ରଖିଛନ୍ତି ଭଉଣୀମାନେ । ହେଲେ ରାଜ୍ୟର ଅନ୍ୟାନ୍ୟ ସ୍ଥାନରେ ଖୋଲାରହିବ ଦୋକାନ ବଜାର ।

ସେହିପରି ଆଜି ଶ୍ରାବଣ ପୂର୍ଣ୍ଣିମା ବା ଗହ୍ମା ପୂର୍ଣ୍ଣିମା । ଶ୍ରୀମନ୍ଦିରରେ ବଡ଼ଠାକୁର ଶ୍ରୀ ବଳଭଦ୍ରଙ୍କ ଆଜି ଜନ୍ମୋତ୍ସବ ପାଳନ ହେବ । ମାର୍କଣ୍ଡେୟ ପୁଷ୍କରଣୀ ପରିସରରେ ବଳଭଦ୍ର ଜନ୍ମୋତ୍ସବ ପାଳନ କରାଯିବ । ବିଧିବିଧାନ ଅନୁସାରେ ଆଜି ଚଉଦଳକୁ ସୁଦର୍ଶନ ମହାପ୍ରଭୁଙ୍କୁ ବିଜେ କରାଯିବ । ଏହାପରେ ମହାପ୍ରଭୁଙ୍କ ଶ୍ରୀଅଙ୍ଗରୁ ଆଜ୍ଞାମାଳ ଶ୍ରୀସୁଦର୍ଶନଙ୍କୁ ପ୍ରଦାନ ହେବ । ପରେ ବିମାନବଡୁ ସେବକ ସୁଦର୍ଶନଙ୍କୁ ଚଉଦୋଳରେ ନେଇ ମାର୍କଣ୍ଡେୟ ପୁଷ୍କରିଣୀକୁ ଯିବେ । ସେଠାରେ ଚକଡା ଉପରେ ବିଜେ କରିବା ପରେ କୁମ୍ଭାର ବିଶୋଇ ଦେଇଥିବା ଚିକିଟା ମାଟିରେ ସୁଦୁ ସୁଆର ସେବକମାନେ ବଳଭଦ୍ରଙ୍କ ମୂର୍ତ୍ତି ର୍ନିମାଣ କରିବେ । ଏହାପରେ ମୁଦିରସ୍ତ ପ୍ରସାଦଲାଗି ଓ ପୂଜାପଣ୍ଡା ପଂଚଉ ଉପଚାରରେ ଶୀତଳ ଭୋଗ ମଣୋହି କରିବେ ପୂଜାପଣ୍ଡା ସାମନ୍ତ ମାଟି ମୂର୍ତ୍ତିଙ୍କୁ ଜୀବନ୍ୟାସ ମନ୍ତ୍ରପାଠ ଓ ଜାତକର୍ମ ନୀତି ସଂପନ୍ନ ହେବା ପରେ ମୂର୍ତ୍ତିଙ୍କୁ ମାର୍କଣ୍ଡେୟ ପୁଷ୍କରିଣୀରେ ବିସର୍ଜନ କରିବେ ।

ତେବେ ରାକ୍ଷୀର ଏଭଳି ପବିତ୍ର ଦିନରେ ଦେଶର ସୁରକ୍ଷା ଲାଗି ନିୟୋଜିତ ଯବାନଙ୍କ ହାତରେ ରାକ୍ଷୀ ବାନ୍ଧିବା ସହ କାଶ୍ମୀର ସମୀରେ ନିୟୋଜିତ ଯବାନଙ୍କ ଲାଗି ରାକ୍ଷୀ ପଠାଇଛନ୍ତି ରାୟଗଡ଼ାର କୁନି କୁନି ଝିଅ । ରାୟଗଡ଼ା ସ୍ଥିତ ଚତୁର୍ଥ ବାଟାଲିୟନ କ୍ୟାମ୍ପରେ ପାଳିତ ହୋଇଛି ରକ୍ଷା ବନ୍ଧନ ଉତ୍ସବ । କୁନି କୁନି ପିଲା ମାନଙ୍କ ସହ ଝିଅମାନେ ଯବାନମାନଙ୍କୁ ଫୁଲ ଚନ୍ଦନରେ ବନ୍ଦାପନା କରିବା ସହ ସେମାନଙ୍କ ହାତରେ ବାନ୍ଧିଛନ୍ତି ରାକ୍ଷୀ ।

ଅନ୍ୟପଟେ ପବିତ୍ର ରାକ୍ଷୀ ପୂର୍ଣ୍ଣିମାରେ ବାଲୁକାକଳା ମାଧ୍ୟମରେ ନିଆରା ବାର୍ତ୍ତା ଦେଇଛନ୍ତି ଅନ୍ତର୍ଜାତୀୟ ବାଳୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ରାକ୍ଷୀ ପୂର୍ଣ୍ଣିମାର ଅଭିନନ୍ଦନ ଜଣାଇବା ସହ ପରିବେଶ ସୁରକ୍ଷା ଲାଗି ଗଛଟିଏ ଲଗାଇବା ପାଇଁ ନିଜ ବାଲୁକାକଳାରେ ସେ ବାର୍ତ୍ତା ଦେଇଛନ୍ତି । ପରିବେଶ ସନ୍ତୁଳନ ବିଗିଡିବାରୁ ବାତ୍ୟା ବନ୍ୟା ଭଳି ସ୍ଥିତି ଉପୁଜୁଛି । ଏହାକୁ ସୁରକ୍ଷା ଦେବା ଲାଗି ପ୍ରତ୍ୟେକ ଲୋକ ଗୋଟିଏ ଗୋଟିଏ ଗଛ ଲଗାଇବା ଲାଗି ସେ ବାଲୁକା କଳା ମାଧ୍ୟମରେ ବାର୍ତ୍ତା ଦେଇଛନ୍ତି ।