• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ରଜ ପର୍ବର ଆଜି ଦ୍ୱିତୀୟ ଦିନ । ଆଜି ହେଉଛି ରଜ ସଂକ୍ରାନ୍ତି । ଦୁଇ ବର୍ଷ ପରେ ଧୁମ୍‌ଧାମ୍‌ରେ ପାଳନ ହେଉଛି ରଜ । ସାଙ୍ଗ ସାଥୀ ଓ ପରିବାର ସହ ରଜ ମଉଜ କରୁଛନ୍ତି ରାଜ୍ୟବାସୀ । ଗାଁ ଗାଁରେ ଉତ୍ସବର ମାହୋଲ ଦେଖାଯାଇଛି । ନୂଆ ଡ୍ରେସ ପିନ୍ଧି ସଜେଇ ହୋଇ ଝିଅ-ବୋହୂ ଦୋଳି ଖେଳରେ ମସ୍‌ଗୁଲ୍‌ ଅଛନ୍ତି । ରଜରେ ଘରେ ଘରେ ପିଠାପଣାର ଆସର ଜମିଛି । ଆରିଷା, କାକରା ସାଙ୍ଗକୁ ପୋଡ ପିଠାର ବାସ୍ନାରେ ଘରଦ୍ୱାର ମହକୁଛି । ଗାଁ ଗାଁରେ ସ୍ୱତନ୍ତ୍ର ଆୟୋଜନ, ପିଠାକୁ ନେଇ ପ୍ରତିଯୋଗିତା ମଧ୍ୟ ଦେଖିବାକୁ ମିଳିଛି । ତା ଭିତରେ ମନଲୋଭା ଲୁଡୁ, ତାସ୍ ଓ ବାଗୁଡି ଖେଳ ବି ଜମୁଛି । ବସୁମତୀଙ୍କ ପୂଜା ସହ ଚାଷ କାମରୁ ତିନି ଦିନିଆ ଛୁଟି ନେଇ ଚାଲିଛି ପର୍ବ ପାଳନ । ପିଲାଠୁ ବୁଢା ସମସ୍ତେ ପର୍ବରେ ମସଗୁଲ ଅଛନ୍ତି ।

ରଜ ଅବସରରେ ତିନି ଦିନିଆ ସ୍ୱତନ୍ତ୍ର ଆୟୋଜନ କରିଛି କଟକ ନଖରା ସ୍ଥିତ ଗ୍ରାଣ୍ଡ ବଜାର । ଗ୍ରାଣ୍ଡ ବଜାରରେ ତରଙ୍ଗ ପକ୍ଷରୁ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି । କାର୍ଯ୍ୟକ୍ରମରେ ଦର୍ଶକ ମାନେ ଓଡ଼ିଆ ପିଠାପଣା ସହ ବିଭିନ୍ନ ଖାଦ୍ୟପେୟର ମଜା ଉଠାଇପାରିବେ । ଏହା ସହ ତରଙ୍ଗ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ ମଧ୍ୟ କରାଯାଇଛି । ଏ ଅବସରରେ ବିଭିନ୍ନ ହସ୍ତଶିଳ୍ପ ତଥା ଅଳଙ୍କାର ର ଦୋକାନ ମଧ୍ୟ ଖୋଲାଯାଇଛି । ଦେଶର ଅନ୍ୟତମ ବୃହତ ସପିଂ ମଲ ହିସାବରେ ଏହି ଗ୍ରାଣ୍ଡ ବଜାର ଆସନ୍ତା ଅକ୍ଟୋବର ମାସରେ ଖୋଲିବାକୁ ଯାଉଛି । ଯେଉଁଥିରେ ୫ ଶହରୁ ଉର୍ଦ୍ଦ୍ୱ ଦୋକାନ ରହିବ । ମଲରେ ୨ ହଜାରରୁ ଉର୍ଦ୍ଦ୍ୱ ଗାଡି ପାର୍କିଂ କରିବାକୁ ବ୍ୟବସ୍ଥା ହୋଇଛି । ଗତକାଲି ପହିଲି ରଜରେ ରଜ ଘୋ ଘା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

ବିନା ପାନରେ କଣ ରଜ ଉତ୍ସବ ସମ୍ଭବ । ମିଠା ପାନ ହିଁ ରଜରେ ଆଉ ଟିକେ ମିଠା ଭରି ଦେଇଥାଏ । ଏଣୁ ବଜାରଘାଟରେ ଲାଗିଲାଣି ରଜପାନର ପସରା । ଭିନ୍ନ ଭିନ୍ନ ପ୍ରକାରର ପାନ ମିଳୁଥିବା ବେଳେ, ଦାମ ବି ଅଲଗା ଅଲଗା ରହିଛି । ତେବେ ଏଥର ରଜପାନ ମାର୍କେଟରେ ନୂଆ ଗୁପଚୁପ୍ ପାନ ଆସିଛି । ଏଥିରେ ନାଁ ଅଛି ଖଟା ପାଣି, ନା ପାନପତର । ତଥାପି ରଜମଉଜକୁ ଧୁମ ମିଠା କରିଦେଉଛି ଏହି ଗୁପ୍‌ଚୁପ୍‌ । ରାଜସ୍ଥାନରୁ ଆଣିଥିବା ସ୍ପେଶାଲ ମସଲାରେ ନିଆରା ପାନ ପ୍ରସ୍ତୁତ କରି ବିକ୍ରି କରୁଛନ୍ତି ଭୁବନେଶ୍ୱର ସହିଦନଗରର ଜଣେ ବ୍ୟବସାୟୀ ।