• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ମନ୍ଦିରରେ ପ୍ରବେଶ ଲାଗି ଆରଟିପିସିଆର ନେଗେଟିଭ୍ ରିପୋର୍ଟ କିମ୍ବା ଡବଲ ଡୋଜ୍ ଟିକା ପ୍ରମାଣପତ୍ର ଆବଶ୍ୟକ

  • ଶୃଙ୍ଖଳିତ ଦର୍ଶନ ପାଇଁ ସିଂହଦ୍ୱାରରେ ପ୍ରବେଶ ଓ ଉତ୍ତର ଦ୍ୱାରରେ ପ୍ରସ୍ଥାନ

  • ହାତ ସାନିଟାଇଜ୍ ପାଇଁ କରାଯାଇଛି ୮ଟି କିଓସ୍କ

  • ସକାଳ ୭ଟାରୁ ସଂଧ୍ୟା ୭ଟା ଯାଏ ଶ୍ରୀଜିଉଙ୍କୁ ଦର୍ଶନ କରିବେ ସମସ୍ତ ଶ୍ରଦ୍ଧାଳୁ

ପୁରୀ : ସର୍ବସାଧାରଣଙ୍କ ଦର୍ଶନ ପାଇଁ ଖୋଲିଲା ଶ୍ରୀମନ୍ଦିର । ୪ ମାସ ପରେ ରତ୍ନସିଂହାସନରେ ଶ୍ରୀଜିଉଙ୍କୁ ଦେଖିବାର ସୁଯୋଗ ପାଇଛନ୍ତି ସର୍ବସାଧାରଣ । କରୋନାର ଦ୍ୱିତୀୟ ଲହର କମିବା ପରେ ସେବାୟତ, ତାଙ୍କ ପରିବାର ଓ ପୁରୀବାସୀ ଶ୍ରୀଜିଉଙ୍କୁ ଦର୍ଶନ କରିବାର ସୌଭାଗ୍ୟ ପାଇଛନ୍ତି । ତେବେ ଆଜିଠାରୁ ରାଜ୍ୟ ଓ ରାଜ୍ୟ ବାହାରର ସମସ୍ତ ଭକ୍ତ ଚତୁର୍ଦ୍ଧାମୂରତିଙ୍କୁ ଦର୍ଶନ କରିପାରିବେ । ଏଥିପାଇଁ ଆରଟିପିସିଆର ନେଗେଟିଭ ରିପୋର୍ଟ କିମ୍ବା କରୋନା ଟିକାର ୨ଟି ଡୋଜ୍ ନେଇଥିବାର ସାର୍ଟିଫିକେଟ ଦେଖାଇବା ବାଧ୍ୟତାମୂଳକ କରାଯାଇଛି ।

ଆଧାର କାର୍ଡ ପରି ପରିଚୟ ପତ୍ର ବି ଆବଶ୍ୟକ । ଶୃଙ୍ଖଳିତ ଦର୍ଶନ ପାଇଁ ସିଂହଦ୍ୱାରରେ ପ୍ରବେଶ ଓ ଉତ୍ତର ଦ୍ୱାରରେ ପ୍ରସ୍ଥାନର ବ୍ୟବସ୍ଥା ହୋଇଛି ହାତ ସାନିଟାଇଜ୍ ପାଇଁ କରାଯାଇଛି ୮ଟି କିଓସ୍କ । ବୃଦ୍ଧ ଓ ଦିବ୍ୟାଙ୍ଗ ଯେମିତି ସୁରୁଖୁରୁରେ ଦର୍ଶନ କରିପାରିବେ, ତାର ମଧ୍ୟ ବ୍ୟବସ୍ଥା ହୋଇଛି । ସକାଳ ୭ଟାରୁ ସଂଧ୍ୟା ୭ଟା ଯାଏ ଶ୍ରୀଜିଉଙ୍କୁ ଦର୍ଶନ କରିପାରିବେ ଭକ୍ତ ।

ସେପଟେ ଆଜି ଭୁବନେଶ୍ୱରରେ ଖୋଲିବ ଧର୍ମାନୁଷ୍ଠାନ । କୋଭିଡ୍ ନିୟମ ମାନି ସମସ୍ତ ଧର୍ମାନୁଷ୍ଠାନ ଖୋଲିବାକୁ ବିଏମସି ଅନୁମତି ଦେଇଛି । ତେବେ କୌଣସି ଶ୍ରଦ୍ଧାଳୁଙ୍କୁ ମନ୍ଦିରର ଗର୍ଭଗୃହ ଭିତରକୁ ଛଡ଼ାଯିବ ନାହିଁ । ନିରାପଦ ଦୂରତାରେ ରହି ଶ୍ରଦ୍ଧାଳୁ ମାନେ ଦର୍ଶନ କରିପାରିବେ । ମସିଜିଦ୍, ଚର୍ଚ୍ଚ ଓ ଅନ୍ୟ ଧର୍ମାନୁଷ୍ଠାନରେ ମଧ୍ୟ କୋଭିଡ୍ କଟକଣାରେ ଶ୍ରଦ୍ଧାଳୁ ମାନେ ଭିତରକୁ ଯାଇ ପ୍ରାର୍ଥନା ଓ ନମାଜ କରିପାରିବେ । ତେବେ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଯେମିତି ସାମାଜିକ ଦୂରତା ରହିବ ସେ ଦାୟିତ୍ୱ ସଂପୃକ୍ତ ଧର୍ମାନୁଷ୍ଠାନର କର୍ତ୍ତୃପକ୍ଷ ନେବେ ।

ତେବେ ଧର୍ମାନୁଷ୍ଠାନରେ ଏକା ସଙ୍ଗରେ ୨୫ ଜଣରୁ ଅଧିକ ଏକାଠି ହେବା ମନା ଧର୍ମାନୁଷ୍ଠାନର ସେବାୟତ RTPCR ନେଗେଟିଭ ବା ଦୁଇ ଡୋଜ୍ କୋଭିଡ୍ ଭ୍ୟାକ୍ସିନ ନେଇଥିବା ଜରୁରୀ । ସମସ୍ତ ସେବାୟତ ମାସ୍କ ପିନ୍ଧିବା ବାଧ୍ୟତାମୂଳକ । ଶ୍ରଦ୍ଧାଳୁମାନେ ଧର୍ମାନୁଷ୍ଠାନରେ ପ୍ରବେଶ ବେଳେ ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ରକ୍ଷା କରିବାକୁ ଗାଇଡ୍ଲାଇନରେ କୁହାଯାଇଛି । ବିଏମସି ଅଞ୍ଚଳରେ ଆଜି ସମସ୍ତ ଧର୍ମାନୁଷ୍ଠାନ ଖୋଲୁଥିଲେ ବି ଲିଙ୍ଗରାଜ ମନ୍ଦିର ସେପ୍ଟେମ୍ବର ୧ରୁ ଖୋଲିବ ବୋଲି ନିଷ୍ପତ୍ତି ହୋଇଛି ।

ସେପଟେ ଦୀର୍ଘ ସାଢ଼େ ୩ ମାସ ଧରି ବନ୍ଦ ରହିଥିବା ଭଦ୍ରକ ଜିଲ୍ଲା ଚାନ୍ଦବାଲିର ବାବା ଆଖଣ୍ଡଳମଣି ପୀଠ ଆଜିଠାରୁ ଖୋଲିଛି । କରୋନା କଟକଣା ଭିତରେ ମନ୍ଦିର ଖୋଲାଯାଇଛି । ଏନେଇ ଜିଲ୍ଲା ପ୍ରଶାସନ ଏସ୍ଓପି ଜାରି କରିଛି । ମନ୍ଦିର ଭିତରେ ଶ୍ରଦ୍ଧାଳୁଙ୍କ ପାଇଁ ମାସ୍କ ପିନ୍ଧିବା, ସାମାଜିକ ଦୂରତା ରକ୍ଷା ଓ ସାନିଟାଇଜ କରିବାକୁ ଗୁରୁତ୍ୱ ଦିଆଯାଇଛି । କରୋନା ସଂକ୍ରମଣ ବଢ଼ିବାରୁ ଗତ ମେ ମାସ ୩ ତାରିଖରେ ଜିଲ୍ଲା ପ୍ରଶାସନ ମନ୍ଦିରକୁ ବନ୍ଦ କରି ଦେଇଥିଲା କେବଳ ଠାକୁରଙ୍କ ରୀତିନୀତି କରାଯାଉଥିଲା ହେଲେ ଶ୍ରଦ୍ଧାଳୁଙ୍କ ଦର୍ଶନ ବନ୍ଦ ରହିଥିଲା ।