• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଦିଲ୍ଲୀ ରାଜପଥରୁ ଦୁନିଆ ଦେଖିଲା ଭାରତର ଶୌର୍ଯ୍ୟ ଓ ସାମର୍ଥ୍ୟ । ଆଜି ଭାରତ ୭୩ ତମ ସାଧାରଣତନ୍ତ୍ର ଦିବସ ପାଳନ କରୁଥିବା ବେଳେ ରାଜଧାନୀ ଦିଲ୍ଲୀର ରାଜପଥରେ କଡ଼ା ସୁରକ୍ଷା ବଳୟ ମଧ୍ୟରେ ଆୟୋଜିତ ହୋଇଛି ଭବ୍ୟ ପରେଡ୍ । କରୋନା ଗାଇଡଲାଇନ୍ ଭିତରେ ହୋଇଥିବା ପରେଡରେ ବିଭିନ୍ନ ରାଜ୍ୟର ପ୍ରଜ୍ଞାପନ ମେଢ ପ୍ରଦର୍ଶିତ ହୋଇଛି । ଏଥିରେ ଦେଶର ସାଂସ୍କୃତିକ ବିବିଧତାର ଝଲକ ଦେଖିବାକୁ ମିଳିଛି । ସମ୍ମିଳିତ ପରେଡରେ ଅଭିବାଦନ ଗ୍ରହଣ କରିଥିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ରାଷ୍ଟ୍ରପତି ଜାତୀୟ ପତାକା ଉତ୍ତୋଳନ କରିବା ପରେ ପରେଡ୍ ଆରମ୍ଭ ହୋଇଥିଲା ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ପରେଡ୍ ବେଳେ ଉପସ୍ଥିତ ଥିଲେ । ଉଭୟ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଉପସ୍ଥିତିରେ ଭାରତର ସାମର୍ଥ୍ୟ ପ୍ରଦର୍ଶିତ ହୋଇଥିଲା । ଏବର୍ଷ ସ୍ୱାଧୀନତାର ୭୫ ବର୍ଷ ପାଳନ କରାଯାଉଥିବାରୁ ସାରା ଦେଶରେ ଆଜାଦି କା ଅମୃତ ମହୋତ୍ସବ ପାଳନ କରାଯାଉଛି । କରୋନା କଟକଣା ଯୋଗୁଁ ଚଳିତବର୍ଷ ନୂଆଦିଲ୍ଲୀ ରାଜପଥରେ କେବଳ ୫ ହଜାର ଲୋକଙ୍କୁ ପରେଡ୍ ଉପଭୋଗ କରିବାକୁ ଅନୁମତି ମିଳିଛି ।

ତେବେ ପରେଡ ପୂର୍ବରୁ ଦେଶର ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ‌ଅର୍ପଣ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ୭୩ ତମ ସାଧାରଣତନ୍ତ୍ର ଦିବସ କାର୍ଯ୍ୟକ୍ରମ ଆରମ୍ଭରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜାତୀୟ ସ୍ମାରକୀ ଯାଇ ସ୍ୱାଧୀନତା ପରଠାରୁ ଦେଶ ପାଇଁ ଜୀବନ ଦେଇଥିବା ସ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଏହି ସମୟରେ ସେ ଦୁଇ ମିନିଟ୍ ନୀରବ ରହିଲେ । ଏହାସହ ସେଠାରେ ଥିବା ଅତିଥି ଖାତାରେ ନିଜର ନାମ ଲେଖିଥିଲେ । 

ଶ୍ରଦ୍ଧାଞ୍ଜଳି ‌ଅର୍ପଣ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉତ୍ତରାଖଣ୍ଡର ଟୋପି ପିନ୍ଧିଥିବାର ଦେଖିବାକୁ ମିଳିଥିଲା । ଟୋପିରେ ଚିତ୍ରିତ ହୋଇଥିଲା ଉତ୍ତରାଖଣ୍ଡର ରାଜ୍ୟ ଫୁଲ ବ୍ରହ୍ମକମଳ । ଏହା ବ୍ୟତୀତ ସେ ମଣିପୁରର ଗାମୁଛା ମଧ୍ୟ ପକାଇଥିଲେ । ଚଳିତବର୍ଷ ଗଣତନ୍ତ୍ର ଦିବସ ପରେଡରେ ଭାରତୀୟ ସେନା ନିଜର ସ୍ୱତନ୍ତ୍ର କମ୍ବାଟ୍ ପୋଷାକ ପରିଧାନ କରିଛନ୍ତି ।  ଏହି ଅବସରରେ ସେନାବାହିନୀର ଯବାନଙ୍କୁ  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁଭେଚ୍ଛା ଜଣାଇଛନ୍ତି ।