/odishatv-khabar/media/post_attachments/uploadimage/library/16_9/16_9_0/IMAGE_1694784209.jpg)
Ganesh Chaturthi
ଗଣେଶ ପୂଜାରେ ଏଥର ରାମ ମନ୍ଦିରରେ ପୂଜା ପାଇବେ ବିଘ୍ନବିନାଶକ । କଥାଟା ଶୁଣିବାକୁ ହୁଏତ ଆଶ୍ଚର୍ଯ୍ୟ ଲାଗୁଥିବ । ଆଉ ଭାବୁଥିବେ ରାମ ମନ୍ଦିରରେ ପ୍ରଭୁ ଶ୍ରୀରାମ ପୂଜା ପାଇବାର କଥା । ହେଲେ ଗଣେଶ କେମିତି ପୂଜା ପାଇବେ ? କିନ୍ତୁ ଏଥିର ରାମ ମନ୍ଦିରରେ ପୂଜା ପାଇବେ ଗଣେଶ ।
ପାଖେଇ ଆସୁଛି ବିଘ୍ନ ବିନାଶକ ପ୍ରଭୁ ଶ୍ରୀ ଗଣେଶ ଚତୁର୍ଥୀ । ପୂଜା ଲାଗି ଚଳଚଂଚଳ ହେଲାଣି ଗାଁଠୁ ସହର । ନିଜ ନିଜ ପୂଜା ମଣ୍ଡପକୁ ଆକର୍ଷଣୀୟ ଢଙ୍ଗରେ ସଜେଇବାକୁ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଗଲାଣି । ହେଲେ ବ୍ରହ୍ମପୁର ସାନକୁଶସ୍ଥଳୀ ଗାଁର ପୂଜାକୁ ନେଇ ଏବେ ସହରସାରା ଚର୍ଚ୍ଚା । କାରଣ ଅବିକଳ ରାମ ମନ୍ଦିର ଭିତରେ ଏସନ ପୂଜା ପାଇବେ ପ୍ରଭୁ ଶ୍ରୀରାମଙ୍କ ସହ ଶ୍ରୀ ଗଣେଶ । ଅବିକଳ ରାମ ମନ୍ଦିର ମଡ଼େଲ ସଦୃଶ ପେଣ୍ଡାଲ ତିଆରି କରିବା ପାଇଁ ଦିନରାତି ଏକ କରି ଲାଗି ପଡ଼ିଛନ୍ତି ମୂର୍ତ୍ତି କାରିଗର ଓ ତୋରଣ କାରିଗର।
ସ୍ଥାନୀୟ ଅଂଚଳର ତୋରଣ ଶିଳ୍ପୀ ବାଲା କ୍ରିଷ୍ଣା ତୋରଣ ଓ ମୂର୍ତ୍ତି ନିର୍ମାଣର ଦାୟିତ୍ୱ ନେଇଛନ୍ତି । ନିର୍ଦ୍ଧାରିତ ସମୟ ପୂର୍ବରୁ ମେଢ କାମ ସରିବ ବୋଲି ଆଶା ରହିଛି । ତେବେ ଏତେ ବିଶାଳକୟ ମନ୍ଦିର ତିଆରି କରିବାକୁ ୪୫ଶହ ବର୍ଗଫୁଟର ଏକ ଫାଉଣ୍ଡେସନ କରାଯାଇଛି । ମନ୍ଦିରର ଉଚ୍ଚତା ରହିବ ୫୧ ଫୁଟ । ଠିକ୍ ରାମ ମନ୍ଦିର ପରି ପିଲାର ବା ସ୍ତମ୍ଭ ଉପରେ ମନ୍ଦିରର ଉପର ଭାଗ ରଖାଯାଉଛି । ଦେଢମାସ ହେଲାଣି ମଣ୍ଡପର କାମ ବି ଚାଲିଛି । ପୂଜାକୁ ମାତ୍ର ୭ ଦିନ ରହିଥିବାରୁ ଏବେ କାରିଗର ହାତକୁ ଆଉ ଫୁରସତ ବି ନାହିଁ ।
ଆଜି କି କାଲିର ନୁହେଁ ବରଂ ୧୦ ବର୍ଷ ହେଲାଣି ଏଠାରେ ବେଶ୍ ଆଡମ୍ବରର ସହ ଚାଲିଛି ଗଣେଶ ପୂଜା । ଆଉ ପ୍ରତିଥର କିଛି ସ୍ୱତନ୍ତ୍ର ଶୈଳୀରେ ପୂଜା କରେ ଏହି କମିଟି । ପୂର୍ବବର୍ଷ କେଦାରନାଥ ମନ୍ଦିରରେ ଅଗ୍ରପୂଜ୍ୟ ପୂଜା ପାଇଥିବା ବେଳେ ଏସନ ଭବ୍ୟ ରାମ ମନ୍ଦିରରେ ହେବ ପୂଜା । ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ଏଥର ୧୧ ଦିନ ପୂଜା ଚାଲିବ ବୋଲି କମିଟି ପକ୍ଷରୁ ଦିଆଯାଇଛି ସୂଚନା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)