• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଓଟିଭି ଫୋରସାଇଟ୍ ମନୋରଞ୍ଜନ ସେଗମେଣ୍ଟରେ ଅତିଥି ଭାବେ ସାମିଲ ହୋଇ ଅନୁଭୂତି ବାଣ୍ଟିଥିଲେ ବହୁଚର୍ଚ୍ଚିତ ଫିଲ୍ମ ଦ କଶ୍ମୀର ଫାଇଲ୍ସର ନିର୍ମାତା-ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀ ଓ ତାଙ୍କ ପତ୍ନୀ ପଲ୍ଲବୀ ଯୋଶୀ । କହିଥିଲେ ଏହି ଫିଲ୍ମ ଜରିଆରେ ସେମାନେ ଦେଇଛନ୍ତି ଏକ ବିରାଟ ସାମାଜିକ ବର୍ତ୍ତା । ସେହିପରି ମଂଚ ଉପରେ ଓଟିଭି ନାଁରେ ତୁରନ୍ତ ଗୀତ କଂପୋଜ କରି ହୃଦୟ ଜିତି ଯାଇଥିଲେ ବଲିଉଡ୍ ସଂଗୀତ ନିର୍ଦ୍ଦେଶକ ଅନୁ ମଲ୍ଲିକ ।

ବହୁ ଆଲୋଚନା, ପର୍ଯ୍ୟାଲୋଚନା ସତ୍ତ୍ୱେ କେମିତି ଦେଶ-ବିଦେଶରେ ଆଦୃତ ହେଲା ଦ କଶ୍ମୀର ଫାଇଲ୍ସ ? କେଉଁ ବାର୍ତ୍ତା ପାଇଁ ପାଇଲା ଜାତୀୟ ଚଳଚିତ୍ର ପୁରସ୍କାର ? ଓଟିଭି ଫୋରସାଇଟର ମନୋରଞ୍ଜନ ସେଗମେଣ୍ଟରେ ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିଥିବା ଚଳଚିତ୍ରର ନିର୍ମାତା ତଥା ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀ ଗୋଟି ଗୋଟି ବୁଝାଇଥିଲେ ନିଜ ଅଭିଜ୍ଞତା ସାଙ୍ଗକୁ ଫିଲ୍ମ ମାଧ୍ୟମରେ ସମାଜକୁ ଦେଇଥିବା ବର୍ତ୍ତା । ବିବେକ କହିଥିଲେ ଏ ଚଳଚିତ୍ର ଜରିଆରେ ସେ ଆତଙ୍କବାଦର ମୁଖା ଖୋଲିବା ସହ ସଂଖ୍ୟାଲଘୁଙ୍କ ଉପରେ ଅତ୍ୟାଚାରର ଅସଲ ଚିତ୍ର ପଦାକୁ ଆଣିଛନ୍ତି ।

ତେବେ ନିଜ ସ୍ୱାମୀଙ୍କ ଦ୍ୱାରା ନିର୍ମିତ ଏଭଳି ଏକ ସ୍ପର୍ଶକାତର ଫିଲ୍ମରେ ନିଜେ ରାଧିକା ମେନନ ଭଳି ପ୍ରମୁଖ ଚରିତ୍ରରେ ଅଭିନୟ ପରେ କେମିତି ଆସୁଥିଲା ଧମକ ? ତାକୁ ସାମ୍ନା କରିବାର ଅନୁଭୂତି ବି ବଖାଣି ଥିଲେ ବିବେକଙ୍କ ପତ୍ନୀ ପଲ୍ଲବୀ ଯୋଶୀ । ଶେଷରେ ଓଡିଆ ଫିଲ୍ମ ନିର୍ମାଣ ପାଇଁ ନିମନ୍ତ୍ରଣ ଆସିଲେ, ସୁଯୋଗ ହାତଛଡ଼ା କରିବେନି ବୋଲି କହିଥିଲେ ବିବେକ ଅଗ୍ନିହୋତ୍ରୀ ।

ଓଟିଭି ଫୋରସାଇଟରେ କିନ୍ତୁ ଆଜି ଜବରଦସ୍ତ ଦେଖିବାକୁ ମିଳିଥିଲା ବଲିଉଡ୍ ସଂଗୀତ ନିର୍ଦ୍ଦେଶକ ଅନୁ ମଲ୍ଲିକ କ୍ରେଜ୍ । ମଞ୍ଚରୁ ଥାଇ ନିଜ ସଂଗୀତ ଜୀବନର ଅନୁଭୂତି ବାଣ୍ଟିଥିଲେ ଓ ଜଗନ୍ନାଥ ଦର୍ଶନ ପରେ ନିଜ ସଂଗୀତ ଜୀବନରେ ନବ ଜାଗରଣ ସୃଷ୍ଟି ହୋଇଥିବା ବି କହିଥିଲେ । ତାସହ କହିଥିଲେ ସବୁ ନୂଆ ଗୀତ ତାଙ୍କ ଜୀବନର ପ୍ରଥମ ଗୀତ ଭଳି, ସଂଗୀତ ଦୁନିଆରେ ସେ ଏବେ ବି ଜଣେ ୪ବର୍ଷର ପିଲା ।

କଥାରେ କଥାରେ ଓଟିଭି ମଞ୍ଚ ଉପରୁ ଓଡ଼ିଶାର ସଂସ୍କୃତି ଓ ସୁଆଦିଆ ଖାଦ୍ୟକୁ ପ୍ରଂଶସା କରିବାକୁ ଭୁଲିନଥିଲେ ଅନୁ । କହିଥିଲେ ଏଠିକାର ଡାଲମା ତାଙ୍କର ବେଶ୍ ପସନ୍ଦ । ଉପସ୍ଥିତ ଅତିଥିଙ୍କଠାରୁ ଶବ୍ଦ ଗୋଟାଇ ତୁରନ୍ତ ଗୀତ କଂପୋଜ୍ କରି ଏହାକୁ ଗାଇ ସମସ୍ତଙ୍କୁ ଚମକାଇ ଦେଇଥିଲେ ବଲିଉଡ଼ର ଏହି ପ୍ରଖ୍ୟାତ ସଂଗୀତ ନିର୍ଦ୍ଦେଶକ । ଶେଷରେ ଓଟିଭି ନାଁରେ ଗୀତଟିଏ ଗାଇ ଉପସ୍ଥିତ ଅତିଥିଙ୍କୁ ଝୁମାଇ ଦେଇଥିଲେ ଅନୁ ।