Advertisment

ଚାଷୀଙ୍କ ପାଇଁ ଖୁସି ଖବର ! ଦୁଇ ଗୁଣା ହେବ ଆୟ

ଚାଷୀଙ୍କ ଆୟ ଦୁଇ ଗୁଣା କରିବା ପାଇଁ ବିଶେଷ ଯୋଜନା କରାଯାଉଛି। ପୂର୍ବରୁ ମାନ୍ଦାବସ୍ଥାରେ କୃଷି ଅର୍ଥନୀତି ଦେଶର ଆର୍ଥିକ ବ୍ୟବସ୍ଥାକୁ  ସହାୟତା କରିଥିଲା ବୋଲି କେନ୍ଦ୍ର କୃଷି ମନ୍ତ୍ରୀ କହିଛନ୍ତି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Union Minister Narendra Singh Tomar

Union Minister Narendra Singh Tomar

ଓଟିଭିର ଦ୍ୱାଦଶ ବାର୍ଷିକ ସମ୍ମିଳନୀ ଫୋର୍‌ସାଇଟ୍‌-୨୦୨୨ରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଭିଡିଓ କନଫରେନ୍ସିଂ ଜରିଆରେ ଯୋଗ ଦେଇଛନ୍ତି। ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଓଟିଭିର ୨୫ ବର୍ଷର ଯାତ୍ରାକୁ ସ୍ୱାଗତ ଜଣାଇଛନ୍ତି। ଏହାସହ ଫୋର୍‌ସାଇଟ୍‌-୨୦୨୨ କାର୍ଯ୍ୟକ୍ରମରେ ଆଧ୍ୟାତ୍ମିକ ଗୁରୁ ସଦ୍‌ଗୁରୁଙ୍କ ଯୋଗଦାନ ନେଇ ଆନନ୍ଦ ପ୍ରକଟ କରିଛନ୍ତି। 

Advertisment

ଓଟିଭି ସକାରାତ୍ମକ ଭାବେ ରାଜ୍ୟବାସୀଙ୍କ ପାଇଁ କାର୍ଯ୍ୟ କରୁଛି। ଏହା କେବଳ ରାଜ୍ୟ ପାଇଁ ନୁହେଁ ଦେଶ ପାଇଁ ଗୁରୁତ୍ୱପୂର୍ଣ୍ଣ ବୋଲି କେନ୍ଦ୍ର କୃଷି ମନ୍ତ୍ରୀ କହିଛନ୍ତି। ଓଟିଭିକୁ ପ୍ରଶଂସା କରି ତୋମାର କହିଛନ୍ତି, ଲୋକତନ୍ତ୍ରରେ ମିଡିଆର ଯେଉଁ ଭୂମିକା ଥାଏ ଓଟିଭି ତାକୁ ଠିକ୍ ଭାବେ ନିର୍ବାହ କରିଛି। ଓଟିଭି ଓଡ଼ିଶାର  ଅଗଣିତ ଜନତାଙ୍କ ହୃଦୟରେ ଏହା ସ୍ଥାନ ପାଇଛି।

କେନ୍ଦ୍ର କୃଷି ମନ୍ତ୍ରୀ କହିଛନ୍ତି, ‘ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଦେଶ କ୍ରମେ ଆତ୍ମନିର୍ଭର ହେଉଛି। କରୋନା ମହାମାରୀ ମୁକାବିଲାରେ ଆମେ ଉଦାହରଣ ସୃଷ୍ଟି କରିଛୁ। ପୋଲିଓ ଟିକା ପାଇଁ ଆମକୁ ବର୍ଷ ବର୍ଷ ଲାଗିଗଲା। ମାତ୍ର ଆମେ ବର୍ଷକ ଭିତରେ କୋଭିଡ୍ ଟିକା ବାହାର କରିପାରିଲୁ। ଟିକା ବାହାର କରିବା ସହ ୨୦୦ କୋଟି ଡୋଜ୍ ଟିକା ପ୍ରଦାନ କରିଛୁ। ମୋଦିଙ୍କ ନେତୃତ୍ୱରେ ନର୍ଥ ଇଷ୍ଟ ବିକାଶରେ ସାମିଲ ହୋଇଛି। ପିଏମ୍‌ ଗତିଶକ୍ତି ଓ ପିଏମ୍ ସମ୍ମାନ ଯୋଜନାର ସଫଳତା ମିଳିଛି। ଚାଷୀଙ୍କ ଖାତାରେ ୧ ଲକ୍ଷ ୮୨ ହଜାର କୋଟି ଜମା ହୋଇଛି। କୃଷି କ୍ଷେତ୍ର ପାଇଁ ପ୍ରଧାନମନ୍ତ୍ରୀଙ୍କର ସ୍ୱତନ୍ତ୍ର ଗୁରୁତ୍ୱ ରହିଛି। ଗ୍ରାମୀଣ ଅର୍ଥନୀତିର ବିକାଶ ପାଇଁ ସବୁବେଳେ ଗୁରୁତ୍ୱ ଦିଆଯାଉଛି।’

Advertisment

ସେ ଆହୁରି କହିଛନ୍ତି, ‘କୃଷି ପାଇଁ ଆମେ ବିଶ୍ୱରେ ଉତ୍ପାଦନରେ ବଳକା ରାଷ୍ଟ୍ର ହୋଇପାରିଛୁୂ। କୃଷି କ୍ଷେତ୍ରରେ ଡ୍ରୋନ୍ ଟେକ୍ନୋଲୋଜି ପ୍ରୟୋଗ ଆରମ୍ଭ ହୋଇଛି। କୃଷି କ୍ଷେତ୍ରରେ ଭିତ୍ତିଭୂମି ପାଇଁ ୧ ଲକ୍ଷ କୋଟିର ବ୍ୟୟବରାଦ ହୋଇଛି। ଚାଷୀ ସମୃଦ୍ଧ ହେଲେ, ଦେଶ ସମୃଦ୍ଧ ହୋଇପାରିବ।ଓଡ଼ିଶା ଚାଷୀ ଟେକ୍ନୋଲୋଜିର ବ୍ୟବହାର କରି ଆଗକୁ ବଢ଼ନ୍ତୁ। ଚାଷୀ ଯେଭଳି ଟେକ୍ନୋଲୋଜିର ବ୍ୟବହାର ଅଧିକ କରିବେ ସେ ନେଇ କେନ୍ଦ୍ର ସରକାର ପଦକ୍ଷେପ ନେବା ଆରମ୍ଭ କରିଛନ୍ତି।’

‘କୃଷି କ୍ଷେତ୍ରର ଉନ୍ନତି ପାଇଁ ପ୍ରାୟ ଦେଢ଼ ଲକ୍ଷ କୋଟି ଟଙ୍କାର ପ୍ରାବଧାନ କରାଯାଇଛି। ଚାଷୀଙ୍କ ଆୟ ଦୁଇ ଗୁଣା କରିବା ପାଇଁ ବିଶେଷ ଯୋଜନା କରାଯାଉଛି। ପୂର୍ବରୁ ମାନ୍ଦାବସ୍ଥାରେ କୃଷି ଅର୍ଥନୀତି ଦେଶର ଆର୍ଥିକ ବ୍ୟବସ୍ଥାକୁ  ସହାୟତା କରିଥିଲା। ଏବେ କୋଭିଡ୍ ବେଳେ ମଧ୍ୟ କୃଷି ଅର୍ଥନୀତି ନିଜର ସ୍ୱତନ୍ତ୍ର ସ୍ଥାନ ବଜାୟ ରଖିଛି। ଯେକୌଣସି ପ୍ରତିକୂଳ ପରିସ୍ଥିତିରେ ବି ଆମ ଦେଶର କୃଷି ଅର୍ଥନୀତି ଆଗକୁ ବଢି ଚାଲିଛି। ଆଉ ଏହା ଗ୍ରାମୀଣ ଅର୍ଥବ୍ୟବସ୍ଥାକୁ ସୁଦୃଢ଼ କରିଛି। ଚାଷୀଙ୍କ ପରିଶ୍ରମ ଯୋଗୁ ଆଜି ଖାଦ୍ୟଶସ୍ୟ ଉତ୍ପାଦନରେ ଆମେ ଆତ୍ମନିର୍ଭର ହୋଇପାରିଛୁ’ ବୋଲି କେନ୍ଦ୍ର କୃଷି ମନ୍ତ୍ରୀ କହିଛନ୍ତି।

କୃଷି ଉତ୍ପାଦନରେ ଭାରତ ବଳକା ରାଷ୍ଟ୍ର ହେବା ସହ କୃଷିଜାତ ଦ୍ରବ୍ୟ ଏକ୍ସପୋର୍ଟ କ୍ଷେତ୍ରରେ ପ୍ରଥମ ୧୦ ଦେଶ ମଧ୍ୟରେ ରହିଛି। କେନ୍ଦ୍ର ମନ୍ତ୍ରୀ ଆହୁରି କହିଛନ୍ତି, ଓଡ଼ିଶା ଖଣିଜ ସଂପଦରେ ଭରପୁର ରାଜ୍ୟ ହୋଇଥିବା ବେଳେ ଦାରିଦ୍ର୍ୟ ଏହାର ପିଛା ଛାଡ଼ୁ ନଥିଲା। ତେବେ କେନ୍ଦ୍ର ସରକାରଙ୍କ ବିଭିନ୍ନ ପଦକ୍ଷେପ ଯୋଗୁ ଓଡ଼ିଶାରେ ଉନ୍ନତି ହୋଇଛି। ରେଳ ସଂଯୋଗୀକରଣ ଠାରୁ ଆରମ୍ଭ କରି ବିଭିନ୍ନ କ୍ଷେତ୍ରରେ ଓଡିଶାକୁ  ପ୍ରଧାନମନ୍ତ୍ରୀ ପ୍ରାଧାନ୍ୟ ଦେଉଛନ୍ତି।  

Union Agriculture Minister Narendra Singh Tomar OTV Foresight 2022
Advertisment
Advertisment