• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ମନ ମୋହୁଛି ସୁନା, ଚାନ୍ଦିର ମେଢ଼(Chandi Medha) ପୂଜା ପେଣ୍ଡାଲକୁ ଦେଖିଲେ, ଆଖି ଝଲସି ଯାଉଛି । ସୂକ୍ଷ୍ମ ତାରକସୀ କାମ ଲାଗି ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ସିଲଭର ସିଟି କଟକରେ ମେଢ ଟିକେ ଅଲଗା । କ୍ୱିଣ୍ଟାଲ କ୍ୱିଣ୍ଟାଲ ଚାନ୍ଦି ଓ ସୁନାରେ ସୁସଜ୍ଜିତ ହୋଇଛି ମାଙ୍କ ପୂଜା ପେଣ୍ଡାଲ ଓ ଆଭୂଷଣ । ସୁନା, ଚାନ୍ଦି ମେଢ଼ର ଏ ରେସରେ ଏଥର ସାମିଲ ହୋଇଛି କଲେଜ ଛକ ପୂଜା କମିଟି । ପ୍ରାୟ ୩ କ୍ୱିଣ୍ଟାଲରୁ ଅଧିକ ରୂପାରେ ତିଆରି ହୋଇଛି ମା’ଙ୍କ ମେଢ଼ । ମା’ଙ୍କ ମୁକୁଟରେ ଶୋଭା ପାଉଛି ୧ କିଲୋରୁ ଅଧିକ ସୁନା । ଏସବୁଥିରେ ଦେଖିବାକୁ ମିଳିଛି କଟକର ବିଶ୍ୱପ୍ରସିଦ୍ଧ ତାରକସି କାମ । ସେହିଭଳି ଚାଉଳିଆଗଞ୍ଜ ପୂଜା ମଣ୍ଡପରେ ସର୍ବାଧିକ ୫ କେଜିର ସୁନା ମୁକୁଟ ଓ ୫ କ୍ୱିଣ୍ଟାଲ ରୁପା ମେଢ଼ ଶ୍ରଦ୍ଧାଳୁଙ୍କୁ ମନ୍ତ୍ରମୁଗ୍ଧ କରୁଛି ।

ରାଜ୍ୟରେ ସୁନା ରୁପା ମେଢ଼ର ଭିତ୍ତି ପକାଇଥିବା ଚୌଧୁରୀ ବଜାର ପୂଜା ମଣ୍ଡପ ବି ସବୁବର୍ଷ ପରି ଏବର୍ଷ ମାଙ୍କୁ ସୁନା ଓ ରୁପାରେ ଛାଇ ଦେଇଛି । ଏଠି ମାଙ୍କ ପାଇଁ ଖଞ୍ଜା ହୋଇଛି ଅଢ଼େଇ କ୍ୱିଣ୍ଟାଲ ରୁପା ଓ ୩୦ କେଜିର ସୁନା । ସୁନା ମୁକୁଟ, ସ୍ୱର୍ଣ୍ଣ ଚମ୍ପା ହାର, ପାର୍ଶ୍ୱ ଦେବଦେବୀଙ୍କ ଅଳଙ୍କାର ଓ ମୁକୁଟ ସମେତ ମେଢ଼ରେ ବି ବ୍ୟବହୃତ ହୋଇଛି ସୁନା । ଏପଟେ ଏ ଦୌଡ଼ରେ ରାଜଧାନୀ ଭୁବନେଶ୍ୱର ବି ପଛରେ ପଡ଼ିନି । ସହିଦନଗର ଓ ପୁରୁଣା ଷ୍ଟେସନ୍ ବଜାର ଦୁର୍ଗାପୂଜା କମିଟି ମାଙ୍କୁ ସୁନା, ରୂପାରେ ସଜେଇଛନ୍ତି, ଯାହାକି ରାଜଧାନୀରେ ଆକର୍ଷଣ ସାଜିଛି । ଷ୍ଟେସନ ବଜାରରେ ମା’ଙ୍କ ମୁକୁଟରେ ଲାଗିଛି ଦେଢ଼ କେଜି ସୁନା ସେହିପରି ଏଠାରେ ୨ କ୍ୱିଣ୍ଟାଲ ରୁପାରେ ସଜାଯାଇଛି ମେଢ଼ ।

କେବଳ କଟକର ୨୮ଟି ପୂଜା ମଣ୍ଡପରେ ମାଙ୍କ ପାଖରେ ଲାଗି ହୋଇଛି ପାଖାପାଖି ୧୦୦ କୋଟି ଟଙ୍କାର ସୁନା ଓ ରୁପା ଅଳଙ୍କାର । ଏସବୁ ପୂଜା ପେଣ୍ଡାଲରେ ୧୦୦ କ୍ୱିଣ୍ଟାଲ ଚାନ୍ଦି ଓ ୯ଟି ମେଢ଼ରେ ପ୍ରାୟ ୬୦ କିଲୋଗ୍ରାମ ଓଜନର ସୁନା ବ୍ୟବହାର ହୋଇଛି ।