Advertisment

ଆମେ ଓଡ଼ିଆ ଭାରି ବଢ଼ିଆ: ଆମ ଭାଷାର ରହିଛି ସ୍ୱତନ୍ତ୍ର ଲିପି-ବର୍ଣ୍ଣ-ବ୍ୟାକରଣ

ଆମ ଭାଷାର ସ୍ୱତନ୍ତ୍ର ଲିପି ଅଛି, ବର୍ଣ୍ଣ ଅଛି ବ୍ୟାକରଣ ଅଛି । ଆମ ଭାଷା ଯେ ଏକ ସମୃଦ୍ଧ ସ୍ୱତନ୍ତ୍ର ଭାଷା ତାର ପଟାନ୍ତର ନାହିଁ । ମୂଳ ସଂସ୍କୃତ ଭାଷାରୁ ଆସିଥିବା ଆମ ମାତୃଭାଷା ସବୁ ଦିଗରୁ ଉନ୍ନତ ଏବଂ ଶାସ୍ତ୍ରୀୟ ମାନ୍ୟତା ପ୍ରାପ୍ତ ।

author-image
Manoranjan Behera
ଅଦ୍ୟତନ ହୋଇଛି
Utkal Dibasa 2023

Utkal Divas

ସାରା ରାଜ୍ୟରେ ପାଳନ ହେଉଛି ଓଡିଆ ଜାତିର ଅସ୍ମିତାର ଦିବସ । ଉନବିଂଶ ଶତାବ୍ଦୀରେ ଓଡିଆ ଭାଷା ସଂକଟରେ ଥିବା ବେଳେ ସ୍ୱତନ୍ତ୍ର ରାଜ୍ୟ ପାଇଁ ମୂଳଦୂଆ ପକାଇଥିଲେ ମଧୁସୂଦନ ଦାସ । ୧୯୩୬ ଏପ୍ରିଲ ପହିଲାରେ ଭାଷା ଭିତ୍ତିରେ ଗଠନ ହୋଇଥିଲା ପ୍ରଥମ ରାଜ୍ୟ । ଜାଣିବା ଓଡିଶା ରାଜ୍ୟ ଗଠନର ସଂଘର୍ଷର କାହାଣୀ... 

Advertisment

ଆମ ଭାଷାର ସ୍ୱତନ୍ତ୍ର ଲିପି ଅଛି, ବର୍ଣ୍ଣ ଅଛି ବ୍ୟାକରଣ ଅଛି । ଆମ ଭାଷା ଯେ ଏକ ସମୃଦ୍ଧ ସ୍ୱତନ୍ତ୍ର ଭାଷା ତାର ପଟାନ୍ତର ନାହିଁ । ମୂଳ ସଂସ୍କୃତ ଭାଷାରୁ ଆସିଥିବା ଆମ ମାତୃଭାଷା ସବୁ ଦିଗରୁ ଉନ୍ନତ ଏବଂ ଶାସ୍ତ୍ରୀୟ ମାନ୍ୟତା ପ୍ରାପ୍ତ । ମାତ୍ର ଉନ୍ନବିଂଶ ଶତାବ୍ଦୀବେଳକୁ ଘୋର ସଙ୍କଟ ଦେଇ ଗତି କରିଥିଲା ଓଡିଆ ଭାଷା । ଏମିତିକି ଆମ ରାଜ୍ୟର ଭୌଗୋଳିକ ସୀମାରେଖା ମଧ୍ୟ ଅସ୍ପଷ୍ଟ ହୋଇ ପଡ଼ିଥିଲା । ଯେଉଁ ଜାତିର ବୀର ପୁଅମାନେ ଗଙ୍ଗାରୁ ଗୋଦାବରୀ ଜୟ କରିଥିଲେ, ଉତ୍କୃଷ୍ଟ କଳାର ଦେଶ ଉତ୍କଳ ବୋଲି ଗର୍ବ କରୁଥିଲେ ସେହି ଜାତି ସେଇ ମାଟି ଦିନେ ଇତସ୍ତତଃ ହୋଇ ପଡ଼ିଥିଲା ।

ଅଧିକ ପଢ଼ନ୍ତୁ: ତିନି ଦଶନ୍ଧିର ବିପ୍ଳବ ପରେ ମିଳିଲା ସ୍ୱତନ୍ତ୍ର ଓଡ଼ିଶା

୧୮୦୩ ମସିହା ବେଳକୁ ଇଂରେଜଙ୍କ ଓଡିଶା ଉପରେ ଆଖି ଏବଂ ବଙ୍ଗଭାଷାଭାଷି ଅଫିସରଙ୍କ ଦୌରାତ୍ମ୍ୟ ଫଳରେ ଓଡିଆ ଭାଷାକୁ ତଳିତଳାନ୍ତ କରିଦେବା ପାଇଁ ଏକ ରକମ ଷଡ଼ଯନ୍ତ୍ର ଚାଲିଥିଲା । ଏମିତିରେ ଓଡ଼ିଆ ଭାଷାରେ କୌଣସି ସରକାରୀ କାମକୁ ପ୍ରୋତ୍ସାହନ ମିଳୁ ନ ଥିବା ବେଳେ କାନ୍ତିଚନ୍ଦ୍ର ଭଟ୍ଟାଚାର୍ଯ୍ୟ ଓଡିଆ ଏକଟି ସ୍ୱତନ୍ତ୍ର ଭାଷା ନଏ କହି ବହି ମଧ୍ୟ ଲେଖି ଦେଇଥିଲେ ।

Advertisment

୧୮୬୬ ମସିହାର ଭୟଙ୍କର ନଅଙ୍କ ଦୁର୍ଭିକ୍ଷ ସମୟରେ ଓଡିଶାର ଲୋକମାନେ ଯେମିତି ଅନାହାରରେ ପ୍ରାଣ ହରାଉଥିଲେ ଠିକ୍ ସେମିତି ଆମ ଓଡିଆ ଭାଷା ମଧ୍ୟ ଢୋକେ ପି ଦଣ୍ଡେ ଜିଇଁଲା ଭଳି ପରିସ୍ଥିତି ଉପୁଜିଥିଲା । ଆଉ ସେହି ସମୟରେ ଜନ୍ମ ନେଇଥିଲା ଆମ ଭାଷାର ପ୍ରଥମ ପତ୍ରିକା ଉତ୍କଳ ଦୀପିକା । ଯାହାର କର୍ଣ୍ଣଧାର ଥିଲେ କର୍ମବୀର ଗୌରୀ ଶଙ୍କର ରାୟ ।

ଖାଲି ସେତିକି ନୁହେଁ ଏହି ସମୟରେ ଏକାଧିକ ପତ୍ରପତ୍ରିକା ଓଡିଆ ଭାଷାକୁ ବଞ୍ଚାଇବାରେ ଆପ୍ରାଣ ଉଦ୍ୟମ କରିଥିଲେ। ଉତ୍କଳ ଦୀପିକା ପରେ ପରେ ଓଡିଶାର ପ୍ରଥମ ସାହିତ୍ୟ ପତ୍ରିକା ଉତ୍କଳ ଦର୍ପଣ ଆତ୍ମପ୍ରକାଶ କରିଥିଲା। ତା ସହିତ ବାଲେଶ୍ୱର ସମ୍ବାଦ ବାହିକା, ଉତ୍କଳ ପୁତ୍ର, ସମ୍ବଲପୁର ହିତୈଷିଣୀ, ବୋଧଦାୟିନୀ ଭଳି ସମକାଳୀନ ପତ୍ରିକା ଓଡିଆ ଭାଷାର ସ୍ୱରକୁ ଶାଣିତ କରିବାରେ ଲାଗି ପଡ଼ିଥିଲେ । 

ପତ୍ରପତ୍ରିକାଗୁଡିକ ଯେମିତି ଓଡ଼ିଆ ଭାଷା ପାଇଁ ଲଢ଼େଇ କରୁଥିଲେ ଠିକ୍ ସେମିତି ମାତୃଭାଷାର ସୁରକ୍ଷା ପାଇଁ ଓଡିଶାର  ବରପୁତ୍ରମାନେ ଆପ୍ରାଣ ଉଦ୍ୟମ କରୁଥିଲେ । ସେମାନଙ୍କ ମଧ୍ୟରେ ବ୍ୟାସକବି ଫକୀର ମୋହନ ସେନାପତି, ସ୍ୱଭାବକବି ଗଙ୍ଗାଧର ମେହେର, ଉତ୍କଳଗୌରବ ମଧୁସୂଦନ ଦାସ, କବିବର ରାଧାନାଥ ରାୟ, ଉତ୍କଳମଣୀ ଗୋପବନ୍ଧୁ ଦାସ ପ୍ରମୁଖ ଏ ଜାତି ପାଇଁ ଏ 
ଭାଷା ପାଇଁ ଯାହା କରିଯାଇଛନ୍ତି ତାହା ଚିର ସ୍ମରଣୀୟ ।

ଓଡ଼ିଆ ଜାତିକୁ ସଂଗଠିତ କରିବା ପାଇଁ ଭାଷା ଭିତ୍ତିରେ ଏକ ସ୍ୱତନ୍ତ୍ର ରାଜ୍ୟ ଗଠନ ପାଇଁ ଯିଏ ପ୍ରଥେମ ଶୁଭ ପକାଇଥିଲେ, ସେ ହେଉଛନ୍ତି ଉତ୍କଳ ଗୌରବ କୁଳବୃଦ୍ଧ ମଧୁସୂଦନ ଦାସ । ୧୯୦୩ରେ ତାଙ୍କରି ଉଦ୍ୟମରେ ପ୍ରଥମ କରି ଆରମ୍ଭ ହୋଇଥିଲା ଉତ୍କଳ ସମ୍ମିଳନୀ । ଆଉ ଏଇଠୁ ଓଡିଆ ଭାଷାଭାଷୀ ଲୋକଙ୍କୁ ଏକ ଶାସନତନ୍ତ୍ରରେ ବାନ୍ଧି ରଖିବାର ଜାତୀୟ ଜାଗରଣ ସୃଷ୍ଟି ହୋଇଥିଲା।

ଯାହାର ଫଳ ସ୍ୱରୂପ ୧୯୩୬ ଏପ୍ରିଲ ୧ରେ ଆମ ଓଡିଶା ଭାଷାଭିତ୍ତିରେ ପାଇଥିଲା ସ୍ୱତନ୍ତ୍ର ରାଜ୍ୟମାନ୍ୟତା । କଥାରେ ଅଛି ଭାଷା ବଞ୍ଚିଲେ ଜାତି ବଞ୍ଚିବ । ଭାଷା ଗୋଟେ ଜାତିର ଅସ୍ମିତାକୁ ବହନ କରେ । ତେଣୁ ଯଥାର୍ଥରେ କବି ଲେଖିଛନ୍ତି ମାତୃଭୂମି ମାତୃଭାଷାରେ ମମତା ଯା ହୃଦେ ଜନମି ନାହିଁ ତାକୁ ଯଦି ଜ୍ଞାନୀ ଗୁଣୀରେ ଗଣିବା ଅଜ୍ଞାନୀ ରହିବେ କାହିଁ ।

Utkal Divas
Advertisment
Advertisment