Mahakumbh 2025: ନାଗା ସାଧୁଙ୍କ ଚମତ୍କାରିତା, ହଠ ଯୋଗରେ ସ୍ନାନ କରି ମୋହୁଛନ୍ତି ମନ

ପ୍ରବଳ ଶୀତରେ ଲୋକମାନେ ଘରୁ ବାହାରି ପାରୁନଥିବା ବେଳେ ଏହି ସାଧୁ ପ୍ରତିଦିନ ଭୋର୍ ୪ଟାରେ ୬୧ ଗରା ଥଣ୍ଡା ଜଳରେ ସ୍ନାନ କରୁଛନ୍ତି । ସେ ଏକ ସ୍ଥାନରେ ବସୁଛନ୍ତି ଓ ତାଙ୍କର ସହଯୋଗୀମାନେ ଥଣ୍ଡା ପାଣି ଢାଳୁଛନ୍ତି । ଦେହରେ ବିଭୂତି ବୋଳି ହୋଇ ନିଆଁ ପାଖରେ ପ୍ରାଣାୟାମ କରିବା ପରେ ସେ ଥଣ୍ଡା ପାଣିରେ ସ୍ନାନ କରୁଛନ୍ତି ।

ଶୀତରେ ଗରା ଗରା ଥଣ୍ଡା ଜଳରେ ସ୍ନାନ

ଆଉ ମାତ୍ର ଏକ ସପ୍ତାହ ପରେ ମହାକୁମ୍ଭ ମେଳା । ଦେଶ ବିଦେଶରୁ ଉତ୍ତରପ୍ରଦେଶର ପ୍ରୟାଗରାଜକୁ ଲୋକଙ୍କ ସୁଅ ଛୁଟିଲାଣି । ସାଧୁ ସନ୍ନ୍ୟାସୀମାନେ ମଧ୍ୟ ଆସିବା ଆରମ୍ଭ କଲେଣି । ଏହି ଆଧ୍ୟାତ୍ମିକ ସମାବେଶରେ ନାଗା ସାଧୁମାନେ ଆସି ଚମତ୍କାରିତା ଦେଖାଇବା ଆରମ୍ଭ କଲେଣି । ନିଜର ସ୍ୱତନ୍ତ୍ର ବେଶଭୂଷା ଓ ହଠ ଯୋଗର ଅଭ୍ୟାସ କରି ଶ୍ରଦ୍ଧାଳୁଙ୍କୁ ମୋହିତ କରୁଛନ୍ତି ନାଗା ସାଧୁ । 

ଏହି ମେଳାରେ ପହଞ୍ଚିଥିବା ନାଗା ସାଧୁ ପ୍ରମୋଦ ଗିରି ମହାଜନ ଏବେ ଚର୍ଚ୍ଚାରେ । ପ୍ରବଳ ଶୀତରେ ଲୋକମାନେ ଘରୁ ବାହାରି ପାରୁନଥିବା ବେଳେ ଏହି ସାଧୁ ପ୍ରତିଦିନ ଭୋର୍ ୪ଟାରେ ୬୧ ଗରା ଥଣ୍ଡା ଜଳରେ ସ୍ନାନ କରୁଛନ୍ତି । ସେ ଏକ ସ୍ଥାନରେ ବସୁଛନ୍ତି ଓ ତାଙ୍କର ସହଯୋଗୀମାନେ ଥଣ୍ଡା ପାଣି ଢାଳୁଛନ୍ତି । ଦେହରେ ବିଭୂତି ବୋଳି ହୋଇ ନିଆଁ ପାଖରେ ପ୍ରାଣାୟାମ କରିବା ପରେ ସେ ଥଣ୍ଡା ପାଣିରେ ସ୍ନାନ କରୁଛନ୍ତି । ପ୍ରତିଦିନ ସେ ଏହି ଥଣ୍ଡା ପାଣି ଗରା ସଂଖ୍ୟା ବଢାଉଛନ୍ତି ।

ଏହା ଉପରେ ପ୍ରତିକିୟା ଦେଇ ଅଟଳ ଆଖଡ଼ାର ନାଗା ସାଧୁ ପ୍ରମୋଦ ଗିରି ମହାଜନ କହିଛନ୍ତି, ଜଗତର କଲ୍ୟାଣ ପାଇଁ ମୁଁ ଏପରି କରୁଛି, ଏହା ପଛରେ ମୋର କୌଣସି ବ୍ୟକ୍ତିଗତ ସ୍ୱାର୍ଥ ନାହିଁ । ଗୋଟିଏ ହାତରେ ମାଳା ଓ ଅନ୍ୟ ହାତରେ ଭାଲା ଧରି ସନାତନ ଧର୍ମ ପାଇଁ ଦରକାର ହେଲେ ଆମେ ବାହାରିବାକୁ ପ୍ରସ୍ତୁତ ଅଛୁ । ଗତ ୯ ବର୍ଷ ହେଲା ମୁଁ ଏହି ହଠ ଯୋଗ ଅଭ୍ୟାସ କରୁଛି । ଯେତେଦିନ ପର୍ଯ୍ୟନ୍ତ ଗୁରୁଙ୍କର ଆଶୀର୍ବାଦ ଅଛି, ଏହି ଯୋଗ କରିବି ବୋଲି ସେ କହିଛନ୍ତି ।

ଅଧିକ ପଢନ୍ତୁ: ମହାକୁମ୍ଭ ମେଳାରେ ଉଡ଼ିବେନି ମଶାମାଛି, ଆରାମଦାୟକ ହେବ ପରିବେଶ

ସେ ପୁଣି କହିଛନ୍ତି, ନାଗା ସାଧୁମାନେ ତପସ୍ୟା କରିବା ପରମ୍ପରା ଆଜିର ନୁହେଁ । କେଉଁ ପ୍ରାଚୀନ କାଳରୁ ଏହା ପ୍ରଚଳିତ । ଆମ ଗୁରୁମାନେ ଆମକୁ ଯେଉଁ ବାଟ ଦେଖାଇଛନ୍ତି, ଆମେ ସେହି ବାଟରେ ଚାଲୁଛୁ ବୋଲି ସେ କହିଛନ୍ତି । ଏହି ଥଣ୍ଡା ପାଣି ଗରାରେ ସ୍ନାନ ବିଧି ୪୧ ଦିନ ପର୍ଯ୍ୟନ୍ତ କରାଯାଏ । କିନ୍ତୁ ମହାକୁମ୍ଭ ମେଳାରେ ସମୟ ଓ ସ୍ଥାନର କଟକଣା ଥିବାରୁ ଏହା ୨୧ ଦିନ କରାଯିବ । ଏଠାରେ ପ୍ରଥମ ଦିନରେ ୫୧ ଗରା ଜଳରେ ସ୍ନାନ କରିଥିଲି । ପ୍ରତିଦିନ ଗରା ସଂଖ୍ୟା ବଢାଯାଉଛି । ଏବେ ୬୧ ଗରା ପାଣିରେ ସ୍ନାନ କରିଛି । ୨୧ ଦିନ ବେଳକୁ ୧୦୮ ଗରାରେ ସ୍ନାନ କରିବି ।

ଚତୁର୍ଦ୍ଦଶ ଦିନ ଟିକିଏ ଚାଲେଞ୍ଜିଂ ରହିବ ବୋଲି ସେ କହିଛନ୍ତି । କାରଣ ସେହି ଦିନ ଶାହି ସ୍ନାନ ଅଛି । ସାଧୁମାନେ ଶାହି ସ୍ନାନ କରିବେ । ମୁଁ ଏଠି ସ୍ନାନ କରିବା ପରେ ପୁଣି ଶାହି ସ୍ନାନକୁ ଯାଇ ସ୍ନାନ କରିବି । ଏହା ପରେ ଓଦା ଦେହରେ ବିଭୂତି ବୋଳି ହେବି । ଦିନ ସାରା ଦେହରେ ବିଭୂତି ରହିବ ।

ଏ ବର୍ଷ ୧୨ ବର୍ଷ ପରେ ମହାକୁମ୍ଭ ମେଳା ଅନୁଷ୍ଠିତ ହେଉଛି । ଜାନୁଆରୀ ୧୩ ତାରିଖରୁ ଆରମ୍ଭ ହୋଇ ଏହା ଫେବୃଆରୀ ୨୬ ତାରିଖ ପର୍ଯ୍ୟନ୍ତ ଚାଲିବ । ଏ ବର୍ଷ ପ୍ରାୟ ୪୦ କୋଟି ଶ୍ରଦ୍ଧାଳୁ ଏହି ମେଳାରେ ଭାଗନେବେ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି ।

ଅଧିକ ପଢନ୍ତୁ: ପ୍ରୟାଗରାଜ ମହାକୁମ୍ଭ ପାଇଁ ସାଢ଼େ ୫ ହଜାର କୋଟିର ପ୍ରକଳ୍ପ ଭେଟି