• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ବରଗଡ଼ ଧନୁଯାତ୍ରାରେ ମହାରାଜ କଂସ ଓ କୃଷ-ବଳରାମଙ୍କ ଅଭିନୟ ଯେମିତି ଜୀବନ୍ତ, ମଞ୍ଚ ଉପରେ ସେମାନଙ୍କ ପୋଷାକ ପରିପାଟୀ ବି ସେତିକି ଆକର୍ଷଣୀୟ । କୃଷ୍ଣଲୀଳାର ପ୍ରତିଟି ଦୃଶ୍ୟରେ ଅଭିନୟ କରୁଥିବା ପୌରାଣିକ ଚରିତ୍ରମାନଙ୍କ ପାଇଁ ଆକର୍ଷଣୀୟ ପୋଷାକ ତିଆରି କରି ଧନୁଯାତ୍ରାକୁ ଅଧିକ ରୁଦ୍ଧିମନ୍ତ କରୁଥିବା ଜଣେ ମଣିଷ ଏବେ ଭାରି ଚର୍ଚ୍ଚାରେ ।

କିଏ ସେହି ବ୍ୟକ୍ତି ଆସନ୍ତୁ ଜାଣିବା ?

ବରଗଡ଼ ଧନୁଯାତ୍ରାକୁ ସରସ ସୁନ୍ଦର କରିବା ପଛରେ ପରୋକ୍ଷରେ ପ୍ରଛନ୍ନ ହାତ ଥିବା ମଣିଷ ଜଣକ ହେଲେ ରୂପକାର ଦେବାନନ୍ଦ ସାହୁ, ଯାହାଙ୍କ ଯାଦୁକାରୀ ସ୍ପର୍ଶରେ ଜୀବନ୍ତ ହୁଏ କଂସାସୁରର ବେଶଭୂଷା । ଅବିକଳ ଦିଶନ୍ତି କୃଷ୍ଣ-ବଳରାମ । ବିଶ୍ୱର ସର୍ବ ବୃହତ୍ତ ରଂଗମଞ୍ଚରେ ଅଭିନୟ ପାଇଁ ଓହ୍ଲାଉଥିବା ଧନୁଯାତ୍ରାର ସମସ୍ତ କଳାକାରମାନେ ପରିଧାନ କରୁଥିବା ପୌରାଣିକ ଚରିତ୍ରଙ୍କ ଠାରୁ ଆରମ୍ଭ କରି ମହାରାଜ କଂସ ଓ ରାମ-କୃଷ୍ଣ ବେନି ଭାଇଙ୍କ ବେଶ ପୋଷାକ ସମସ୍ତଙ୍କ ଝିଲମିଲ୍ ପୋଷାକକୁ ନିଜ ହାତରେ ସିଲେଇ କରନ୍ତି ଦେବାନନ୍ଦ ।

ପ୍ରତିବର୍ଷ ଯାତ୍ରା ଆରମ୍ଭର ମାସେ ପୂର୍ବରୁ ଚଳଚଞ୍ଚଳ ହୋଇଯାଆନ୍ତି ଦେବାନନ୍ଦ । ସିଲକ୍ କପଡ଼ାରେ ଚୁମୁକି,ମୋତି ଓ ରଙ୍ଗ ବେରଙ୍ଗର ମାଳି ଖଞ୍ଜି ସିଲେଇ କରନ୍ତି କଳାକାରଙ୍କ ପାର୍ଟ ଅନୁସାରେ ପୋଷାକ । ତାଙ୍କୁ ଏ କାମରେ ନିରବଛିନ୍ନ ଭାବେ ସହଯୋଗର ହାତ ବଢ଼ାଇ ଆସୁଛନ୍ତି ତାଙ୍କର ପୁରା ପରିବାର ।

ବରଗଡ଼ ଧନୁଯାତ୍ରାରେ ପୋଷାକ ପ୍ରସ୍ତୁତି, ଦେବାନନ୍ଦ ଓ ତାଙ୍କ ପରିବାର ପାଇଁ ଏକ ସୌଭାଗ୍ୟ । ୧୯୪୭ ମସିହାରେ ବରଗଡ଼ ଧନୁଯାତ୍ରାରେ ପ୍ରଥମେ ବଡ଼ବାପା ଲଳିତ ମୋହନ ସାହୁ ପରେ ବାପା ଘାସିରାମ ସାହୁ ଏ ସୁଯୋଗ ପାଇଥିଲେ । ଦୀର୍ଘ ୭୫ ବର୍ଷ ଧରି ଦେବାନନ୍ଦଙ୍କ ପରିବାରକୁ ମିଳିଥିବା ପୋଷାକ ପ୍ରସ୍ତୁତି ଦାୟିତ୍ୱକୁ ନେଇ ବି ବେଶ୍ ଗର୍ବିତ ତାଙ୍କ ପୁରା ପରିବାର ।

ସ୍ଥାନୀୟ ଗଙ୍ଗାଧର ନଗରରେ ଝଙ୍କାର ଚିତ୍ରାଳୟ ନାମରେ ଦେବାନନ୍ଦଙ୍କର ଏକ ଦୋକାନ ରହିଛି । ଯେଉଁଠି ନିଜ ହାତ ତିଆରି ନାଟ୍ୟ ସାମଗ୍ରୀ ଓ ଆଭୂଷଣ ବିକ୍ରି କରି ସେ ପରିବାର ପ୍ରତିପୋଷଣ କରୁଛନ୍ତି । ତେବେ ତାଙ୍କ ଯାଦୁଗରି ପୋଷାକ ତିଆରି ପାଇଁ ଖାଲି ଦର୍ଶକ ନୁହଁନ୍ତି ଖୋଦ୍ କଂସ ମହାରାଜା ବି ପ୍ରଶଂସାରେ ପୋତି ପକାନ୍ତି ।

ବାପା-ବଡ଼ବାପାଙ୍କ ଅମଳରୁ ବରଗଡ଼ ଧନୁଯାତ୍ରା କଳାକାର ମାନଙ୍କ ପାଇଁ ବେଶ ପୋଷାକ ପ୍ରସ୍ତୁତ କରି ଆସୁଥିବା କୁଶଳୀ କାରିଗର ଦେବାନନ୍ଦଙ୍କୁ ନେଇ ଧନୁଯାତ୍ରା କମିଟି ବି କିଛି କମ୍ ଗର୍ବ କରେନି ।

(ରିପୋର୍ଟ- ଦୀପକ ଶର୍ମା, ବରଗଡ଼)