ଆସନ୍ତା ବସନ୍ତ ପଞ୍ଚମୀରେ ପ୍ରୟାଗରାଜରେ ରହିଛି ଶେଷ ଅମୃତ ସ୍ନାନ । ଏଥିପାଇଁ କୁମ୍ଭ ନଗରୀକୁ ଛୁଟିଲାଣି ଶ୍ରଦ୍ଧାଳୁଙ୍କ ସୁଅ । ଗତ ମୌନୀ ଅମାବାସ୍ୟାର ଅଘଟଣ ପରେ ବସନ୍ତ ପଞ୍ଚମୀ ସାହି ସ୍ନାନ ପାଇଁ ବ୍ୟାପକ ବ୍ୟବସ୍ଥା କରୁଛନ୍ତି ଉତ୍ତରପ୍ରଦେଶ ସରକାର । ବିଶେଷକରି ଭିଡ଼ ନିୟନ୍ତ୍ରଣ ଓ ଶୃଙ୍ଖଳିତ ବୁଡ଼ ଉପରେ ଗୁରୁତ୍ବ ଦିଆଯାଉଛି । ସୁରକ୍ଷା ବ୍ୟବସ୍ଥା ବି କଡ଼ାକଡ଼ି କରାଯାଇଛି ।
ପ୍ରୟାଗରାଜ ଷ୍ଟେସନରେ ରେଲଓ୍ବେ ପ୍ରୋଟେକ୍ସନ ଫୋର୍ସ ପକ୍ଷରୁ ସମସ୍ତ ଯାତ୍ରୀଙ୍କ ସୁରକ୍ଷା ଉପରେ ବିଶେଷ ଗୁରୁତ୍ବ ଦିଆଯାଇଛି । ସମସ୍ତ ଯାତ୍ରୀଙ୍କ ଟ୍ରେନରେ ଚଢିବା ଓ ଓହ୍ଳାଇବା ଉପରେ ଗୁରୁତ୍ୱ ଦିଆଯାଇଛି । ଏଥିସହ ପ୍ରୟାଗରାଜ ସହର ଓ ତ୍ରିବେଣୀ ସଙ୍ଗମରେ ସ୍ନାନ ପାଇଁ ବ୍ୟାପକ ବନ୍ଦୋବସ୍ତ ସହ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି ।
Also Read
ଉତ୍ତର ପ୍ରଦେଶରେ ଅବସ୍ଥିତ ଧର୍ମନଗରୀ ପ୍ରୟାଗରାଜରେ ଅନୁଷ୍ଠିତ ହେଉଛି ବିଶ୍ୱ ପ୍ରସିଦ୍ଧ ମହାକୁମ୍ଭ । ପୌଷ ପୂର୍ଣ୍ଣିମା ଅବସରରେ ଗଙ୍ଗା, ଯମୁନା ଏବଂ ପୁରାଣବର୍ଣ୍ଣିତ ସରସ୍ବତୀ ନଦୀର ସଙ୍ଗମ ସ୍ଥଳରେ ସାଧୁସନ୍ଥ ଓ ଶ୍ରଦ୍ଧାଳୁ ବୁଡ଼ ପକାଇଥା'ନ୍ତି । ମହାକୁମ୍ଭ ବେଳେ ସଙ୍ଗମରେ ବୁଡ଼ ପକାଇଲେ ମୋକ୍ଷପ୍ରାପ୍ତି ହୋଇଥାଏ ବୋଲି ବିଶ୍ୱାସ ରହିଥିବାରୁ ପ୍ରବଳ ଶୀତ ଓ ଘନ କୁହୁଡ଼ି ଏବଂ ବରଫ ଭଳି ଥଣ୍ଡା ପାଣିକୁ ଖାତିର ନକରି ବୁଡ଼ ପକାଇବାକୁ ଶ୍ରଦ୍ଧାଳୁଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଲାଗିରହିଥିବା ଦେଖିବାକୁ ମିଳୁଛି ।
୪୫ ଦିନ ଧରି ଚାଲିବାକୁ ଥିବା ଏହି କାର୍ଯ୍ୟକ୍ରମକୁ ବିଶ୍ୱର ସର୍ବବୃହତ୍ ଧାର୍ମିକ ସମାବେଶ ବୋଲି କୁହାଯାଏ । ତେବେ ଚଳିତ ମହାକୁମ୍ଭରେ ଦେଶବିଦେଶରୁ ୪୦ କୋଟିରୁ ଊର୍ଦ୍ଧ୍ୱ ଶ୍ରଦ୍ଧାଳୁ ଓ ପର୍ଯ୍ୟଟକ ଯୋଗଦେବେ ବୋଲି ଆକଳନ କରାଯାଇଛି । ଅନ୍ୟପଟେ ଦୀର୍ଘ ୧୪୪ ବର୍ଷ ପରେ ଦୁର୍ଲଭ ସ୍ବର୍ଗୀୟ ସଂଯୋଗ ପଡ଼ୁଥିବା ସନ୍ଥମାନେ ଦାବି କରୁଥିବାରୁ ଏଥର ମହାକୁମ୍ଭକୁ ସବୁଠୁ ଶୁଭ ବିବେଚନା କରାଯାଉଛି ।
ଏହି ମେଳାରେ ବସ୍ ଓ ଟ୍ରେନ୍ରେ ଆସିଥିବା ଶ୍ରଦ୍ଧାଳୁ ୧୦ ରୁ ୧୨ କିଲୋମିଟର ଚାଲିଚାଲି ଆସି ବୁଡ଼ ପକାଉଥିବା ଦେଖିବାକୁ ମିଳୁଛି ।