• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pramod Behera

ପଦ୍ମ ପୁରାଣର ପ୍ରାଚୀ ମାହାତ୍ମ୍ୟରେ ଅର୍କ ତୀର୍ଥର ମାହାତ୍ମ୍ୟ ବର୍ଣ୍ଣନା କରାଯାଇଛି I ସେହି ଅର୍କ ତୀର୍ଥ ପରବର୍ତ୍ତୀ କାଳରେ ‘ଚନ୍ଦ୍ରଭାଗା ତୀର୍ଥ’ ନାମରେ ପ୍ରସିଦ୍ଧ ହୋଇଛି I କାହାଣୀ ଅନୁସାରେ ଦେବୀ ସରସ୍ୱତୀ ମର୍ତ୍ତ୍ୟଲୋକରେ ପ୍ରାଚୀ ନାମରେ ପ୍ରବାହିତ ହୋଇଥିଲେ। ତା’ପରେ ଏହା ଚିତ୍ରୋତ୍ପଳା, କାଦୁଆ ଓ ଶେଷରେ ଚନ୍ଦ୍ରଭାଗା ନାମରେ କୋଣାର୍କ ନିକଟରେ ସମୁଦ୍ରରେ ମିଶିଥିଲା। ଶ୍ରୀକୃଷ୍ଣଙ୍କ ପୁତ୍ର ଶାମ୍ବ ଏହି ଚନ୍ଦ୍ରଭାଗା ନଦୀକୂଳରେ ସୂର୍ଯ୍ୟ ଉପାସନା କରି କୁଷ୍ଠରୋଗରୁ ମୁକ୍ତିଲାଭ କରିଥିଲେ।

ଏହି ଚନ୍ଦ୍ରଭାଗା ନଦୀରେ ସ୍ନାନ କରୁଥିବା ସମୟରେ ଶାମ୍ବ ସୂର୍ଯ୍ୟଙ୍କର ମଣିବିଗ୍ରହ ପାଇଥିଲେ ଏବଂ ସ୍ୱୟଂ ସୂର୍ଯ୍ୟଦେବ ତାଙ୍କର ସେହି ମୂର୍ତ୍ତିକୁ ନେଇ ଚନ୍ଦ୍ରଭାଗା ନଦୀ ତୀରରେ ମନ୍ଦିର ନିର୍ମାଣ ପାଇଁ ଶାମ୍ବଙ୍କୁ ନିର୍ଦ୍ଦେଶ ଦେଇଥିଲେ। ତେଣୁ ପ୍ରାଚୀନ କାଳରୁ ଚନ୍ଦ୍ରଭାଗା ଏକ ପୂଣ୍ୟତୀର୍ଥ ରୂପେ ଖ୍ୟାତି ଅର୍ଜନ କରିଆସିଛି।

ସାରଳା ଦାସଙ୍କ ‘ମହାଭାରତ’ର ବନ ପର୍ବରେ ଅର୍କକ୍ଷେତ୍ର ବିଷୟରେ ଉଲ୍ଲେଖ ଅଛି ଯେ ମକର ମାସ ଅର୍ଥାତ ପବିତ୍ର ମାଘ ସପ୍ତମୀ ତିଥିରେ ସୂର୍ଯ୍ୟଦେବ ‘ଅର୍କ’ ନାମକ ଏକ ଦୈତ୍ୟକୁ ପାତାଳକୁ ଚାପିଦେଇଥିଲେ। ଏହା ପରେ ଏହି କ୍ଷେତ୍ର ଅର୍କକ୍ଷେତ୍ର ଭାବେ ପରିଚିତ ହୋଇଥିଲା।

ପ୍ରତିବର୍ଷ ମାଘ ଶୁକ୍ଳ ସପ୍ତମୀ ଦିନ ଏହି ତୀର୍ଥରେ ପବିତ୍ର ସ୍ନାନ ଉତ୍ସବ ଅନୁଷ୍ଠିତ ହୁଏ। ଏହି ଦିନ ସୂର୍ଯ୍ୟପୂଜା କରାଯାଏ। ପଦ୍ମ ପୁରାଣରେ ପ୍ରାଚୀ ମହାତ୍ମ୍ୟରେ ବର୍ଣ୍ଣନା କରାଯାଇଛି ଯେ ସୂର୍ଯ୍ୟଦେବ ନିଜର ପାପ ମୋଚନ ନିମନ୍ତେ ଅର୍କତୀର୍ଥରେ ତପସ୍ୟା କରି ମୁକ୍ତିଲାଭ କରିଥିଲେ। ମହାଦେବ ମଧ୍ୟ ଏଠାରେ ତପସ୍ୟା କରି ବ୍ରହ୍ମହତ୍ୟା ପାପରୁ ମୁକ୍ତି ପାଇଥିଲେ।

ଖଣ୍ଡଗିରି ମେଳା:

ମାଘସପ୍ତମୀ ତିଥିରେ ଭୁବନେଶ୍ୱର ସ୍ଥିତ ଖଣ୍ଡଗିରିଠାରେ ନଅଦିନ ବ୍ୟାପୀ ଏକ ଯାଗଯଜ୍ଞ ଓ ବିରାଟ ମେଳାର ଆୟୋଜନ ହୋଇଥାଏ। ପୌରାଣିକ ତଥ୍ୟାନୁସାରେ କୃଷ୍ଣପୁତ୍ର ଶାମ୍ବ ମାଘସପ୍ତମୀ ତିଥିରେ ସୂର୍ଯ୍ୟ ମନ୍ଦିର ପ୍ରତିଷ୍ଠା କରି ପୂଜାର୍ଚ୍ଚନା ପୂର୍ବକ ଭୁବନେଶ୍ୱରରେ ଥିବା କପିଳମୁନିଙ୍କ ଆଶ୍ରମରେ ଅବସ୍ଥାନ କରିଥିଲେ। ମହାମୁନି କପିଳ ଶାମ୍ବଙ୍କୁ ‘ଖଣ୍ଡଖିରୀ’ ଖାଇବାକୁ ଦେଇ ସନ୍ତୁଷ୍ଟ କରିଥିଲେ। ପରେ ଖଣ୍ଡଖିରୀ ଅପଭ୍ରଂଶ ହୋଇ ଜନଶ୍ରୁତିରେ ଖଣ୍ଡଗିରି ହୋଇଛି।

ଏବେବି ଏଠାରେ କପିଳମୁନୀଙ୍କ ପୂଜିତ ଶିବଲିଙ୍ଗ ‘କପିଳେଶ୍ୱର’ ନାମରେ ଖ୍ୟାତି ଲାଭ କରିଛନ୍ତି। ଏହି ମାଘସପ୍ତମୀ ତିଥିରେ ସାଧୁସନ୍ଥମାନେ ଏକତ୍ର ହୋଇ ବିଭିନ୍ନ ଧର୍ମାଲୋଚନା ଓ ଯାଗଯଜ୍ଞରେ ଭାଗନେଇ ବିଭିନ୍ନ ଧାର୍ମିକ ପରିବେଶ ସୃଷ୍ଟି କରିଥାନ୍ତି।

କୋଣାର୍କରେ ରଥଯାତ୍ରା:

ଅଭିଶପ୍ତ ଶାମ୍ବ ପିତା ଶ୍ରୀକୃଷ୍ଣଙ୍କ ନିର୍ଦ୍ଦେଶକ୍ରମେ କୁଷ୍ଠରୋଗରୁ ମୁକ୍ତି ପାଇବା ପାଇଁ ଚନ୍ଦ୍ରଭାଗାରେ ତପସ୍ୟା କରିଥିଲେ। ଏଇଠୁ ଆରମ୍ଭ ହୋଇଥିଲା ସୂର୍ଯ୍ୟପୂଜା। ଦ୍ୱାପରଯୁଗରେ ଯୁଧିଷ୍ଠିର ରାଜାଙ୍କ ରାଜତ୍ୱକାଳରୁ ସାକ୍ୟ ସମ୍ବତ ଯାଏ ୨୫୨୬ ବର୍ଷ, ବୁଦ୍ଧଦେବଙ୍କ ଜନ୍ମଠାରୁ ଯୀଶୁଖ୍ରୀଷ୍ଟଙ୍କ ଜନ୍ମ ପର୍ଯ୍ୟନ୍ତ ୫୭୪ବର୍ଷ ଏବଂ ଯୀଶୁଙ୍କ ଜନ୍ମଠାରୁ ଆଜି ପର୍ଯ୍ୟନ୍ତ ଅର୍ଥାତ ବର୍ତ୍ତମାନ କଳିଯୁଗକୁ ମିଶାଇ ପ୍ରାୟ ୫୧୨୦ ବର୍ଷ ଅତିକ୍ରାନ୍ତ ହୋଇଗଲାଣି।

ସୁତରାଂ ୫୧୨୦ ବର୍ଷ ପୂର୍ବେ ଶାମ୍ବ କୁଷ୍ଠରୋଗରୁ ମୁକ୍ତି ପାଇବା ପାଇଁ ପୌଷମାସ ଦଶମୀଠାରୁ ମାଘ ମାସ ସପ୍ତମୀ ପର୍ଯ୍ୟନ୍ତ ତପସ୍ୟା କରିଥିଲେ। ଯେଉଁ ସୂର୍ଯ୍ୟଦେବଙ୍କ ମଣିବିଗ୍ରହକୁ ଚନ୍ଦ୍ରଭାଗା ନଦୀରେ ସ୍ନାନ ସମୟରେ ପ୍ରାପ୍ତକରି ଶାମ୍ବ ସୂର୍ଯ୍ୟପୂଜା କରୁଥିଲେ, ପରେ ସେହି ସ୍ଥାନରେ ସୂର୍ଯ୍ୟମନ୍ଦିର ନିର୍ମାଣ କରାଗଲା ଓ ସେଥିରେ ବିଗ୍ରହକୁ ସ୍ଥାପନ କରାଗଲା।

ସେବେଠାରୁ ସୂର୍ଯ୍ୟଦେବଙ୍କ ରଥଯାତ୍ରା ପାଳନ କରାଯାଉଥିବାର ଅନୁମାନ କରାଯାଏ। ପରବର୍ତ୍ତୀ କାଳରେ ରାଜାମାନେ ଥରକୁ ଥର ମନ୍ଦିର ନିର୍ମାଣ କରିଛନ୍ତି, ପରିଶେଷରେ ଲାଙ୍ଗୁଡା ନରସିଂହ ଦେବ ଏକ ଚଳନ୍ତା ରଥ ସଦୃଶ ସୂର୍ଯ୍ୟମନ୍ଦିରର ରୂପରେଖ ଦେଇଥିଲେ। ତେଣୁ ରଥ ସଦୃଶ୍ ମନ୍ଦିର ତିଆରି ପୂର୍ବରୁ ଏଠାରେ ଲୌକିକ ରଥଯାତ୍ରା ହେଉଥିବାର ପ୍ରମାଣ ମିଳେ।

ମାଦଳା ପାଞ୍ଜିରେ କୋଣାର୍କରେ ମାଘ ସପ୍ତମୀ ଯାତ୍ରା ଉଲ୍ଲେଖ ଅଛି। କପିଳ ସଂହିତାରେ ଏହି ସ୍ଥାନରେ ରଥଯାତ୍ରା ଓ ବ୍ରହ୍ମପୁରାଣରେ ଚୈତ୍ରମାସର ଶୁକ୍ଳପକ୍ଷ 'ଚୈତ୍ର ଯାତ୍ରା' ନାମରେ ଏଠାରେ ଏକ ଯାତ୍ରା ହେଉଥିବାର ବର୍ଣ୍ଣନା ରହିଛି। ଖ୍ରୀଷ୍ଟିୟ ଷଷ୍ଠ ଶତାବ୍ଦୀରେ ମାଘ ସପ୍ତମୀରେ ଓଡ଼ିଶାର ବିଭିନ୍ନ ସ୍ଥାନରେ ସୂର୍ଯ୍ୟପୂଜା ଉତ୍ସବ ପାଳନ ହେଉଥିଲା ବୋଲି ଡଃ. ନବୀନ କୁମାର ସାହୁ ଓଡ଼ିଆ ଜାତିର ଇତିହାସରେ ଲେଖିଛନ୍ତି।

ସ୍କନ୍ଧପୁରାଣ ଉତ୍କଳ ଖଣ୍ଡରେ ଚନ୍ଦ୍ରଭାଗା ବୁଡ ଉପଲକ୍ଷେ କୋଣାର୍କରେ ମାଘମାସ ଶୁକ୍ଳ ପଞ୍ଚମୀ ଦିନ ରଥଯାତ୍ରା ଗୁଣ୍ଡିଚା ଯାତ୍ରା ପରି ପାଳନ ହେଉଥିଲା। ଓଡ଼ିଶାରେ ମୁଖ୍ୟତଃ ଚାରିଗୋଟି ରଥଯାତ୍ରା ଅନୁଷ୍ଠିତ ହଏ। ବର୍ଷର ପ୍ରତି ଦୁଇମାସରେ ଥରେ ଗୋଟିଏ ରଥଯାତ୍ରା ହୁଏ। ଚୈତ୍ରମାସ ଶୁକ୍ଳ ଅଷ୍ଟମୀରେ ରୁକୁଣା ରଥଯାତ୍ରା, ଆଷାଢ ମାସ ଦ୍ୱିତୀୟାରେ ଗୁଣ୍ଡିଚା ରଥଯାତ୍ରା, ଆଶ୍ୱିନରେ ଦୁର୍ଗାଙ୍କ ଏବଂ ମାଘ ମାସ ପଞ୍ଚମୀରେ କୋଣାର୍କ ସୌର ରଥଯାତ୍ରା ପାଳନ ହେଉଥିବାର ପୁରାଣରେ ବର୍ଣ୍ଣନା ଅଛି।

କିନ୍ତୁ ପ୍ରତି ଦୁଇ ମାସ ବ୍ୟବଧାନରେ ଗୋଟିଏ ରଥଯାତ୍ରା ଅନୁଷ୍ଠିତ ହେଉଥିବାରୁ କୋଣାର୍କର ସୌର ରଥଯାତ୍ରା ମାଘ ମାସ ପରିବର୍ତ୍ତେ ପୌଷମାସରେ ଅନୁଷ୍ଠିତ ହେବାର କୁହାଯାଏ।