• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ନଭେମ୍ବର ୮ ତାରିଖ କାର୍ତ୍ତିକ ପୂର୍ଣ୍ଣିମାରେ ଚନ୍ଦ୍ରଗ୍ରହଣ ପଡୁଥିବାରୁ ଏହି ଦିନ ପାକତ୍ୟାଗ ଓ ଶ୍ରୀମନ୍ଦିର ନୀତିକୁ ନେଇ ଯେଉଁ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଥିଲା । ତାହା ବର୍ତ୍ତମାନ ଦୂର ହୋଇଛି । ଛତିଶା ନିଯୋଗ ବୈଠକରେ ନୂଆ ନୀତି ନିର୍ଘଣ୍ଟ ହୋଇଛି । ୭ ତାରିଖ ରାତି ୧୨ଟା ୧୦ରେ ଦ୍ୱାରଫିଟା ହେବ । ତା ପରେ ପରେ ସବୁ ନୀତିକାନ୍ତି କରାଯାଇ ସକାଳ ୫ଟା ୫୦ ସୁଦ୍ଧା ସରିବ ଭୋଗ ମଣ୍ଡପ ।

୮ ତାରିଖ ସକାଳ ୫ଟା ୫୪ ମିନିଟ ୫୩ ସେକେଣ୍ଡରୁ ପାକ ତ୍ୟାଗ ହେବ । ଆଗରୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଥିଲା ଯେ, ସକାଳ ୮ଟା ୨୯ରୁ ପାକ ତ୍ୟାଗ, ଦେବ ନୀତି ବନ୍ଦ ହେବ । କିନ୍ତୁ ଜ୍ୟୋତିର୍ବିଦମାନେ କହିଥିଲେ, ସୂର୍ଯ୍ୟୋଦୟ ଅର୍ଥାତ ସକାଳ ୫ଟା ୫୪ ମିନିଟ ୫୩ ସେକେଣ୍ଡରୁ ହିଁ ପାକତ୍ୟାଗ ହେବା କଥା । କାରଣ କାର୍ତ୍ତିକ ପୂର୍ଣ୍ଣିମାରେ ଦିନ ୨ଟା ୩୮ ମିନିଟ ୧୪ ସେକେଣ୍ଡରୁ ଗ୍ରହଣ ସ୍ପର୍ଶ କରୁଥିବା ବେଳେ ଗ୍ରହଣ ସର୍ବମୋକ୍ଷ ହେବ ସଂଧ୍ୟା ୬ଟା ୧୮ ମିନିଟ ୪୭ ସେକେଣ୍ଡରେ ।

ଗ୍ରହଣ ସ୍ପର୍ଶର ୯ ଘଣ୍ଟା ଆଗରୁ ପାକତ୍ୟାଗ ହେବା କଥା । ପାଞ୍ଜିରେ ସାମାନ୍ୟ ତ୍ରୁଟି, ସେହି ତ୍ରୁଟି ସଂଶୋଧନ କରାଯାଇଥିଲେ ମଧ୍ୟ ତାହା ନଜରକୁ ଆସିନଥିବାରୁ ପାକତ୍ୟାଗକୁ ନେଇ ଦ୍ୱନ୍ଦ୍ୱ ହୋଇଥିବା କୁହାଯାଇଥିଲା । ଶ୍ରୀମନ୍ଦିର ନୀତି ଜଡ଼ିତ ଥିବାରୁ ଛତିଶାନିଯୋଗ ତରଫରୁ ଆଉ ଏକ ବୈଠକ ବସିଥିଲା ଏବଂ ଏଥିରେ ନୀତି ନିର୍ଘଣ୍ଟରେ ପରିବର୍ତ୍ତନ କରାଯାଇଛି । ୮ ତାରିଖ ସକାଳ ୫ଟା ୫୦ ସୁଦ୍ଧା ସରିବ ଭୋଗ ମଣ୍ଡପ ଓ ସୂର୍ଯ୍ୟୋଦୟରୁ ହିଁ ପାକତ୍ୟାଗ ହେବ । ସେହିପରି ସୂର୍ଯ୍ୟୋଦୟ ପୂର୍ବରୁ ହିଁ ଡଙ୍ଗା ଭସାଇବାକୁ ପରାମର୍ଶ ଦେଇଛନ୍ତି ଜ୍ୟୋତିର୍ବିଦ, ନ ହେଲେ ତାହା ମାରା ହୋଇଯିବ ।