• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ଆସନ୍ତା ୨୮ ତାରିଖରେ କୁମାର ପୂର୍ଣ୍ଣିମା ଏବଂ ସେହିଦିନ ହିଁ ପଡ଼ୁଛି ରାହୁଗ୍ରସ୍ତ ଖଣ୍ଡଗ୍ରାସ ଚନ୍ଦ୍ରଗ୍ରହଣ । ଏଥିପାଇଁ ଶ୍ରୀମନ୍ଦିରରେ ହେବ ମହାପ୍ରଭୁଙ୍କ ସ୍ୱତନ୍ତ୍ର ନୀତିକାନ୍ତି । ତେବେ ସେହିଦିନ ଚକ୍ରରାଜ ସୁଦର୍ଶନଙ୍କ ଚାରି ଆଶ୍ରମ ପରିକ୍ରମା ହେବାକୁ ଥିବାରୁ, ପାକତ୍ୟାଗ ପୂର୍ବରୁ ସୁଦର୍ଶନ ଯେପରି ରତ୍ନସିଂହାସନକୁ ବାହୁଡ଼ି ଆସିବେ, ସେଥିପ୍ରତି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଗୁରୁତ୍ୱ ଦିଆଯାଇଛି । ସେପଟେ ଗ୍ରହଣ ଦିନ ପାକତ୍ୟାଗ, ଗ୍ରହଣ ସ୍ପର୍ଶ, ସର୍ବମୋକ୍ଷ ସମୟ ସହିତ ଏହି ଗ୍ରହଣ କାହା ପାଇଁ ଶୁଭ, କାହା ପାଇଁ ଅଶୁଭ, ସବିଶେଷ ବୁଝାଇ କହିଛନ୍ତି ଜ୍ୟୋତିର୍ବିଦ ।

ଏବର୍ଷ କୁମାରପୂର୍ଣ୍ଣିମା ଦିନ ପଡ଼ୁଛି ଚନ୍ଦ୍ର ଗ୍ରହଣ । ଏମିତି ସେମିତି ନୁହେଁ, ଇଏ ରାହୁଗ୍ରସ୍ତ ଖଣ୍ଡଗ୍ରାସ ଗ୍ରହଣ । ଜାଣିରଖନ୍ତୁ କେତେବେଳେ ପାକତ୍ୟାଗ ଓ ସର୍ବମୋକ୍ଷ । ଅକ୍ଟୋବର ୨୮ ରେ ପବିତ୍ର କୁମାର ପୂର୍ଣ୍ଣିମା ଦିନ ହେବ ଚଳିତବର୍ଷର ଏକମାତ୍ର ରାହୁଗ୍ରସ୍ତ ଖଣ୍ଡଗ୍ରାସ ଚନ୍ଦ୍ରଗ୍ରହଣ । ସୂଚନା ଅନୁସାରେ, ଗ୍ରହଣର ସ୍ପର୍ଶ ରାତି ଗୋଟାଏ ୪ ମିନିଟ୍ ୫୫ ସେକେଣ୍ଡରେ ଏବଂ ସର୍ବମୋକ୍ଷ ରାତି ୨ଟା ୨୪ମିନିଟ୍ ୨ ସେକେଣ୍ଡରେ । ଅର୍ଥାତ ଗ୍ରହଣର ଅବଧି ୧ ଘଣ୍ଟା ୧୯ ମିନିଟ ୭ ସେକେଣ୍ଡ୍ ।

ତେବେ ଗ୍ରହଣର ୯ ଘଣ୍ଟା ପୂର୍ବରୁ ପାକତ୍ୟାଗ ବିଧି । ଅର୍ଥାତ୍ ଅକ୍ଟୋବର ୨୮ ଅପରାହ୍ଣ ୪ଟା ୪ ମିନିଟ୍ ୫୫ ସେକେଣ୍ଡ ଠାରୁ ରାତି ୨ ଟା ୨୪ ମିନିଟ ୨ ସେକେଣ୍ଡ ପର୍ଯ୍ୟନ୍ତ ପାକତ୍ୟାଗ, ଅନ୍ନ ଭୋଜନ ଓ ଦେବନୀତି ନିଷିଦ୍ଧ । ଜ୍ୟୋତିର୍ବିଦ କହିଛନ୍ତି ଏହି ଚନ୍ଦ୍ର ଗ୍ରହଣ ୬ଟି ରାଶି ପାଇଁ ଶୁଭ ଓ ୬ଟି ପାଇଁ ଅଶୁଭ ଫଳଦାୟକ । ଏହା ମେଷ, ବୃଷ, କର୍କଟ, ସିଂହ, କନ୍ୟା ଓ ତୁଳା ପାଇଁ ଅଶୁଭ । ମିଥୁନ, ବିଛା, ଧନୁ, ମକର, କୁମ୍ଭ ଓ ମୀନ ପାଇଁ ଶୁଭ ।

ଚନ୍ଦ୍ରଗ୍ରହଣ ବେଳେ ଅନ୍ୟ ସବୁଆଡ଼େ ଦେବନୀତି ମନା ହୋଇଥିଲେ ବି, ଶ୍ରୀମନ୍ଦିରରେ ଗ୍ରହଣ ସ୍ପର୍ଶ ହେବା ମାତ୍ରେ ଆରମ୍ଭ ହୁଏ ସ୍ୱତନ୍ତ୍ର ନୀତିକାନ୍ତି । ଏହାହିଁ ଶ୍ରୀମନ୍ଦିରର ସ୍ୱାତନ୍ତ୍ର୍ୟ । ଗ୍ରହଣ ସ୍ପର୍ଶ ସମୟରୁ ହିଁ ସମ୍ପନ୍ନ ହେବ ଶ୍ରୀଜିଉଙ୍କ ସ୍ନାନ ଓ ଗ୍ରହଣ ଖଇକୋରା ଭୋଗ ନୀତି । ଖାଲି ଏତିକି ନୁହେଁ, କୁମାର ପୂର୍ଣ୍ଣିମାରେ ଶ୍ରୀମନ୍ଦିରରେ ରହିଛି ଆଉ ଏକ ସ୍ୱତନ୍ତ୍ର ବିଧି । ଏହି ଦିନ ଚକ୍ରରାଜ ସୁଦର୍ଶନ ଚାରି ଆଶ୍ରମ ପରିକ୍ରମା କରିଥାନ୍ତି । ପ୍ରଥମେ ମାର୍କେଣ୍ଡେୟ ଆଶ୍ରମ, ପରେ ଅଙ୍ଗିରା ଓ ଭୃଗୁ ଏବଂ ଶେଷରେ କଣ୍ଡୁ ଆଶ୍ରମ ବିଜେ ହୁଅନ୍ତି ଚକ୍ରରାଜ ।

ତେବେ ଗ୍ରହଣ ପଡ଼ୁଥିବାରୁ, ମଧ୍ୟାହ୍ନ ଧୂପ ପରେ ସୁଦର୍ଶନ ଚଉଦୋଳରେ ବିଜେ ହୋଇ ପରିକ୍ରମା କରିବା ପରେ, ପାକତ୍ୟାଗ ପୂର୍ବରୁ ରତ୍ନ ସିଂହାସନକୁ ଫେରିଯିବେ । ଏଥିପାଇଁ ନୀତିକାନ୍ତି ତ୍ୱରାନ୍ୱିତ କରିବାକୁ ପାଳିଆ ସେବକଙ୍କ ସହଯୋଗ ଲୋଡ଼ିଛି ଶ୍ରୀମନ୍ଦିର ପ୍ରଶାସନ । ହବିଷ୍ୟାଳି ମାନେ କୁମାର ପୂର୍ଣ୍ଣିମା ଠିକ୍ ପରଦିନ କାର୍ତ୍ତିକ ବ୍ରତ ସଂକଳ୍ପ ଧାରଣ କରିବେ ।

  • Reported by:
  • MADHUSUDAN MISHRA