/odishatv-khabar/media/post_attachments/uploadimage/library/16_9/16_9_0/s_1701227162.jpg)
Lord jagannath banakalagi ritual to be held today
ଆଜି ଶ୍ରୀଜିଉଙ୍କ ବନକଲାଗି ନୀତି । ଶ୍ରୀମୁଖ ଶୃଙ୍ଖାର କରିବେ ଦତ୍ତ ମହାପାତ୍ର ସେବାୟତ । ଏଣୁ ସନ୍ଧ୍ୟା ୫ଟାରୁ ରାତି ୯ଟା ପର୍ଯ୍ୟନ୍ତ ୪ ଘଣ୍ଟା ଧରି ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ଏହା ଶ୍ରୀଜିଉଙ୍କ ଗୁପ୍ତ ନୀତି ହୋଇଥିବାରୁ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି ।
ଅପରାହ୍ମରେ ଦ୍ୱିତୀୟ ଭୋଗ ମଣ୍ଡପ ସରିବା ପରେ ଦତ୍ତମହାପାତ୍ର ସେବକମାନେ ବନକଲାଗି ନୀତି କରିବେ । ହିଙ୍ଗୁଳ, ହରିତାଳ, ଶଙ୍ଖ, କେଶର, କର୍ପୁର, କଇଥଅଠା, କସ୍ତୁରୀ ଓ କଳା ଇତ୍ୟାଦି ବ୍ୟବହାର କରି ଶ୍ରୀମୁଖ୍ୟ ଶୃଙ୍ଖାର କରିବାର ପରମ୍ପରା ରହିଛି ।
ଏ ବନକଲାଗିରେ କଣ ସବୁ ସାମଗ୍ରୀ ଲାଗେ ? ଏସବୁ ସାମଗ୍ରୀ ଆସେ କେଉଁଠୁ ? କେଉଁ ସେବକ ଏ ନୀତି କରିବାକୁ ସତ୍ତ୍ବଲିପିରେ ଉଲ୍ଳେଖ ଅଛି ? ତାସହ ଏଥିପାଇଁ କେତେ ସମୟ ଲାଗେ ?
କେମିତି ହୁଏ ମହାପ୍ରଭୁଙ୍କ ବନକଲାଗି ?
ଶ୍ରୀମନ୍ଦିର ରେକର୍ଡ ଅଫ୍ ରାଇଟ୍ସ କୁହେ ମହାପ୍ରଭୁଙ୍କର ଏହି ଶ୍ରୀଅଙ୍ଗ ଲାଗି ସେବାର ସୁଯୋଗ ପାଇଛନ୍ତି ଦତ୍ତମହାପାତ୍ର ସେବକ । ଏହା ବଂଶାନୁକ୍ରମିକ ସେବା ଓ ସିଧା ରତ୍ନବେଦୀ ଉପରେ ଚଢ଼ି ଠାକୁରମାନଙ୍କୁ ଆକର୍ଷଣୀୟ ରୂପ ଦେବାର ସୁଯୋଗ । ବନକଲାଗିରେ ମୁଖ୍ୟତଃ ଚାରି ପ୍ରକାର ପ୍ରାକୃତିକ ରଙ୍ଗ ବ୍ୟବହାର ହୋଇଥାଏ, ଯାହା ହେଲା କଳା, ଧଳା, ନାଲି ଓ ହଳଦିଆ ।
ଆଉ ଏଥିପାଇଁ ଦରକାର ପଡୁଥିବା ସାମଗ୍ରୀ ଗୁଡ଼ିକ ହେଲା କଜ୍ଜ୍ବଳ, ହିଙ୍ଗୁଳ, ହରିତାଳ, କସ୍ତୁରୀ, ଚନ୍ଦନ, କର୍ପୂର, କେଶର ଓ ଘୋରା ଶଙ୍ଖ । ଏଥିରୁ ଅଧିକାଂଶ ବନଜାତ ଦ୍ରବ୍ୟ । ହିଙ୍ଗୁଳକୁ ହଳଦିଆ ରଙ୍ଗ ଭାବେ ବ୍ୟବହାର ହେଉଥିବାବେଳେ ହରିତାଳ ଲାଲ ରଂଗ ପାଇଁ ଦରକାର । ବଳଭଦ୍ରଙ୍କ ଶ୍ରୀମୁଖ ଶିଙ୍ଗାର ପାଇଁ ଅତି ଦରକାରୀ ଧଳା ରଂଗ ମୁଖ୍ୟତଃ ଘୋରା ହୋଇଥିବା ଦକ୍ଷିଣାବର୍ତ୍ତୀ ଶଙ୍ଖରୁ ସଂଗୃହୀତ ହୋଇଥାଏ ।
ସେହିପରି କଳାଠାକୁର ଜଗନ୍ନାଥଙ୍କ ଶ୍ରୀମୁଖ ଶିଙ୍ଗାର ପାଇଁ ପ୍ରଜ୍ଜ୍ୱଳିତ ଦୀପରୁ ସଂଗୃହୀତ କଳା ବ୍ୟବହାର ହୋଇଥାଏ । ପ୍ରତ୍ୟେକ ସାମଗ୍ରୀ ରୁପା ଷଡ଼େଇରେ ରଖି ଗୋଳାଯିବା ପରେ ଶ୍ରୀବିଗ୍ରହମାନଙ୍କ ବନକଲାଗି କରାଯାଏ । ଯେହେତୁ ବର୍ତ୍ତମାନ ସମୟରେ କସ୍ତୁରୀ ଅତି ଦୁର୍ଲଭ ହୋଇଛି ଓ ନେପାଳରୁ ଆଉ ଏହା ଆସୁନାହିଁ । ତେଣୁ ତାକୁ ବାଦ୍ ଦେଇ ଶ୍ରୀମନ୍ଦିର ପ୍ରଶାସନ ଯୋଗାଇ ଦେଉଥିବା ବାକି ସାମଗ୍ରୀରେ ହିଁ ବନକଲାଗି କରାଯାଉଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)