• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ମଞ୍ଚ ଉପରେ ପାଲା ଚାଲିଛି, ଗାହଣ ଜଣକ ପାଲା ଗାଇବାରେ ବ୍ୟସ୍ତ ଅଛନ୍ତି । ହେଲେ ମଞ୍ଚ ସାରା କଦଳୀ କାନ୍ଧିରେ ଭର୍ତ୍ତି ହୋଇ ରହିଛି । କିଛି ଏମିତି ଦୃଶ୍ୟ ଦେଖିବା ପରେ କିଛି ବୁଝିପାରିବେନି ଆପଣ । ପାଲା ମଣ୍ଡପରେ ଏତେ ମାତ୍ରାରେ କଦଳୀ କାନ୍ଧି କାହିଁକି ରହିଛି? ହେଲେ ପୂରା ସତ ଜାଣିବା ପରେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ ।

ପାଲା ମଣ୍ଡପରେ ଓହଳିଥିବା ଶହଶହ ପାଚିଲା କଦଳୀ କାନ୍ଧି ଭକ୍ତି ଓ ମାନସିକରେ ଭଗବାନ ସତ୍ୟନାରାୟଣଙ୍କ ଉଦ୍ଦେଶ୍ୟରେ ସମର୍ପିତ ଅଛି । ଓହଳାଯାଇଥିବା ସବୁ କଦଳୀ ଠାକୁରଙ୍କ ଉଦ୍ଦେଶ୍ୟରେ ହିଁ ସମର୍ପିତ ହୋଇଛି । କ଼ଟକ ବାରଙ୍ଗ ହରିଅନ୍ତା ପଂଚାୟତ ଖନ୍ଦୋଳ ଗାଁରେ ଏମିତି ନିଆରା ପାଲା ଅନୁଷ୍ଠାନ ରହିଛି । ଶହେ ବର୍ଷ ଧରି ଚାଲିଥିବା ଏହି ପରମ୍ପରାକୁ ଆଜି ବି ବଂଚାଇ ରଖିଛନ୍ତି ଖନ୍ଦୋଳ ଗାଁ ଲୋକେ ।

ହଜାର ହଜାର ଶ୍ରଦ୍ଧାଳୁ ପାଲାକୁ ଉପଭୋଗ କରିବା ସହିତ ଶହଶହ କାନ୍ଧି ପାଚିଲା କଦଳୀ ମାନସିକ କରି ଏହି ପାଲାକୁ ଦାନ କରନ୍ତି ଭକ୍ତ । ଯାହା କି ପାଲାର ବିଶେଷ ଆକର୍ଷଣ ପାଲଟିଥାଏ । ଖାଲି ପାଲା ମଣ୍ଡପ ପାଖରେ ନୁହେଁ ବରଂ ପୂରା ମଣ୍ଡପର ଚାରିପାଖରେ କଦଳୀ କାନ୍ଧି ଟଙ୍ଗା ହେବା ସହିତ ପେଣ୍ଡାଲ ଉପରେ ବି ଗଦା ହୋଇ ରହେ କଦଳୀ । ପ୍ରଭୁ ସତ୍ୟ ନାରାୟଣ ଭକ୍ତଙ୍କ ମନବାଞ୍ଛା ପୂରଣ କରୁଥିବାରୁ ଶହଶହ କାନ୍ଧି କଦଳୀ ଏଠାରେ ଏମିତି ସମର୍ପଣ କରାଯାଏ ବୋଲି ଭକ୍ତ କହିଛନ୍ତି ।

 

ପୂର୍ବରୁ କେବଳ ପାଲା ଆୟୋଜନ ହେଉଥିବା ବେଳେ ଏବେ ଧୀରେ ଧୀରେ ଦୋକାନ ବଜାର ପଡ଼ିଲାଣି । ଯାହା ଅଧିକ ଲୋକଙ୍କ ସମାଗମର ମୁଖ୍ୟ କାରଣ ସାଜିଛି । ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଅନୁଷ୍ଠାନର ନିଜସ୍ୱ ଆୟ କିଛି ନଥିଲା ବେଳେ ଭକ୍ତଙ୍କ ଦାନରେ ପାଲାର ଆୟୋଜନ ହେଉଛି । ୫ ଦିନ ପାଲା ସରିବା ପରେ କଦଳୀକୁ ସିରିନି କରାଯାଇ ଲୋକଙ୍କ ମଧ୍ୟରେ ବଂଟାଯାଏ ।

ତେବେ ଶହେ ବର୍ଷ ଧରି ଚାଲିଥିବା ଏଇ ପୁରୁଣା ପାଲାକୁ ନେଇ ସ୍ଥାନୀୟ ଅଂଚଳରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଛି । ଆଉ ପୁଣି ଥରେ ଆର ବର୍ଷକୁ ଅପେକ୍ଷା କରି ରହିଛନ୍ତି ଶ୍ରଦ୍ଧାଳୁ ।

(ନିଆଳୀରୁ ବିନୟ ମିଶ୍ରଙ୍କ ରିପୋର୍ଟ)