• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ଆସନ୍ତାକାଲି ଅଗ୍ରପୂଜ୍ୟ ଶ୍ରୀଗଣେଶଙ୍କ ପୂଜା । ବଡ ବଡ ତୋରଣ ସାଙ୍ଗକୁ ରଙ୍ଗବେରଙ୍ଗର ସାଜସଜ୍ଜାରେ ଝଟକୁଛି ପୂଜା ପେଣ୍ଡାଲ । ପୂଜା ଆକର୍ଷଣୀୟ କରିବାକୁ ଜୋରସୋରରେ ଲାଗିପଡିଛନ୍ତି ବିଭିନ୍ନ ପୂଜା କମିଟି । ସେପଟେ ଗଣପର୍ବ ନୂଆଖାଇ ପାଇଁ ଉତ୍ସବମୁଖର ପଶ୍ଟିମ ଓଡିଶା । କୋଭିଡ କଟକଣା ହଟିଥିବାରୁ ଉଭୟ ଗଣେଶ ପୂଜା ଓ ନୂଆଖାଇକୁ ଧୁମଧାମରେ ପାଳନ କରିବାକୁ ଚାଲିଛି ଜୋରଦାର ପ୍ରସ୍ତୁତି ।

ଚାରିଆଡେ ଅଗ୍ରପୂଜ୍ୟଙ୍କ ଆବାହନ ଧରାପୃଷ୍ଠରେ ପୂଜା ପାଇବେ ବିଘ୍ନ ବିନାଶକ, ଲମ୍ବୋଦର, ଗଜାନନ । ଦୁଇ ବର୍ଷ ପରେ ଗଣେଶ ପୂଜା ପାଇଁ ଚଳଚଂଚଳ ଗାଁରୁ ସହର । କେଉଁଠି ବିରାଟ ପେଣ୍ଡାଲ ତ ଆଉ କେଉଁଠି ଗଜାନନଙ୍କ ବିଶାଳ ମୂର୍ତ୍ତି । ରଙ୍ଗ ବେରଙ୍ଗର ଆଲୋକ ଓ ଭଳିକି ଭଳି ସାଜ ସଜ୍ଜାରେ ଚକଚକ୍ କରୁଛି ପୂଜା ପେଣ୍ଡାଲ ।

କଟକଣା ହଟିଥିବାରୁ ଏଥର ଦୁଇ ଗୁଣା ଉତ୍ସାହ । ଯାଜପୁରରେ ଚଳିତ ଥର ୪୨ ଟି ମଣ୍ଡପରେ ପୂଜା ପାଇବେ ଶ୍ରୀଗଣେଶ । ପ୍ରତି ମଣ୍ଡପରେ ପ୍ରତିଯୋଗୀତାମୂଳକ ଭାବେ ଚାଲିଛି ସାଜସଜ୍ଜା । ସହରର ବିଭିନ୍ନ ମଣ୍ଡପରେ ୫ରୁ ୭ଦିନ ଯାଏଁ ପୂଜା ହେବ । ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ଧୂମଧାମରେ ଭସାଣ ଉତ୍ସବ ପାଇଁ ଆୟୋଜନ କରିଛନ୍ତି ପୂଜା ମଣ୍ଡପ ।

ଗଣପର୍ବ ଗଣେଶ ପୂଜା ପାଇଁ ଉତ୍ସବ ମୁଖର ହୋଇଉଠିଛି ଶିଳ୍ପ ନଗରୀ ତାଳଚେର । ସହରରେ ଛାଇ ଯାଇଛି ବଡ ବଡ ପେଣ୍ଡାଲ ସାଙ୍ଗକୁ ଗଜାନନଙ୍କ ବିଶାଳ ମୂର୍ତ୍ତି । ସେପଟେ ଗଣେଶ ମେଳା ପାଇଁ ଦେବଗଡରେ ହୋଇଛି ବ୍ୟାପକ ବ୍ୟବସ୍ଥା । ଆଜି ରାତିରେ ଅଧିବାସ ପରେ ୩୧ରୁ ୮ ଯାଏଁ ପୂଜା ଏବଂ ୯ ତାରିଖରେ ବିସର୍ଜନ ହେବ । ଏଥର ପୂଜା ପାଇଁ ୩୦ ଲକ୍ଷ ବଜେଟ୍ ରଖାଯାଇଛି । ପ୍ରତ୍ୟୋକ ଦିନ ସଂଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ହେବ । ମୀନା ବଜାର ଏବଂ ଅପେରାର ମଜା ମଧ୍ୟ ଉଠାଇବେ ଦର୍ଶକ ।

ଏପଟେ ପଶ୍ଚିମ ଓଡିଶାରେ ଗଣପର୍ବ ନୂଆଖାଇର ମହକ । ନୂଆଖାଇ ଭେଟଘାଟ ପାଇଁ ଅଂଟା ଭିଡି ସାରିଲେଣି କଳାକାର । ଡାଲଖାଇ, ରସରକେଲି, ମାଏଲାଜଡ଼ ଗୀତ ସହ ନୃତ୍ୟର ଅଭ୍ୟାସ ଶେଷ ପର୍ଯ୍ୟାୟରେ ପହଁଚିଛି । ହୁମୋବଉଳି, ଚକାଭଉରୀ ଛିଲୋଲାଇ ଭଳି ପାରମ୍ପରିକ ଗୀତ ଓ ନାଚ ପରିବେଷଣ କରିବେ ମା ସମଲେଶ୍ୱରୀ ନୁପୁର କଳାପରିଷଦର କଳାକାର । ଏଥିପାଇଁ ମାସେ ହେଲା ଲାଗିପଡିଛନ୍ତି ରିହର୍ସଲରେ ।

ସମ୍ବଲପୁରରେ ବି ଏଥର ଧୁମଧାମରେ ପାଳନ ହେବ ନୂଆଖାଇ ପର୍ବ । ଢୋଲ ନିଶାନର ତାଳେ ତାଳେ ପାଦରେ ପାଦ ମିଶାଇ ଡାଲଖାଇ ନୃତ୍ୟ ଅଭ୍ୟାସ କରୁଛନ୍ତି କଳାକାର । ଏଥର କିଛି ନୂଆ କରିବାକୁ ଉଦ୍ୟମ କରିଛନ୍ତି ଖ୍ୟାତନାମା କଣ୍ଠଶିଳ୍ପୀ ପଦ୍ମିନୀ ଦୋରା ଏବଂ ନୃତ୍ୟଗୁରୁ ମୋହିତ କୁମାର ସ୍ୱାଇଁ । ନୂଆଖାଇ ପରେ ଜମିବ ଜୁହାର ଭେଟ୍‌ର ଆସର । ଏଥିପାଇଁ ଗୀତ ଓ ନାଚର ଆସର ଜମାଇବାକୁ ପ୍ରସ୍ତୁତ ସୋନପୁର ବିନିକାର ବିଭିନ୍ନ ସାଂସ୍କୃତିକ ଅନୁଷ୍ଠାନର କଳାକାର । ପଂଚବାଦ୍ୟରେ ଦୁଲୁକୁଛି ଅଭ୍ୟାସ ମଞ୍ଚ । ମା ସମଲେଶ୍ୱରୀଙ୍କ ବନ୍ଦନା ସାଙ୍ଗକୁ ନୂଆ ନୂଆ ଗୀତରେ ଝୁମାଇବାକୁ ଚାଲିଛି ଜୋରଦାର ରିହର୍ସଲ ।