ଭାଇ ଓ ଭଉଣୀଙ୍କ ଅବିସ୍ମରଣୀୟ ପ୍ରେମ ରକ୍ଷାବନ୍ଧନ। ଏହା ସୁଖ ଏବଂ ସମୃଦ୍ଧିର ଏକ ଦୃଢ ସଙ୍କେତ। ଭାଇ ଓ ଭଉଣୀମାନଙ୍କ ମଧ୍ୟରେ ଏକ ପବିତ୍ର ପ୍ରେମ, ସମ୍ମାନ ଏବଂ ପ୍ରେମର ପ୍ରତୀକ। ଭାଇମାନେ ତାଙ୍କ ଭଉଣୀ ହାତରୁ ରାକ୍ଷୀ ବାନ୍ଧି ସାରା ଜୀବନ ରକ୍ଷା କରିବାକୁ ପ୍ରତିଜ୍ଞା କରନ୍ତି ଏବଂ ଉପହାର ସହିତ ପାଳନ କରନ୍ତି।
ଏହି ପରମ୍ପରା ବହୁ ପ୍ରାଚୀନ। ଯଦିଓ ପୁରାଣରେ ଏହା କେବେ ଆରମ୍ଭ ହେଲା ତାହାର କିଛି ନିର୍ଦ୍ଦିଷ୍ଟ ବର୍ଣ୍ଣନା ନାହିଁ କିନ୍ତୁ କେତେକ ପୁରାଣରେ ଏହା ଉଲ୍ଲେଖ କରାଯାଇଛି ଯେ ଏହି ପରମ୍ପରା ସ୍ୱର୍ଗର ଦେବତାମାନଙ୍କ ଦ୍ୱାରା ଆରମ୍ଭ ହୋଇଥିଲା। ଆସନ୍ତୁ ଏ ସମ୍ବନ୍ଧିତ କିଛି ପୌରାଣିକ କାହାଣୀ ଜାଣିନେବା।
ରାଜା ବଳୀ - ମାତା ଲକ୍ଷ୍ମୀ:
ରାଜା ବଳୀ ଖୁବ ଦାନୀ ଥିଲେ। ବାବନ ରୂପ ନେଇ ଆସିଥିବା ଭଗବାନ ବିଷ୍ଣୁଙ୍କୁ ତିନି ପାଦ ଭୂମି ଦେବାକୁ ବଚ୍ଚନ ଦେଇଥିଲେ। ଭଗବାନ ଦୁଇ ପାଦରେ ସ୍ୱର୍ଗ ଓ ମର୍ତ୍ତ୍ୟ ନେଇଗଲେ। ବଳୀଙ୍କ ପାଖରେ ଦେବାକୁ ଆଉ କିଛି ନଥିବାରୁ ସେ ଭଗବାନ ବିଷ୍ଣୁଙ୍କୁ ତାଙ୍କ ସହ ପାତାଳପୁର ଯିବାକୁ ଅନୁରୋଧ କଲେ। ଭଗବାନ ବୈକୁଣ୍ଠ ଛାଡି ପାତାଳଙ୍କୁ ଚାଲିଗଲେ।
Also Read
ଅଧିକ ପଢ଼ନ୍ତୁ: ରାକ୍ଷୀ ପୂର୍ଣ୍ଣିମାକୁ କାହିଁକି କୁହାଯାଏ ଗହ୍ମା ପୂର୍ଣ୍ଣିମା
ଅନ୍ୟ ପଟେ ଏହା ଦେଖି ଦେବୀ ଲକ୍ଷ୍ମୀଙ୍କ ମଧ୍ୟରେ ଭାଳେଣି ପଡିଲା। ତା’ପରେ ସେ ଲୀଲା ସୃଷ୍ଟି କରି ଜଣେ ଗରିବ ମହିଳା ହୋଇ ରାଜା ବଳୀଙ୍କ ପାଖକୁ ଗଲେ ଓ ତାଙ୍କ ହାତରେ ରକ୍ଷା ସୂତ୍ର ବାନ୍ଧିଦେଲେ। ଏହାପରେ ରାଜ ବଳୀ କହିଲେ ମୋ ପାଖେ ତୁମକୁ ଦେବାକୁ କିଛି ନାହିଁ। ଏହା ପରେ ଦେବୀ ଲକ୍ଷ୍ମୀ ନିଜ ରୂପକୁ ଆସି କହିଲେ ତୁମ ପାଖରେ ତ ସାକ୍ଷାତ ଭଗବାନ ଅଛନ୍ତି, ମୁଁ କେବଳ ତାଙ୍କୁ ଚାହେଁ, ମୁଁ ତାଙ୍କୁ ନେବାକୁ ଆସିଛି।
ଏହା ପରେ ରାଜା ବଳୀ ଭଗବାନ ବିଷ୍ଣୁଙ୍କୁ ମାତା ଲକ୍ଷ୍ମୀଙ୍କ ସହ ଯିବାକୁ ଅନୁମତି ଦେଲେ। ଯିବାବେଳେ ଭଗବାନ ବିଷ୍ଣୁ ବଳୀଙ୍କୁ ଏକ ବରଦାନ ପ୍ରଦାନ କଲେ ଯେ ସେ ପ୍ରତିବର୍ଷ ଚାରିମାସ ପାତାଳରେ ରହିବେ। ଏହି ଚାରିମାସ ଚତୁର୍ମାସ ଭାବରେ ଜଣାଯାଏ।
ଦ୍ରୌପଦୀ – କୃଷ୍ଣ:
ମହାଭାରତରେ ରାକ୍ଷୀ ସହିତ ଜଡିତ ଏକ ସୁନ୍ଦର କାହାଣୀ ରହିଛି। ଯେତେବେଳେ ଯୁଧିଷ୍ଠିର ଇନ୍ଦ୍ରପ୍ରସ୍ଥରେ ରାଜସୁୟ ଯଜ୍ଞ କରୁଥିଲେ, ସେତେବେଳେ ଶିଶୁପାଳ ସଭାରେ ଉପସ୍ଥିତ ଥିଲେ। ଯେତେବେଳେ ଶିଶୁପାଳ ଭଗବାନ କୃଷ୍ଣଙ୍କୁ ଅପମାନିତ କଲେ, ସେତେବେଳେ ଶ୍ରୀକୃଷ୍ଣ ତାଙ୍କ ସୁଦର୍ଶନ ଚକ୍ର ପଠାଇ ତାଙ୍କୁ ହତ୍ୟା କରିଥିଲେ। ସୁଦର୍ଶନ ଫେରୁଥିବା ବେଳେ କୃଷ୍ଣଙ୍କ କାଣୀ ଆଙ୍ଗୁଠିରେ ବାଜି ସାମାନ୍ୟ କଟିଗଲା ଏବଂ ରକ୍ତ ପ୍ରବାହିତ ହେବାକୁ ଲାଗିଲା।
ଏହା ଦେଖି ଦ୍ରୌପଦୀ ସହିପାରିଲେ ନାହିଁ। ସେ ଶାଢିର କାନିକୁ ଚିରି କୃଷ୍ଣଙ୍କ ଆଙ୍ଗୁଠିରେ ଗୁଡ଼ାଇ ଦେଲେ। ଏଥିରେ ଖୁସି ହୋଇ ଶ୍ରୀକୃଷ୍ଣ ଦ୍ରୌପଦୀଙ୍କୁ ପ୍ରତିଜ୍ଞା କରିଥିଲେ ଯେ ସେ ପ୍ରତ୍ୟେକ ସୂତ୍ରର ଋଣ ପରିଶୋଧ କରିବେ। ଏହା ପରେ, ଯେତେବେଳେ କୌରବ ଦ୍ରୌପଦୀଙ୍କ ବସ୍ତ୍ରହରଣ କରିବାକୁ ଚେଷ୍ଟା କରୁଥିଲେ ସେତେବେଳେ ଶ୍ରୀକୃଷ୍ଣ ବସ୍ତ୍ର ଦାନ କରି ତାଙ୍କ ସମ୍ମାନକୁ ରକ୍ଷା କରିଥିଲେ। କୁହାଯାଏ ଯେ ଯେଉଁ ଦିନ ଦ୍ରୌପଦୀ ଶ୍ରୀକୃଷ୍ଣଙ୍କ ହାତରେ ଶାଢିର କାନିକୁ ବାନ୍ଧିଥିଲେ ସେଦିନ ଶ୍ରାବଣ ପୂର୍ଣ୍ଣିମା ଥିଲା।
ଯୁଧିଷ୍ଠିର – ସୈନିକ:
ମହାଭାରତ ଯୁଦ୍ଧରେ ପାଣ୍ଡବଙ୍କୁ ଜିତାଇବାରେ ରକ୍ଷା ସୂତ୍ରଙ୍କର ପ୍ରମୁଖ ଅବଦାନ ଥିଲା। ମହାଭାରତ ଯୁଦ୍ଧ ସମୟରେ ଯୁଧିଷ୍ଠିର କୃଷ୍ଣଙ୍କୁ ପଚାରିଲେ “ହେ କାହ୍ନା! ମୁଁ କିପରି ସମସ୍ତ ସଂକଟରୁ ରକ୍ଷା ପାଇପାରିବି? ମୋତେ କିଛି ଉପାୟ କୁହ। ତା’ପରେ ଶ୍ରୀକୃଷ୍ଣ ଯୁଧିଷ୍ଠିରଙ୍କୁ ତାଙ୍କର ସମସ୍ତ ସୈନିକଙ୍କ ହାତରେ ରକ୍ଷାସୂତ୍ର ବାନ୍ଧିବାକୁ କହିଥିଲେ। ଯାହା ଫଳରେ ସେମାନେ ନିଷ୍ଠାପର ସହ ଯୁଦ୍ଧ ଲଢି ତାଙ୍କର ରକ୍ଷା କରିବେ ଏବଂ ଏଥିରେ ତାଙ୍କର ବିଜୟ ହେବ।
ଯୁଧିଷ୍ଠିର ମଧ୍ୟ ତାହା କଲେ ଏବଂ ବିଜୟୀ ହେଲେ। ଏହି ଘଟଣା ଶ୍ରାବଣ ମାସର ପୂର୍ଣ୍ଣିମା ତିଥିରେ ମଧ୍ୟ ହୋଇଥିବା କୁହାଯାଏ। ସେବେଠାରୁ ଏହି ଦିନରେ ପବିତ୍ର ରକ୍ଷାସୂତ୍ର ବନ୍ଧାଯାଏ। ସେଥିପାଇଁ ଏହି ଦିନ ସୈନିକଙ୍କ ହାତରେ ରାକ୍ଷୀ ବନ୍ଧାଯାଏ।
ସଚୀ – ଇନ୍ଦ୍ରଦେବ:
ଭବିଷ୍ୟ ପୁରାଣରେ ଏକ କାହାଣୀ ଅଛି ଯେ, ଭୃତାସୁର ସହିତ ଯୁଦ୍ଧରେ ଦେବରାଜ ଇନ୍ଦ୍ରଙ୍କୁ ସୁରକ୍ଷା ଦେବା ପାଇଁ ଇନ୍ଦ୍ରାଣୀ ସଚୀ ତାଙ୍କ ତପୋବଳରେ ଏକ ରକ୍ଷାସୂତ୍ର ପ୍ରସ୍ତୁତ କରି ଶ୍ରାବଣ ପୂର୍ଣ୍ଣିମା ଦିନ ଇନ୍ଦ୍ରଙ୍କ ହାତରେ ବାନ୍ଧିଥିଲେ। ଏହି ରକ୍ଷାସୂତ୍ର ଦେବରାଜଙ୍କୁ ସୁରକ୍ଷା ଦେଇଥିଲା ଏବଂ ସେ ଯୁଦ୍ଧରେ ବିଜୟୀ ହୋଇଥିଲେ। ଏହି ଘଟଣା ସତ୍ୟଯୁଗରେ ଘଟିଥିଲା।
ଅଧିକ ପଢ଼ନ୍ତୁ: ରାଶି ଅନୁସାରେ ଭାଇ ହାତରେ ବାନ୍ଧନ୍ତୁ ରାକ୍ଷୀ; ମିଳିବ ଶୁଭ ଫଳ
ରାକ୍ଷୀର ଅନ୍ୟ ଏକ କାହାଣୀ:
ଆଲେକ୍ସଜାଣ୍ଡାର୍ ସମଗ୍ର ବିଶ୍ୱକୁ ଜୟ କରିବାକୁ ଯାଇ ଭାରତରେ ପହଞ୍ଚିଲେ। ଏଠାରେ ସେ ଭାରତୀୟ ରାଜା ପୁରୁଙ୍କୁ ଭେଟିଥିଲେ। ରାଜା ପୁରୁ ଜଣେ ଅତି ସାହସୀ ଏବଂ ଶକ୍ତିଶାଳୀ ରାଜା ଥିଲେ। ସେ ପ୍ରଥମ ଯୁଦ୍ଧରେ ଆଲେକ୍ସଜାଣ୍ଡାରଙ୍କୁ ପରାସ୍ତ କରିଥିଲେ। ଏହି ସମୟରେ ଆଲେକ୍ସଜାଣ୍ଡାରଙ୍କ ପତ୍ନୀ ଭାରତୀୟ ପରମ୍ପରା ରକ୍ଷା ବନ୍ଧନ ବିଷୟରେ ଜାଣିବାକୁ ପାଇଲେ। ତା’ପରେ ସେ ସ୍ୱାମୀ ଆଲେକ୍ସଜାଣ୍ଡାର୍ଙ୍କ ଜୀବନ ରକ୍ଷା କରିବାକୁ ପୁରୁଙ୍କ ପାଖକୁ ରକ୍ଷାସୂତ୍ର ପଠାଇଥିଲେ।
ଏହା ଦେଖି ରାଜା ପୁରୁ ସଂକଟରେ ପଡିଗଲେ। ଯେତେବେଳେ ସେ ଦ୍ୱିତୀୟ ଥର ଯୁଦ୍ଧରେ ଆଲେକ୍ସଜାଣ୍ଡାରଙ୍କୁ ମାରିବା ପାଇଁ ହାତ ଉଠାଇଥିଲେ ରକ୍ଷାସୂତ୍ରକୁ ଦେଖି ଅଟକି ଯାଇଥିଲେ। ଏହାର ସୁଯୋଗ ନେଇ ଆଲେକ୍ସଜାଣ୍ଡାର ତାଙ୍କୁ ବନ୍ଦୀ କରିନେଲେ। ଅନ୍ୟପକ୍ଷରେ, ବନ୍ଦୀ ପୁରୁଙ୍କ ହାତରେ ତାଙ୍କ ପତ୍ନୀଙ୍କ ରକ୍ଷାସୂତ୍ର ଦେଖି ଆଲେକ୍ସଜାଣ୍ଡାର୍ ମଧ୍ୟ ତାଙ୍କ ବଡ଼ ହୃଦୟର ପରିଚୟ ଦେଇଥିଲେ ଏବଂ ପୁରୁଙ୍କୁ ରାଜ୍ୟ ଫେରେଇ ଦେଇଥିଲେ।