• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ସାରା ଦେଶ ପାଳୁଛି ରଙ୍ଗର ପର୍ବ । ପୂର୍ବରୁ ପଶ୍ଚିମ, ଉତ୍ତରରୁ ଦକ୍ଷିଣ ପରସ୍ପରକୁ ରଙ୍ଗ ଅବିର ଲଗାଇ ଖୁସି ମନାଇଛନ୍ତି ସମସ୍ତେ । ତେବେ ଉତ୍ତର ଭାରତର ବିଭିନ୍ନ ସହରରେ ହୋଲି ପାଇଁ ବିରାଟ ଆୟୋଜନ ହୋଇଥିବା ଦେଖିବାକୁ ମିଳିଛି । ଆଉ କିଛି ସ୍ଥାନରେ ଲୋକମାନେ ଫୁଲ ଓ ଟମାଟୋ ଆଦିରେ ହୋଲି ଖେଳୁଛନ୍ତି ।

ଦିଲ୍ଲୀରୁ ମୁମ୍ବାଇ, ଗୁଜରାଟରୁ କୋଲକାତା, ଆଉ ତା ସହ ମଥୁରା ବୃନ୍ଦାବନ... ଗଗନ ପବନ, ଖାଲି ରଙ୍ଗ ଆଉ ରଙ୍ଗ । ନାଚଗୀତ ସହ ଫୁଲ୍ ଜୋଶରେ ହୋଲି ଖେଳ । ରଙ୍ଗର ପର୍ବ ପାଳିବାକୁ ସାରା ଦେଶରେ ଉତ୍ସାହ । ଉତ୍ତର ପ୍ରଦେଶ ବୃନ୍ଦାବନର ବାଙ୍କେବିହାରୀ ମନ୍ଦିର ପରିସରରେ ଏକାଠି ହୋଇଛନ୍ତି ହଜାର ହଜାର ଶ୍ରଦ୍ଧାଳୁ । ପରସ୍ପରକୁ ରଙ୍ଗ ଲଗାଇବା ସହ ନିଜ ମନକୁ ବି ହଜାଇଦେଇଛନ୍ତି । ଏହି ରଙ୍ଗମୟ ପରିବେଶରେ ଖାଲି ବାଙ୍କେବିହାରୀ ମନ୍ଦିର କାହିଁକି, ମଥୁରାର ବିଭିନ୍ନ ଅଞ୍ଚଳରେ ପାରଂପରିକ ଢଙ୍ଗରେ ହୋଲି ଖେଳିଛନ୍ତି ଲୋକେ ।

ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶହଶହ ଲୋକ ଏକାଠି ହୋଇ ଧୁମଧାମରେ ହୋଲି ପାଳିଥିବା ବେଳେ ପ୍ରୟାଗରାଜରେ ଦେଖିବାକୁ ମିଳିଛି ନିଆରା ଦୃଶ୍ୟ । ସେଠାରେ ଡିଜେ ଗୀତର ତାଳେତାଳେ ମସଗୁଲ୍ ସଭିଏଁ । ରଙ୍ଗରେ ରଙ୍ଗେଇ ହେବା ସହ ସାର୍ଟ ଖୋଲି ନାଚଗୀତରେ ମାତିଛନ୍ତି । ଏହାକୁ କୁହାଯାଉଛି କପଡ଼ା ଫାଡ଼୍ ହୋଲି । ଲକ୍ଷ୍ନୌ, ଦିଲ୍ଲୀ, ମୁମ୍ବାଇ, ଗୌହାଟୀ, ବିଜୟଓ୍ୱାଡ଼ା ଓ କୋଲକାତାରେ ବି ଜମିଛି ହୋଲି ସେଲିବ୍ରେସନ । ଗୁଜରାଟ ଭଦୋଦରାରେ ଫୁଲରେ ହୋଲି ଖେଳିଛନ୍ତି ଶ୍ରଦ୍ଧାଳୁ । ଲୋକେ ପରସ୍ପରକୁ ପ୍ରାକୃତିକ ରଙ୍ଗ ଲଗାଇ ଜଣାଇଛନ୍ତି । ହୋଲି ଶୁଭେଚ୍ଛା ପିଲାଠୁ ବୁଢ଼ା ସଭିଁ ହୋଲିର ଭରପୁର ମଜା ନେଇଛନ୍ତି ।

ଖାଲି ସାଧାରଣ ଜନତା କାହିଁକି, ରଙ୍ଗର ପର୍ବରେ ମତୁଆଲା ହେବାର ସୁଯୋଗ ହାତଛଡ଼ା କରୁନାହାନ୍ତି ଦେଶର ବୀର ଯବାନ । ଜାମ୍ମୁ ଓ କାଶ୍ମୀରର ବାରମୁଲ୍ଲାର ବରଫାବୃତ ସଫେଦ୍ ପରିବେଶରେ ରଙ୍ଗର ଛିଟା ଲଗାଇଛନ୍ତି ଦେଶର ଜାଗ୍ରତ ପ୍ରହରୀମାନେ । ଏଠାରେ ଯବାନମାନେ ସ୍ଥାନୀୟ ଲୋକଙ୍କ ସହ ଏକାଠି ହୋଇ ହୋଲି ପାଳନ କରିଛନ୍ତି ।

ଶ୍ରୀନଗରରେ ସିଆରପିଏଫ୍ ଯବାନ ଓ ପଞ୍ଜାବ ଅମୃତସର ଓ ଜୈସେଲମେରରେ ବିଏସ୍ଏଫ୍ ଯବାନ ବି ଭିଜିଛନ୍ତି ହୋଲିରଙ୍ଗରେ । ନିଜ ପରିବାରଠୁ ଦୂରରେ ଥାଇ ମଧ୍ୟ ସାଥି ଯବାନ ଓ ସହଯୋଗୀମାନେ ଏକାଠି ହୋଇ ସେଲିବ୍ରେସନ କରିଛନ୍ତି । ନାଚଗୀତ ସହ ବାଜା ବଜାଇ ଖୁସିରେ ପରସ୍ପରକୁ ରଙ୍ଗ ଲଗାଇଛନ୍ତି, ମିଠା ଖୁଆଇଛନ୍ତି ।

ରାଜସ୍ଥାନ ଯୋଧପୁରରେ ସ୍ଥାନୀୟ ବାସିନ୍ଦାଙ୍କ ସହ ବିଦେଶୀ ପର୍ଯ୍ୟଟକ ମଧ୍ୟ ରଙ୍ଗ ଖେଳିଛନ୍ତି । ସେହିପରି ହାଇଦ୍ରାବାଦ ସହରର ଟମାଟୋ ଚକଟି ତାକୁ ପରସ୍ପରକୁ ଲଗାଉଛନ୍ତି ଯୁବପିଢ଼ୀ । ଦୁଇ ବର୍ଷ ପରେ କରୋନା କଟକଣା ଟିକେ କୋହଳ ହେବାରୁ ହୋଲି ଖେଳରେ ସଭିଁଏ ମାତି ଯାଇଛନ୍ତି ।

ଅନ୍ୟପଟେ ହୋଲି ରଙ୍ଗରେ ରଙ୍ଗେଇ ହୋଇଛନ୍ତି ରାଜନେତା । ନୂଆଦିଲ୍ଲୀ ବାସଭବନରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, ଦିଲ୍ଲୀ ଶିକ୍ଷା ମନ୍ତ୍ରୀ ମନିଷ ସିସୋଦିଆଙ୍କ ସମେତ ଅନ୍ୟ ରାଜନେତାମାନେ ହୋଲି ପାଳିଛନ୍ତି । କେନ୍ଦ୍ରମନ୍ତ୍ରୀ ମୁକ୍ତାର ଆବାସ ନକଭି, ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ମଧ୍ୟ ରଙ୍ଗ ଖେଳରେ ମସଗୁଲ ହୋଇଥିବା ଦେଖିବାକୁ ମିଳିଛି ।

ହୋଲି ଅବସରରେ ଟୁଇଟ୍ କରି ଦେଶବାସୀଙ୍କୁ ଶୁଭକାମନା ଜଣାଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସ୍ନେହ, ପ୍ରେମ ଓ ଭାଇଚାରାର ପ୍ରତୀକ ଏହି ରଙ୍ଗର ପର୍ବ ହୋଲି । ସମସ୍ତଙ୍କ ଜୀବନରେ ଖୁସି ଓ ନୂଆ ରଙ୍ଗ ଆଣିଦେଉ ବୋଲି ଟ୍ୱିଟ୍ କରିଛନ୍ତି ପ୍ରଧାନମନ୍ତ୍ରୀ ।

OTV is now on Whatsapp

Join and get latest news update delivered to you via whatsapp

Join Now