• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ଆସନ୍ତାକାଲି କାର୍ତ୍ତିକ ପୂର୍ଣ୍ଣିମାରେ ଆରମ୍ଭ ହେଉଛି ଐତିହାସିକ କଟକ ବାଲିଯାତ୍ରା । ଏଥିପାଇଁ ସରିଲାଣି ସମସ୍ତ ପ୍ରସ୍ତୁତି । ଏଥର ସିଏମସି ପକ୍ଷରୁ କ୍ଲିନ୍ ବାଲିଯାତ୍ରା, ଗ୍ରୀନ ବାଲିଯାତ୍ରା ସ୍ଲୋଗାନ ଦିଆଯାଇଛି । ସ୍ୱତନ୍ତ୍ର ଷ୍ଟଲ ତିଆରି ହୋଇଛି । ଯେଉଁଠି ପ୍ଲାଷ୍ଟିକ ବୋତଲ ଫେରାଇଲେ ଟଙ୍କା ଫେରାଇବା ବ୍ୟବସ୍ଥା କରାଯାଇଛି । ତେବେ ବାଲିଯାତ୍ରାରେ ଚଢା ପାର୍କିଂ ଦରକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ଏପଟେ ଦୁଇ ବର୍ଷ ପରେ ଆକର୍ଷଣୀୟ ଯାତ୍ରା ପାଇଁ ଅଣ୍ଟା ଭିଡ଼ିଛି ଭୁବନେଶ୍ୱର ବାଲିଯାତ୍ରା କମିଟି ।

ଚଳଚଂଚଳ ହେଲାଣି ବାଲିଯାତ୍ରା ପଡିଆ । ଜମିଲାଣି ବେପାରୀଙ୍କ ଗହଳି ଚହଳି । ଏଥର ବାଲିଯାତ୍ରାକୁ ଆକର୍ଷଣୀୟ କରିବାକୁ ହୋଇଛି ବ୍ୟାପକ ଆୟୋଜନ । ପ୍ଲାଷ୍ଟିକ ମୁକ୍ତ ଯାତ୍ରା ପାଇଁ ହୋଇଛି ବନ୍ଦୋବସ୍ତ । ବାଲିଯାତ୍ରା ପଡିଆ ଭିତରେ ପାଣି ବୋତଲ ଗୋଟାକୁ ୨୫ ଟଙ୍କାରେ ବିକ୍ରି କରାଯିବ । କ୍ୟୁ ଆର କୋଡ୍ ଥିବା ଏହି ବୋତଲକୁ ଫେରାଇଲେ ୫ଟଙ୍କା ଫେରସ୍ତ କରାଯିବ । ଏଥିପାଇଁ ତିଆରି ହୋଇଛି ୨୪ ଟି ସ୍ୱତନ୍ତ୍ର ଷ୍ଟଲ । କ୍ଲିିନ୍ ବାଲିଯାତ୍ରା, ଗ୍ରୀନ ବାଲିଯାତ୍ରାର ଦିଆଯାଇଛି ସ୍ଲୋଗାନ ।

କିଣାବିକା ସହ ସାଂସ୍କୃତିକ କାର୍ଯ୍ୟକ୍ରମର ବ୍ୟବସ୍ଥା ହୋଇଛି । ଲକ୍ଷାଧିକ ଲୋକଙ୍କ ଭିଡ଼ ଦୃଷ୍ଟିରୁ ଟ୍ରାଫିକ ବ୍ୟବସ୍ଥା ଉପରେ ସ୍ୱତନ୍ତ୍ର ଧ୍ୟାନ ଦେଇଛି କମିଶନରେଟ୍ ପୋଲିସ । ନୂଆ କରି ଖୋଲାଯାଇଥିବା ପୋଲିସ ସପୋର୍ଟ ପୋଷ୍ଟରେ ଅନ୍ ସ୍ପଟ୍ ଏତଲା ଦେବାର ବ୍ୟବସ୍ଥା କରାଯାଇଛି । ତଳ ଓ ଉପର ବାଲିଯାତ୍ରା ପଡିଆ ସିସିଟିଭି ବଳୟରେ ରହିଛି । ଭିଡ ନିୟନ୍ତ୍ରଣ ପାଇଁ ରହିବେ ୫୦ ପ୍ଲାଟୁନ୍ ଫୋର୍ସ ।

ତେବେ ଯାତ୍ରା ପୂର୍ବରୁ ପାର୍କିଂ ସ୍ଥାନ ଓ ଦରକୁ ନେଇ ଦେଖାଦେଇଛି ଅସନ୍ତୋଷ । ଦୁଇ ଚକିଆ ପାଇଁ ପୂର୍ବରୁ ପାର୍କିଂ ଫି ୩୦ ଟଙ୍କା ଥିବା ବେଳେ ଏଥର ୫୦ ଟଙ୍କା କରାଯାଇଛି । ତେବେ ଏହି ଦର ଆଜିର ଦିନରେ ବିଶେଷ କିଛି ନୁହେଁ ବୋଲି ମେୟର କହିଛନ୍ତି ।

ଏପଟେ ସଜେଇ ହେଉଛି କୁଆଖାଇ ପଠା । ଦୁଇ ବର୍ଷ ପରେ ଜମିବ ଭୁବନେଶ୍ୱର ବାଲିଯାତ୍ରା । ଏଥିପାଇଁ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ । ଏଥର ଯାତ୍ରାକୁ ଆକର୍ଷଣୀୟ କରିବାକୁ ଅଣ୍ଟା ଭିଡିଛି ବାଲିଯାତ୍ରା କମିଟି । ପ୍ରତିଦିନ ସାଂସ୍କୃତିକ କାର୍ଯ୍ୟକ୍ରମରେ ଦୁଲୁକିବ ମଞ୍ଚ । ଦର୍ଶକଙ୍କ ମନୋରଂଜନ ପାଇଁ ଓଲିଉଡ୍ ସମେତ ବଲିଉଡରୁ ଆସିବେ ନାମୀଦାମୀ ଗାୟକ ଓ କଳାକାର । ଯତ୍ରାର ମୁଖ୍ୟ ଆକର୍ଷଣ ସାଜିବ ମୀନାବଜାର । ୩ ଶହ ଷ୍ଟଲରେ ନିଜ ନିଜର ପସରା ମେଲିବେ ରାଜ୍ୟ ଏବଂ ବାହାର ରାଜ୍ୟର ବ୍ୟବସାୟୀ । ପଡିଆକୁ ପ୍ରବେଶ ପାଇଁ ତିଆରି ହୋଇଛି ତିନି ତିନିଟି ଗେଟ୍ । ଟ୍ରାଫିକ ଓ ପାର୍କିଂ ଉପରେ ଦିଆଯାଇଛି ବିଶେଷ ଗୁରୁତ୍ୱ । ଯାତ୍ରା ସମୟରେ ଭାରିଯାନ ଚଳାଚଳ ବନ୍ଦ ରହିବ । ବିଭିନ୍ନ ସ୍ଥାନରେ ସିସିଟିଭି ଲାଗିବ । ୮ରୁ ୧୦ ପ୍ଲାଟୁନ ଫୋର୍ସ ସହ ବାଲିଯାତ୍ରାକୁ ଜଗିବେ ସ୍ୱତନ୍ତ୍ର ସ୍କ୍ୱାଡ୍ ।

ଦୁଇ ବର୍ଷର ମହାମାରୀ ପରେ ଟ୍ୱିନସିଟିରେ ବାଲିଯାତ୍ରା ଆୟୋଜନ ହେଉଥିବାରୁ ଲୋକଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଛି ।

(ରିପୋର୍ଟ- କଟକରୁ ବିଶ୍ୱଜିତ୍ ଆଚାର୍ଯ୍ୟ ଓ ଭୁବନେଶ୍ୱରରୁ ଆଲୋକ ମହାନ୍ତି)