Advertisment

ଗୁଣ୍ଡିଚା ମନ୍ଦିରକୁ ଆସିବେ ମା’ ମହାଲକ୍ଷ୍ମୀ, ରାଗ ଜର୍ଜରିତ ହୋଇ ଭାଙ୍ଗିବେ ନନ୍ଦିଘୋଷ

ରଥଯାତ୍ରା ପାଳନ ଅବସରରେ ହେରା ପଞ୍ଚମୀ ଉତ୍ସବ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ। ସାଧାଣତଃ ରଥଯାତ୍ରାଠାରୁ ପଞ୍ଚମୀ ଦିବସରେ ଅର୍ଥାତ ଆଷାଢ଼ ଶୁକ୍ଳ ଷଷ୍ଠୀ ଦିନ ହେରା ପଞ୍ଚମୀ ଉତ୍ସବ ପାଳିତ ହୋଇଥାଏ।

author-image
Satyendu Shekher Mishra
Hera Panchami

Hera Panchami

ଆଜି ହେରାପଞ୍ଚମୀ । ରାଗ ଜର୍ଜରିତ ହୋଇ ଆସି ନନ୍ଦିଘୋଷ ରଥ ଭାଙ୍ଗିବେ ମା’ ମହାଲକ୍ଷ୍ମୀ। ଗୁଣ୍ଡିଚା ମନ୍ଦିର ଭିତରେ ଦ୍ୱିତୀୟ ଭୋଗମଣ୍ଡପ ପରେ ମହାପ୍ରଭୁଙ୍କ ବଡ଼ ମହାସ୍ନାନ, ସର୍ବାଙ୍ଗ, ବେଶ ବନ୍ଦାପନା ନୀତି ଅନୁଷ୍ଠିତ ହେବ। ପରେ ସନ୍ଧ୍ୟା ଧୂପ ଯିବା ଖବର ପାଇଲେ ମା ମହାଲକ୍ଷ୍ମୀ ଶ୍ରୀମନ୍ଦିରରୁ ବାହାରି ଗୁଣ୍ଡିଚା ମନ୍ଦିରକୁ ଆସିବେ। 

Advertisment

ନନ୍ଦିଘୋଷ ରଥ ଠାରେ ପତି ମହାପାତ୍ର ବନ୍ଦାପନା, ବିଡ଼ିଆ ମଣୋହି, ଆଦି ନୀତି ସାରି ଗୁଣ୍ଡିଚା ମନ୍ଦିରକୁ ବିଜେ କରିବେ। ସନ୍ଧ୍ୟାଧୂପ ଟେରା ପଡ଼ିଥିବା ହେତୁ ଦର୍ଶନ ନ କରିପାରି ମହାପ୍ରଭୁଙ୍କ ଅଧର ମାଳା ପାଇ ମହାଲକ୍ଷ୍ମୀ କ୍ରୋଧରେ ପ୍ରତ୍ୟାବର୍ତନ କରିବେ ଶ୍ରୀମନ୍ଦିରକୁ। ଏହି ସମୟରେ ମହାଲକ୍ଷ୍ମୀ ନନ୍ଦିଘୋଷ ରଥର କିଛି ଅଂଶ ଭାଙ୍ଗିବାର ପରଂପରା ରହିଛି।

ପୁରା କାହାଣୀଟି ହେଲା

ରଥଯାତ୍ରା ପାଳନ ଅବସରରେ ହେରା ପଞ୍ଚମୀ ଉତ୍ସବ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ। ସାଧାଣତଃ ରଥଯାତ୍ରାଠାରୁ ପଞ୍ଚମୀ ଦିବସରେ ଅର୍ଥାତ ଆଷାଢ଼ ଶୁକ୍ଳ ଷଷ୍ଠୀ ଦିନ ହେରା ପଞ୍ଚମୀ ଉତ୍ସବ ପାଳିତ ହୋଇଥାଏ। ଯାତ୍ରା ଭାଗବତରେ କୁହାଯାଇଛି - ‘ତତୋ ଗୁଣ୍ଡିଚାନନ୍ତରଂ ପଞ୍ଚମ ଦିବସେ ହେରା ପଞ୍ଚମୀ ଭବତି ।’ ତେବେ ହେରା ପଞ୍ଚମୀ ନୀତି ସମ୍ପର୍କରେ ବାମଦେବ ସଂହିତରେ ବିଶେଷ ଭାବେ ବର୍ଣ୍ଣନା ହୋଇଥିବା ଜଣାଯାଏ । 

Advertisment

ହେରା ପଞ୍ଚମୀ ଯାତ୍ରା ସମ୍ପର୍କରେ ଏକ ସୁନ୍ଦର ଜନଶୃତି ବା ଆଖ୍ୟୟିକା ରହିଛି। ତାହା ହେଲା, ଜଗନ୍ନାଥ ତାଙ୍କର ଭ୍ରାତା ଓ ଭଗିନୀଙ୍କ ସହ ରଥରେ ଗୁଣ୍ଡିଚା ଘରକୁ ଯାତ୍ରା କରିବା ଫଳରେ ପତି ବିରହ ବିଧୁରା ଲକ୍ଷ୍ମୀ ଠାକୁରାଣୀ ସ୍ୱକୀୟ ବିରହ ବ୍ୟଥା ଭଗିନୀକଳ୍ପା ବିମଳାଦେବୀଙ୍କ ପାଖରେ ବର୍ଣ୍ଣନା କରି ପ୍ରତିକାରର ପରାମର୍ଶ ଚାହିଁଥିଲେ। ବିମଳାଦେବୀ ଲକ୍ଷ୍ମୀଙ୍କୁ ସାନ୍ତ୍ୱାନା ବାକ୍ୟରେ ବୁଝାଇ କହିଥିଲେ ଯେ, ସ୍ୱାମୀ ଯଦି କେବେ ବିବେକ ଶୂନ୍ୟ ହୋଇ ଅକରଣୀୟକୁ କରଣୀୟ ବୋଲି ମନେ କରନ୍ତି, ତେବେ ତାଙ୍କୁ ଉଚ୍ଚାଟିତ କରିବାକୁ ପଡିଥାଏ। ତେଣୁ ତୁମ ମୋହଚୂର୍ଣ୍ଣ ନେଇ ସ୍ୱାମୀଙ୍କ ନିକଟକୁ ଯାତ୍ରା କରିବା ଉଚିତ୍ ।

ଏହି ପରାମର୍ଶ ଦେବାରୁ ଶ୍ରୀଗୁଣ୍ଡିଚାର ପଞ୍ଚମ ଦିବସରେ ଲକ୍ଷ୍ମୀ ଠାକୁରାଣୀ ଗୁଣ୍ଡିଚା ମନ୍ଦିରକୁ ଯାଇଥିଲେ । ଲକ୍ଷ୍ମୀ ଶ୍ରୀମନ୍ଦିରରୁ ଶ୍ରୀଜୀଉଙ୍କର ଦର୍ଶନ ନିମନ୍ତେ ଗୁପ୍ତରେ ଯାଇ ଏକାନ୍ତରେ ଦର୍ଶନ କରି ମୋହାଞ୍ଜନରେ ପ୍ରଭୁଙ୍କୁ ମୁଗ୍ଧ କରିଥିବାରୁ ପରେ ପ୍ରତ୍ୟାଗମନ ପାଇଁ ରଥ ଦକ୍ଷିଣାଭିମୁଖ କରାଯିବା ନିମନ୍ତେ ଆଦେଶ ଦିଆଗଲା । ଯାହା ଫଳରେ କି ହେରା ପଞ୍ଚମୀର ପ୍ରରଦିନ ପ୍ରଭୁଙ୍କର ଆଜ୍ଞାମାଳ ଦିଆଯାଇ ରଥ ଦକ୍ଷିଣମୋଡ଼ ହୋଇଥାଏ।

ଶ୍ରୀଜଗନ୍ନାଥ ମନ୍ଦିରର ସ୍ୱତ୍ତ୍ୱଲିପିରେ ହୋଇଥିବା ଉଲ୍ଲେଖ ପ୍ରକାରେ ହେରା ପଞ୍ଚମୀ ଦିନ ଶ୍ରୀମନ୍ଦିରର ଭଣ୍ଡାର ଘରେ ବିଜେ ହୋଇଥିବା ଲକ୍ଷ୍ମୀ ଠାକୁରାଣୀଙ୍କୁ ପାଳିଆ ମହାଜନ ସେବକମାନେ ମାଜଣା କରନ୍ତି। ଏହା ପରେ ବନକ ଲାଗି, ପାଟ ଶାଢ଼ୀ଼, ଅଳାଙ୍କାର ଇତ୍ୟାଦି ଲାଗି ହୋଇ ବେଶ ବଢ଼ିବା ପରେ ପୂଜାପଣ୍ଡା ସେବକଙ୍କଦ୍ୱାରା ପନ୍ତି ଭୋଗ ହୋଇଥାଏ। ତତ୍ପରେ ବଟବୃକ୍ଷ ତଳେ ରହିଥିବା ବିମାନକୁ ଲକ୍ଷ୍ମୀ ବିଜେ କରିଥାନ୍ତି।

ବିମାନବଡ଼ୁ ସେବକମାନେ ବିମାନକୁ ଧାରଣ କରି ଘଣ୍ଟ, କାହାଳି, ଛତା ସହ ସିଂହଦ୍ୱାର ଦେଇ ବଡ଼ଦାଣ୍ଡରେ ନେଇ ଗୁଣ୍ଡିଚା ଘର ସମ୍ମୁଖସ୍ଥ ଜଗନ୍ନାଥ ମହାପ୍ରଭୁଙ୍କ ରଥ ପାଶରେ ରଖିଥାନ୍ତି। ଏଠାରେ ପତିମହାପାତ୍ର ପ୍ରସାଦ ଲାଗି, ବନ୍ଦାପନା, ଚାମର ଆଲଟ,ଘସା ବିଡିଆ ଓ ହଦି ପଟି ମଣୋହି କରନ୍ତି। ଏ ସମୟ ମଧ୍ୟରେ ଗୁଣ୍ଡିଚା ଘରେ ଠାକୁରମାନଙ୍କର ମଧ୍ୟାହ୍ନ ଧୂପ ସରି ଶାଢ଼ୀ ଲାଗି ହୋଇ ଆଳତି ବଢ଼ିଥାଏ। ଆଳତି ପରେ ଜଗନ୍ନାଥ ମହାପ୍ରଭୁଙ୍କ ବାଡ଼ରେ ପଞ୍ଚାମୃତ ମହାସ୍ନାନ ଓ ତିନି ବାଡ଼ରେ ସର୍ବାଙ୍ଗ ହୋଇ ବେଶ ବଢେ। ତତ୍ପରେ ସନ୍ଧ୍ୟା ଧୂପ ଉଠି ପୂଜା ବସିଥିବା ସମୟେ ମହାଲକ୍ଷ୍ମୀ ରଥ ପାଖରେ ନୀତି ବଢ଼ାଇ ଜଗମୋହନର ଜୟବିଜୟ ଦ୍ୱାରକୁ ଆସିଥାନ୍ତି।

ଜଗନ୍ନାଥଙ୍କ ଶ୍ରୀଅଙ୍ଗରୁ ଆଜ୍ଞାମାଳ ଆସି ଲକ୍ଷ୍ମୀଙ୍କୁ ଦିଆଯିବା ପରେ ପୂଜା ବଢ଼ି ଧୂପ ଦୀପ ଦିଆଯାଇ ଟେରା ପଡେ । ଏହା ପରେ ଲକ୍ଷ୍ମୀଙ୍କ ବିମାନ ଜଗମୋହନରୁ ନାକଚଣା ଦୁଆର ପାଖରେ ରହିଥାଏ। ସେଠାରେ ଭିତରଚ୍ଛ ମହାପାତ୍ର ଗରାବଡ଼ୁ ସେବକଙ୍କଠାରୁ ହାତୁଆଣି ନେଇ ବନ୍ଦାପନା ଓ ଦହି ପଟି ମଣୋହି କରନ୍ତି। ଉପରୋକ୍ତ ନୀତି ଶେଷ ହେବାପରେ ଲକ୍ଷ୍ମୀଙ୍କ ବିମାନ ଜଗନ୍ନାଥଙ୍କ ରଥ ପାଖକୁ ନିଆଯାଇ ରଥ କାଠ ଖଣ୍ଡିଏ ଭାଙ୍ଗି ଦିଆଯିବା ପରେ ହେରା ଗୋହିରୀ ସାହି ବାଟେ ଲକ୍ଷ୍ମୀଙ୍କୁ ବଡ଼ ଦେଉଳକୁ ବାହୁଡା ବିଜେରେ ଅଣାଯାଏ।

ଉଭୟ ଆସିବା ଓ ବାହୁଡା଼ ବିଜେ ସମୟରେ ଲକ୍ଷ୍ମୀ ଠାକୁରାଣୀଙ୍କ ଉଦ୍ଦେଶ୍ୟରେ ବିଭିନ୍ନ ମଠ, ସେବକ, ଜାଗା, ଆଖଡା଼ ଅନୁଷ୍ଠାନ ଓ ବ୍ୟକ୍ତିବିଶେଷଙ୍କ ତରଫରୁ ବଡ଼ଦାଣ୍ଡ, ହେରାଗୋହିରୀ ସାହି ଓ ମଠ ବିଜେ ସ୍ଥଳୀଠାରେ ପନ୍ତି ଭୋଗ କରାଯାଇଥାଏ।

Lord Jagannath Hera Panchami
Advertisment
Advertisment