• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

କାର୍ତ୍ତିକରେ ମହାପଞ୍ଚୁକ ବ୍ରତର ପ୍ରଥମ ଦିନରେ ଅସମ୍ଭାଳ ଦର୍ଶନ ଯନ୍ତ୍ରଣା । ସକାଳୁ ସଞ୍ଜ ଯାଏଁ ସମାନ ସ୍ଥିତି । ମରିଚିକୋଟ୍ ଛକ ଯାଏଁ ବ୍ୟାରିକେଡ୍ ଜାମ୍ । ଠାକୁରଙ୍କ ନୀତିକାନ୍ତିରେ ଡେରି ଯୋଗୁଁ ଲାଇନ୍ ଆଗକୁ ଗଲାନି , ଚୁଣ୍ଟାଚୁଣ୍ଟି ଅବସ୍ଥାରେ ଭକ୍ତ ଅଣନିଶ୍ୱାସୀ ।

ସୂଚନା ଅନୁସାରେ ଆଜି ଭୋର୍ ୩ଟାରେ ଦ୍ୱାରଫିଟା ନୀତି ହେବାର ଥିଲା, ହେଲେ ତାହା ସଂପନ୍ନ ହେଲାବେଳକୁ ସକାଳ ୫ଟା ୨୫ ବାଜିଗଲା । ସେମିତି ଠାକୁରଙ୍କ ମଙ୍ଗଳ ଆଳତୀ ଭୋର ୪ଟା ପରିବର୍ତ୍ତେ ସକାଳ ୬ଟା ୫ରେ ହେଲା । ଫଳରେ ରାତି ଅନ୍ଧାରରୁ ଲାଇନରେ ଛିଡ଼ା ହୋଇଥିବା ଭକ୍ତଙ୍କୁ ମନ୍ଦିର ପ୍ରବେଶ ପାଇଁ ପ୍ରାୟ ଅଢ଼େଇ ଘଣ୍ଟା ଲାଗି ଥିଲା । ତେବେ ଭକ୍ତଙ୍କ ପାଇଁ ଅପେକ୍ଷା ଅଧିକ ଯନ୍ତ୍ରଣାଦାୟକ ହୋଇଥିଲା ଗୋପାଳ ବଲ୍ଳଭ ଓ ବାଳଧୂପ ସମୟରେ ସକାଳ ସାଢ଼େ ୭ଟାରୁ ୮ଟା ଭିତରେ ଲକ୍ଷ୍ମୀ ନାରାୟଣ ବେଶ ।

ଶେଷ ହେବାକୁ ନିର୍ଘଣ୍ଟ ଥିଲେ ବି ତାହା ସଂପନ୍ନ ହେବାକୁ ସକାଳ ସାଢ଼େ ୧୦ଟା ବାଜି ଯାଇଥିଲା । ଏଥିସହ ସିଂହଦ୍ୱାରରେ ଭକ୍ତଙ୍କ ଅସମ୍ଭବ ଭିଡ଼ ପଛର ଆଉ ଏକ ବଡ଼ କାରଣ ହେଲା-ପଶ୍ଚିମ ଦ୍ୱାର ବାଟେ ପ୍ରବେଶ ବନ୍ଦ । କାଲି ପର୍ଯ୍ୟନ୍ତ ଏହିବାଟେ ଲୋକଙ୍କୁ ଛଡ଼ାଯାଉଥିଲା, ହେଲେ ଆଜି ହଠାତ୍ ବନ୍ଦ କରି ଦିଆଗଲା । ଫଳରେ କେବଳ ସିଂହଦ୍ୱାର ବାଟେ ଲକ୍ଷ ଲକ୍ଷ ସାଧାରଣ ଭକ୍ତ ଓ ହବିଷ୍ୟାଳୀ ଜଗନ୍ନାଥ ଦର୍ଶନ ପାଇଁ ଯିବାକୁ ବାଧ୍ୟ ହେଉଛନ୍ତି । ପଞ୍ଚୁକରେ ଜଗା ଦର୍ଶନ ପାଇଁ ଶ୍ରୀକ୍ଷେତ୍ରକୁ ଲକ୍ଷାଧିକ ଭକ୍ତଙ୍କ ସୁଅ ଛୁଟିଛି । ଶୃଙ୍ଖଳିତ ଦର୍ଶନ ପାଇଁ ୨୬ ପ୍ଲାଟୁନ୍ ଫୋର୍ସ ମୁତୟନ ହୋଇଛନ୍ତି ।

ତେବେ ଆଗକୁ ଠାକୁରଙ୍କ ବାଙ୍କଚୁଡ଼ା ଓ ତ୍ରିବିକ୍ରମ ବେଶ ସହ କାର୍ତ୍ତିକ ପୂର୍ଣ୍ଣମୀରେ ସୁନାବେଶ ବା ରାଜରାଜେଶ୍ୱର ବେଶ ରହିଛି । ତେଣୁ ସଅଳ ନୀତି ସାଙ୍ଗକୁ ଦର୍ଶନ ବ୍ୟବସ୍ଥା ନସଜାଡ଼ିଲେ ସ୍ଥିତି ଆହୁରି ଅସମ୍ଭାଳ ହେବା ନିଶ୍ଚିତ ।

ସେପଟେ ଆଠଗଡ଼ର ବାବା ଧବଳେଶ୍ୱରଙ୍କୁ ଦର୍ଶନ ଯେଉଁ ସମୟରେ ଲକ୍ଷ ଲକ୍ଷ ଭକ୍ତଙ୍କ କୋଳାହଳରେ ସ୍ଥାନ ଫାଟି ପଡ଼ିବା କଥା, ସେଠି ପରିବେଶ ଖାଁ ଖାଁ । ବିପଦପୂର୍ଣ୍ଣ ଝୁଲାପୋଲ କାରଣରୁ ଧବଳେଶ୍ୱର ପୀଠରେ ୧୪୪ ଧାରା ଲଗାଇଛି । ପ୍ରଶାସନ ଯେଉଁ କିଛି ଭକ୍ତ ପିଲାଙ୍କ ମୁଣ୍ଡନ ସାଙ୍ଗକୁ ଦର୍ଶନ ଆଶାରେ ଆସୁଛନ୍ତି, ସେମାନେ ପୀଠକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ପାଖରେ କେବଳ ଏଲଇଡି ଟିଭିରେ ଠାକୁରଙ୍କ ପଞ୍ଚୁକ ବେଶ ଦର୍ଶନ କରି ଅସନ୍ତୁଷ୍ଟ ହୋଇ ଫେରୁଛନ୍ତି ।

କଟକ ଜିଲ୍ଲାପାଳ ବି ଆଜି ଏମିତି ଢଙ୍ଗରେ ଟିଭି ପରଦା ଆଗରେ ଲମ୍ବ ହୋଇ ମୁଣ୍ଡିଆ ମାରିଛନ୍ତି । ତେବେ କାହା ଭୁଲରୁ ଭକ୍ତଙ୍କ ଭାବାବେଗ ସହ ଖେଳ ହେଲା ଓ ଠାକୁରଙ୍କ ସାନିଧ୍ୟରୁ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କୁ ବଞ୍ଚିତ କରାଗଲା ବୋଲି ପ୍ରଶ୍ନ ଉଠିଛି । ଝୁଲାପୋଲ ବହୁ ଦିନରୁ ଦୁର୍ବଳ ହେଲାଣି, ହେଲେ ତାକୁ କାହିଁକି ମରାମତି କରାଯାଇନଥିଲା ? ଯଦି ଝୁଲାପୋଲ ବନ୍ଦ କରାଗଲା ତାହାଲେ କାହିଁକି ନଦୀରେ ଅଧିକ ସଂଖ୍ୟକ ବୋଟ୍ ଓ ଡଙ୍ଗାର ବ୍ୟବସ୍ଥା ପ୍ରଶାସନ କଲାନାହିଁ ବୋଲି ଭକ୍ତ ଓ ସେବାୟତ ସିଧାସଳଖ ପ୍ରଶ୍ନ କରିଛନ୍ତି ।

ଧବଳେଶ୍ୱର ପୀଠରେ ୧୪୪ଧାରା ଲାଗୁ ଯୋଗୁଁ କେବଳ ଭକ୍ତ କି ସେବାୟତ କ୍ଷୁବ୍ଧ ହୋଇନାହାନ୍ତି, ବଡ଼ଓଷା ଯାତ୍ରାରେ ଦୁଇ ଫଇସା ରୋଜଗାର ଆଶାରେ ଆସିଥିବା ଶହ ଶହ ବ୍ୟବସାୟୀଙ୍କ ପେଟକୁ ବି ପଡ଼ିଛି ଲାତ ।